ପାଟନା,୨୬ା୭: ବିହାରର ଗୟାଜୀ ଜିଲାରୁ ଏକ ଅତ୍ୟନ୍ତ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଗତ ଗୁରୁବାର ହୋମଗାର୍ଡ ନିଯୁକ୍ତି ଦୌଡ଼ ସମୟରେ ଜଣେ ମହିଳା ପ୍ରାର୍ଥୀ ଚେତାଶୂନ୍ୟ ହୋଇଯାଇଥିଲେ। ଏହା ପରେ ତାଙ୍କୁ ହସ୍ପିଟାଲ ନେବା ସମୟରେ ଆମ୍ବୁଲାନ୍ସ ଡ୍ରାଇଭର ଏବଂ ଟେକ୍ନିସିଆନ ମିଶି ରାସ୍ତାରେ ଯବତୀଙ୍କୁ ଗଣବଳାତ୍କାର କରିଥିଲେ। ଏହି ଘଟଣା ଜଣାପଡ଼ିବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ତେବେ ପୋଲିସ ଶନିବାର ଆମ୍ବୁଲାନ୍ସ ଡ୍ରାଇଭର ଏବଂ ଟେକ୍ନିସିଆନ୍ଙ୍କୁ ଗିରଫ କରିଛି।
ଯୁବତୀ ଜଣକ BMP-3ରେ ହୋମଗାର୍ଡ ନିଯୁକ୍ତି ପାଇଁ ଦୌଡ଼ ପରୀକ୍ଷା ଦେବାକୁ ଗୟାଜୀ ଆସିଥିଲେ। ଏହି ସମୟରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ପରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ସେହି ସମୟରେ ଦୁଇ ଜଣ ଯୁବକ ଆମ୍ବୁଲାନ୍ସରେ ତାଙ୍କୁ ଗଣବଳାତ୍କାର କରିଥିଲେ। ହସ୍ପିଟାଲରେ ପହଞ୍ଚିବା ପରେ ଯେତେବେଳେ ତାଙ୍କ ଚେତା ଫେରିଲା, ସେ ହସ୍ପିଟାଲର ଡାକ୍ତରଙ୍କୁ ବଳାତ୍କାର ବିଷୟରେ ଜଣାଇଥିଲେ।
ଯୁବତୀ ଜଣକ କହିଛନ୍ତି, ଆମ୍ବୁଲାନ୍ସ ଡ୍ରାଇଭର ଏବଂ ଟେକ୍ନିସିଆନ ବାଟରେ ତାଙ୍କୁ ବଳାତ୍କାର କରିଥିଲେ। ଡାକ୍ତରଙ୍କ ସୂଚନା କ୍ରମେ, ଏକ ଡାକ୍ତରୀ ଟିମ୍ ଗଠନ କରାଯାଇଥିଲା ଏବଂ ଯୁବତୀ ଜଣଙ୍କର ପରୀକ୍ଷା କରାଯାଇଥିଲା। ଏହା ପରେ ଘଟଣା ବିଷୟରେ ପୋଲିସକୁ ସୂଚନା ଦିଆଯାଇଥିଲା। ୨୬ ବର୍ଷୀୟା ପୀଡ଼ିତା ଇମାମଗଞ୍ଜ ଥାନା ଅଞ୍ଚଳର ବାସିନ୍ଦା। ସେ ପୋଲିସକୁ କହିଥିଲେ ଯେ, ଆମ୍ବୁଲାନ୍ସରେ ୩ରୁ ୪ ଜଣ ଲୋକ ଥିଲେ, ମୁଁ ବେହୋସ ଥିବା ବେଳେ ସେମାନେ ମୋ’ ସହିତ ଗଣବଳାତ୍କାର କରିଥିଲେ।