ଚୋରି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା: ୩ ଜଣ ଖସିଯାଇଥିବା ସନ୍ଦେହ

ଭଞ୍ଜନଗର,୧୪।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ସାର୍ଦୁଲ ଗ୍ରାମରେ ଚୋରି ସନ୍ଦେହରେ ଜଣେ ଯୁବକଙ୍କୁ କିଛି ଲୋକ ଶୁକ୍ରବାର ରାତିରେ ବାଡେଇ ବାଡେଇ ଗୁରୁତର କରି ଦେଇଥିଲେ । ଶନିବାର ସକାଳ ୮ଟାରେ ଯୁବକ ଜଣଙ୍କ ଭଞ୍ଜନଗର ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛି। ମୃତ ଯୁବକ ଜଣଙ୍କ ହେଲେ କନ୍ଧମାଳ ଜିଲା ଜି ଉଦୟଗିରି ଥାନା ଅନ୍ତର୍ଗତ କୁରୁମୁଙ୍ଗିଆ ଗ୍ରାମର ବାଣଧର ପ୍ରଧାନ (୪୦) । ପୋଲିସ ଏନେଇ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଚଳାଇଛି। ଏଏସପି ରଞ୍ଜନ କୁମାର ଦେ ପ୍ରମୁଖ ମେଡିକାଲରେ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି। ଆଇଆଇସି ଜିବନାନନ୍ଦ ଜେନାଙ୍କୁ ନେଇ ଗଠିତ ହୋଇଥିବା ଏକାଧିକ ଟିମ ସାର୍ଦୁଲ ଗ୍ରାମରେ ପହଞ୍ଚି ଅଭିଯୁକ୍ତ ମାନଙ୍କୁ ଖୋଜୁଛନ୍ତି।
ଘଟଣାରୁ ପ୍ରକାଶ ଯେ, ଗତକାଲି ରାତିରେ ପ୍ରାୟ ୪ ଜଣ ଯୁବକ ସାର୍ଦୁଲ ଗ୍ରାମକୁ ଯାଇଥିଲେ କୌଣସି କାମରେ। ଏହି ସମୟରେ କିଛି ଲୋକ ରାତିରେ ଉଠିପଡ଼ି ଉକ୍ତ ଯୁବକ ମାନେ ଚୋରି କରିବାକୁ ଆସିଥିବା ସନ୍ଦେହ କରି ସେମାନଙ୍କୁ ଗୋଡ଼ାଇଥିଲେ। ଏହାପରେ ଜଣଙ୍କୁ କାବୁ କରି ନିସ୍ତୁକ ମାଡ ଦେଇଥିଲେ। ଏହାପରେ ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ସକାଳେ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଆହତ ଯୁବକଙ୍କୁ ମେଡିକାଲ ଆଣି ଚିକିତ୍ସା କରିଥିଲେ। ଏହି ସମୟରେ ଯୁବକ ଜଣଙ୍କ ମୃତ୍ୟୁବରଣ କରିଛନ୍ତି। ଯୁବକଙ୍କ ଗୋଡ଼ ହାତ ଭାଙ୍ଗି ଯାଇଛି। ଏଥିସହ ଗୋଡ଼ ଓ ହାତର ଦୁଇଟି ନଖକୁ ଲୋକେ ଉପାଡ଼ି ଦେଇଛନ୍ତି। ତେଣୁ ଯୁବକ ଜଣଙ୍କ ଗୁରୁତର ହୋଇ ମୃତ୍ୟୁବରଣ କରିଥିବା ଅନୁମାନ କରାଯାଉଛି।
ଏନେଇ ଏଏସପି ରଞ୍ଜନ କୁମାର ଦେ କହିଛନ୍ତି ଯେ, ଯୁବକ ଜଣକ କେଉଁଭଳି ପରିସ୍ଥିତିରେ ଆହତ ହୋଇ ମୃତ୍ୟୁବରଣ କଲେ ତାହାର ତଦନ୍ତ ଚାଲିଛି। ତଦନ୍ତ ପରେ ଘଟଣାର ସତ୍ୟତା ଜଣାପଡ଼ିବ। ଏହାପରେ ଆବଶ୍ୟକ ପଦକ୍ଷେପ ନିଆଯିବ। ଏନେଇ ଜି ଉଦୟଗିରି ପୋଲିସ ଏବଂ ମୃତକଙ୍କ ପରିବାରକୁ ସୂଚନା ଦିଆଯାଇଛି।

 

Dharitri – Odisha’s No.1 Odia Daily