ଭଞ୍ଜନଗର,୪।୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଏସଆଇ ସମୀର ସେଠୀ ଏବଂ ଅନ୍ୟମାନେ ରବିବାର ରାତିରେ ତୁଳସୀପଲ୍ଲୀ ଅଞ୍ଚଳରେ ପାଟ୍ରୋଲିଂ କରୁଥିଲେ। ଏହି ସମୟରେ ସୌମ୍ୟ ରଞ୍ଜନ ବେହେରା ନାମକ ଜଣେ ଯୁବକ ସଂପୃକ୍ତ ଅଞ୍ଚଳରେ ସନ୍ଦେହଜନକ ଅବସ୍ଥାରେ ବୁଲୁଥିଲେ। ପୋଲିସ ତାଙ୍କୁ ଡାକି ପଚାରିବାରୁ ସେ ପୋଲିସକୁ ଅସଦାଚରଣ ଦେଖାଇଥିବା ଅଭିଯୋଗ ହୋଇଥିଲା। ଏହାପରେ ପୋଲିସ ତାକୁ ଅଟକ ରଖି ପଚରାଉଚରା କରିବା ସମୟରେ ତାଙ୍କଠୁ ଗୋଟିଏ ମାଉଜର ଓ ଦୁଇଟି ଜୀବନ୍ତ ଗୁଳି ଜବତ ହୋଇଛି। ଏନେଇ ଭଞ୍ଜନଗର ଥାନାରେ ଏକ ମାମଲା ରୁଜୁ ହୋଇଛି। ପୋଲିସ ଘଟଣାର ଅଧିକ ତଦନ୍ତ ଚଳାଇଛି।