ନୂଆପଡ଼ା,୧୦ା୪ (ମକାରୁ ବେମାଲ): ନୂଆପଡ଼ା ସଦର ବ୍ଲକ ଟାନୱାଟ ପଞ୍ଚାୟତ ଗୋବରା ଗାଁର ଜଣେ ଯୁବକଙ୍କ ଉନ୍ମତ୍ତକାଣ୍ଡ ଯୋଗୁ ଗ୍ରାମବାସୀ ତାଟିକବାଟ ବନ୍ଦ କରି ରହୁଥିଲେ। ଏ ନେଇ ପୋଲିସରେ ଅଭିଯୋଗ ପରେ ମଧ୍ୟ ସୁଫଳ ନ ପାଇବାରୁ ଗ୍ରାମର ଶତାଧିକ ମହିଳାପୁରୁଷ ଆଦିବାସୀ ନେତା ଭକ୍ତବନ୍ଧୁ ଧରୁଆଙ୍କ ନେତୃତ୍ୱରେ ଗୁରୁବାର ନୂଆପଡା ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ପରେ ଜିଲାପାଳ ମଧୁସୂଦନ ଦାସ ଧାରଣାସ୍ଥଳକୁ ଆସି ଲୋକଙ୍କ ସହ ଆଲୋଚନା କରିଥିଲେ। ଗାଁ ଲୋକେ ଆତଙ୍କ ଖେଳାଉଥିବା ରାଜେନ୍ଦ୍ର ରାଉତ(୩୮)ଙ୍କୁ ଗିରଫ ନ କରିବା ପର୍ଯ୍ୟନ୍ତ ଧାରଣାରୁ ଉଠିବେ ନାହିଁ ବୋଲି ଜିଦ ଧରି ବସିଥିଲେ।
ପରେ ଜିଲାପାଳ ନୂଆପଡା ଥାନା ଅଧିକାରୀ ଗଙ୍ଗାଧର ମେମେରଙ୍କୁ ଘଟଣାସ୍ଥଳକୁ ଡକାଇ ଗିରଫ ପାଇଁ ନିର୍ଦ୍ଦେଶ ଦେଇଥିଲେ । ନୂଆପଡା ଥାନା ପୋଲିସ ଟିମ୍ ଗୋବରା ଗାଁକୁ ଯାଇ ରାଜେନ୍ଦ୍ରଙ୍କୁ ଗିରଫ କରି ଆଣିବା ପରେ ଅପରାହ୍ନ ୨ଟାରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ରାଜେନ୍ଦ୍ର ଅଧିକାଂଶ ସମୟରେ ନିଶା ସେବନ କରି ରାସ୍ତାଘାଟ ବା ଘରକୁ ପଶି ବିନା କାରଣରେ ଲୋକଙ୍କୁ ମାଡ଼ ମାରିବା ସହ ମହିଳାମାନଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରୁଥିଲେ ।
କେହି ମୁହଁ ଖୋଲି କିଛି କହିଲେ ତାଙ୍କୁ ମଧ୍ୟ ମାଡ ମାରୁଥିଲେ। ହାତରେ ସବୁବେଳେ ଛୁରି, ଟାଙ୍ଗିଆ, ଖଣ୍ଡା, ଠେଙ୍ଗା ଆଦି ଧରି ଗାଁ ଦାଣ୍ଡରେ ବୁଲନ୍ତି। ଟାଙ୍ଗିଆ ଆକ୍ରମଣରେ ଗାଁର ବୃଷଭ ମାଝି(୩୦), ଜାନକି ରାଉତ (୪୭), ଲୋଚନ ମାଝି (୪୮) ଆହତ ହୋଇଛନ୍ତି।
ଗାଁ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କୁ ବିନା ଦୋଷରେ ମାଡ ମାରିବାରୁ ପିଲାମାନେ ଭୟରେ ସ୍କୁଲ ଯାଉନାହାନ୍ତି। ବିଦ୍ୟାଳୟ ପରିସରରେ ଅଙ୍ଗନୱାଡି କେନ୍ଦ୍ର ଥିବାବେଳେ ଶିଶୁ, ପ୍ରସୂତି ମା’, ଗର୍ଭବତୀ, କିଶୋରୀମାନେ ଭୟରେ ଖାଦ୍ୟସାମଗ୍ରୀ ଆଣିବାକୁ ଯାଇପାରୁ ନାହାନ୍ତି। ପ୍ରଧାନ ଶିକ୍ଷକ ଓ ଗ୍ରାମବାସୀ ଏ ନେଇ ଲଖନା ଥାନାରେ ଲିଖିତ ଅଭିଯୋଗ କଲା ପରେ ମଧ୍ୟ ପଦକ୍ଷେପ ନିଆ ନ ଯିବାରୁ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ।
ଗ୍ରାମର କରଣ ସିଂ ମାଝି, ନନ୍ଦୁ ରାଉତ, ଚନ୍ଦ୍ର ସିଂ ମାଝି, ବଳମତ ମାଝି, କୁମରମଣି ରାଉତ, ଡମ୍ବରୁଧର ରାଉତ, ଲକ୍ଷ୍ମୀ ମାଝି, ମୋତିଲାଲ ରାଉତ, ମାଳତି ମାଝି, ସାବିତ୍ରୀ ରାଉତ, ଗୋମତି ରାଉତ, ସୋହଦ୍ରା ରାଉତ, ବିଶାଖା ରାଉତ ପ୍ରମୁଖ ଧାରଣାରେ ସାମିଲ ଥିଲେ ।