ଟ୍ରାକ୍ଟରରେ ମାଟି ନେଲାବେଳେ ଯୁବତୀଙ୍କୁ ଅସଦାଚରଣ: ପରେ …

ଦିଗପହଣ୍ଡି,୧୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଞ୍ଚଳର ଜଣେ ଅନୁସୂଚିତ ଜାତି ବର୍ଗର ଯୁବତୀଙ୍କୁ ଅସଦାଚରଣ ଓ ଆକ୍ରମଣ ଘଟଣାରେ ସମ୍ପୃକ୍ତ ଯୁବକଙ୍କୁ ଶନିବାର ତଦନ୍ତକାରୀ ଅଧିକାରୀ ଥାନା ଏସ.ଆଇ ସୋଫିଆ ମିଶ୍ର ଗିରଫ କରି ବ୍ରହ୍ମପୁର ଜିଲା ଦୌରା ଜଜ କୋର୍ଟକୁ ଚାଲାଣ କରିଛନ୍ତି।
ଅଭିଯୁକ୍ତ ଜଣକ ହେଲେ ଡି.ବିଜୟ କୁମାର ପାତ୍ର। ଥାନା ମାମଲା ନଂ.୩୩୨/୨୫ ଅନୁଯାୟୀ ଜାମିନ ଆବେଦନ ନାମଞ୍ଜୁର ହେବାରୁ ତାଙ୍କୁ ବ୍ରହ୍ମପୁର ଜେଲ ହାଜତକୁ ପଠାଇ ଦିଆଯାଇଛି। ଶୁକ୍ରବାର ସକାଳ ପ୍ରାୟ ୭ ଟାରେ ଅଭିଯୁକ୍ତ ତାଙ୍କ ଟ୍ରାକ୍ଟର ରେ ସାହିରାସ୍ତା ଦେଇ ମାଟି ନେଉଥିବା ବେଳେ ଯୁବତୀ ଜଣକ ଆପତ୍ତି କରିଥିଲେ। ପରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଯୁବତୀ ଓ ତାଙ୍କ ମା’ ଅଭିଯୁକ୍ତଙ୍କ ଉପରକୁ ଢେଲା ମାଡ କରିବାରୁ ଅଭିଯୁକ୍ତ ଯୁବତୀଙ୍କୁ ଠେଲା ପେଲା କରି ଅସଦାଚରଣ କରିବା ସହ ଆକ୍ରମଣ କରିଥିଲେ। ଯୁବତୀ ଜଣକ ଏନେଇ ଦିଗପହଣ୍ଡି ଥାନାରେ ଏତଲା ଦେବାପରେ ଭାରପ୍ରାପ୍ତ ଆଇଆଇସି ରାଜ କିଶୋର ପାତ୍ର ଅଭିଯୁକ୍ତଙ୍କ ବିରୋଧରେ ମକଦ୍ଦମା ରୁଜୁ କରିଥିଲେ।