ନୂଆଦିଲ୍ଲୀ,୨୪।୨: ଦିଲ୍ଲୀରେ ଏଆଇ ସମ୍ମିଳନୀ ସମୟରେ ଭାରତ ମଣ୍ଡପମରେ ହୋଇଥିବା ପ୍ରତିବାଦରେ ଗିରଫଦାରୀ ଜାରି ରହିଛି। ଭାରତୀୟ ଯୁବ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ଉଦୟ ଭାନୁ ଚିବଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି। ଏପର୍ଯ୍ୟନ୍ତ ମୋଟ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।
ଦିଲ୍ଲୀ ପୋଲିସ ଉଦୟ ଭାନୁ ଚିବଙ୍କୁ କୋର୍ଟରେ ହାଜର କରିଛି। ପଟିଆଲା ହାଉସ କୋର୍ଟ ଭିତରେ ଏବଂ ବାହାରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି। ଅର୍ଦ୍ଧସାମରିକ ବାହିନୀ ମୁତୟନ କରାଯାଇଛି। କୋର୍ଟ ବାହାରେ ବହୁ ସଂଖ୍ୟକ କଂଗ୍ରେସ କର୍ମୀ ଏକାଠି ହୋଇଛନ୍ତି।
ଉଦୟ ଭାନୁ ଚିବଙ୍କ ଗିରଫଦାରୀ ଉପରେ କଂଗ୍ରେସ ଦଳ ପ୍ରତିକ୍ରିୟା ପ୍ରକାଶ କରିଛି। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ କଂଗ୍ରେସ ଲେଖିଛନ୍ତି, କ୍ଦିଲ୍ଲୀ ପୋଲିସ ଆଇୱାଇସି ରାଷ୍ଟ୍ରୀୟ ଅଧ୍ୟକ୍ଷ ଉଦୟ ଭାନୁ ଚିବଙ୍କୁ ଗିରଫ କରିଛି। ଏହି ଗିରଫଦାରୀ ସମ୍ପୂର୍ଣ୍ଣ ଅସାମ୍ବିଧାନିକ। ଭାରତର ସମ୍ବିଧାନ ପ୍ରତ୍ୟେକ ନାଗରିକଙ୍କୁ ପ୍ରତିବାଦ କରିବାର ଅଧିକାର ଗ୍ୟାରେଣ୍ଟି ଦିଏ। ଆମେ ଏହି କୌଶଳ ଦ୍ୱାରା ଭୟଭୀତ ହେବୁ ନାହିଁ। ଆମେ ଲୋକଙ୍କ ସୱର ଉଠାଇବା ଏବଂ ସେମାନଙ୍କ ପାଇଁ ଲଢ଼ିବା ଜାରି ରଖିବୁ।
ଭାରତୀୟ ଯୁବ କଂଗ୍ରେସ ସଭାପତିଙ୍କ ଗିରଫଦାରୀ ଉପରେ କଂଗ୍ରେସ ନେତାମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ କହିଛନ୍ତି, ଦିଲ୍ଲୀ ପୋଲିସ ଦ୍ୱାରା ଉଦୟ ଭାନୁ ଚିବ ଏବଂ ଅନ୍ୟ ଯୁବ ସାଥୀମାନଙ୍କୁ ବେଆଇନ ଗିରଫ କରାଯିବାକୁ ମୁଁ ଦୃଢ଼ ନିନ୍ଦା କରୁଛି।