ଗଞ୍ଜେଇ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ: ଆଉ ତା’ପରେ…

ଦିଗପହଣ୍ଡି,୧୮।୧୦(ଅଶେଷ ନାଥ ମିଶ୍ର): ଗଞ୍ଜେଇ ଚୋରା ଚାଲାଣ ବେଳେ ଦିଗପହଣ୍ଡି ପୋଲିସ ଶନିବାର ଜଣେ ୨୦ ବର୍ଷୀୟ ଯୁବକଙ୍କୁ ଧରିବାରେ ସଫଳ ହୋଇଛି। ଅଭିଯୁକ୍ତ ଜଣକ ହେଲେ ତାମିଲନାଡୁ କୋଏମ୍ବାଟୁର ଜିଲା କାଟୁର୍‌ ଗ୍ରାମର ହରି.ଏମ୍‌ ବୋଲି ସୂଚନା ମିଳିଛି।

ଅଭିଯୁକ୍ତ ଏବଂ ତାଙ୍କ ୩ ସହଯୋଗୀ ଗଞ୍ଜେଇ ନେଇ ଗଜପତି ଜିଲା ମୋହନାରୁ ଭାୟା ଦିଗପହଣ୍ଡି ଦେଇ ଏକ ଯାତ୍ରୀବାହୀ ବସରେ ବ୍ରହ୍ମପୁର ଯାଉଥିଲେ। ଯାତ୍ରୀବାହୀ ବସ୍‌ଟି ଦିଗପହଣ୍ଡି ପୁରୁଣା ବସଷ୍ଟାରେ ଅଟକିଥିଲା। ସେତିକିବେଳେ ପୋଲିସ କର୍ମଚାରୀଙ୍କୁ ଦେଖି ଅଭିଯୁକ୍ତମାନେ କୌଶଳ କ୍ରମେ ବସ୍‌ରୁ ଓହ୍ଲାଇ ବ୍ରହ୍ମପୁର ରାସ୍ତାରେ ଚାଲିକି ଯାଉଥିଲେ। ପୋଲିସ ଟିମ୍‌ ସନ୍ଦେହରେ ସେମାନଙ୍କୁ ପିଛା କରିବାରୁ ସେମାନେ ଦୌଡ଼ି ଫେରାର ହେବାକୁ ଚେଷ୍ଟା କରିଥିଲେ।

ପୋଲିସ କର୍ମଚାରୀ ସେମାନଙ୍କୁ ଗୋଡ଼ାଇ ଥିଲେ। ହେଲେ ୩ ଅଭିଯୁକ୍ତ ଖସି ଯାଇଥିବା ବେଳେ ଏମ୍‌.ହରିଙ୍କୁ ପୋଲିସ ଧରିବାରେ ସକ୍ଷମ ହୋଇଥିଲା।

ପୋଲିସ ଯାଞ୍ଚ ବେଳେ ତାଙ୍କଠାରୁ ଏକ ବ୍ୟାଗରୁ ଗଞ୍ଜେଇ ଜବତ କରିଥିଲା। ଦିଗପହଣ୍ଡି ତହସିଲଦାର ତଥା ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ସନ୍ତୋଷ କୁମାର ସାହୁ ଏବଂ ଦିଗପହଣ୍ଡି ରାଜସ୍ବ ନିରୀକ୍ଷକ ଉପେନ୍ଦ୍ର ବେହେରାଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇ ଓଜନ କରିବାରୁ ତାହା ୧୦ କେଜି ୬ ଶହ ଗ୍ରାମ ହୋଇଥିଲା।

ଥାନା ଏସ୍‌ଆଇ ରାଜ କିଶୋର ପାତ୍ରଙ୍କ ଏତଲା କ୍ରମେ ଭାରପ୍ରାପ୍ତ ଆଇଆଇସି ତଥା ଡିଏସ୍‌ପି ପ୍ରଶାନ୍ତ କୁମାର ପାତ୍ର ଏକ ମାମଲା(ନଂ.୩୭୪/୨୫) ରୁଜୁ କରିଥିଲେ। ପୋଲିସ ମାମଲାର ତଦନ୍ତ କରୁଥିବା ତଦନ୍ତକାରୀ ଅଧିକାରୀ ଏସ୍‌ଆଇ ସୋଫିଆ ମିଶ୍ର କହିଛନ୍ତି। ରବିବାର ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡିଛି।