ଲୋଇସିଂହା,୩।୧୧(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଆଗଲପୁର ଥାନା ହଳଦିପଦର ନିକଟସ୍ଥ ଘେସାଲି ନାଲାରୁ ଜଣେ ଯୁବତୀଙ୍କ ମୃତଦେହକୁ ଆଗଲପୁର ପୋଲିସ ରବିବାର ଅପରାହ୍ନରେ ଜବତ କରିଥିଲା। ମୃତ ଯୁବତୀ ଜଣକ ହେଲେ ହଳଦିପଦର ଗ୍ରାମର ନେପୂର ଗହିର(୨୬)। ଆଗଲପୁର ପୋଲିସ ସାଇିଫିକ୍ ଟିମ ସହ ତଦନ୍ତ କରି ପାରିପାର୍ଶ୍ୱିକ ସ୍ଥିତିକୁ ଦେଖି ଆଗଲପୁର ଥୋନରେ (ନଂ 11।25)ରେ ଏକ ଅପମୃତ୍ୟୁ ମାମଲା କରାଯାଇଛି। ପରେ ମୃତଦେହକୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲକୁ ପଠାଇ ଶବ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଆଗଲପୁର ପୋଲିସ ପକ୍ଷରୁ ରୁଜୁ ଅପମୃତ୍ୟୁ ମାମଲାକୁ ବଲାଙ୍ଗୀର ଏସପି ଅଭିଳାଷ ଜୀ ସନ୍ଦେହ ପ୍ରକଟ କରି ସୋମବାର ଘଟଣାସ୍ଥଳ ପରିଦର୍ଶନ କରି ଫେରିଥିବା ଜଣାପଡିଛି।
ପୋଲିସ ସୂଚନା ଅନୁଯାୟୀ, ସମ୍ପୃକ୍ତ ଯୁବତୀଙ୍କ ଘର ଆଗଲପୁର ବ୍ଲକ ହଳଦିପଦର ଗ୍ରାମର। ହେଲେ ଯୁବତୀ ଜଣକ ନିକଟସ୍ଥ ବୁଦୁଲା ପଞ୍ଚାୟତ ବୁରୋଭାଡି ଗ୍ରାମର ମାମୁ ଘରେ ରହି ଆସୁଥିଲେ। କୁଆଡେ ଜଣେ ଯୁବକଙ୍କ ତାଙ୍କ ପ୍ରେମ ସମ୍ପର୍କ ରହିଥିଲା। କିଛିଦିନ ପୂର୍ବରୁ ଯୁବତୀ ଜଣକ ସେହି ଯୁବକଙ୍କ ସହ ଘରୁ ଫେରାର ହୋଇଯାଇଥିଲେ। କିନ୍ତୁ ପରିବାର ଲୋକେ ଯୁବତୀଙ୍କୁ ଫେରାଇ ଆଣିଥିଲେ। ଏପରିକି ପୂର୍ବରୁ ମଧ୍ୟ ଯୁବତୀ ଜଣକ ଘରୁ ଚାଲିଯାଇଥିଲେ। କିନ୍ତୁ ପୋଲିସର କହିବା ଅନୁଯାୟୀ, ରବିବାର ଯୁବତୀ ଜଣକ ବେକରେ ରଶି ଲଗାଇ ଘରେ ଆମତ୍ହତ୍ୟା କରିଥିଲେ। ଏଥିରେ ପରିବାର ଲୋକେ ଭୟଭୀତ ହୋଇପଡି ମୃତଦେହକୁ ଉକ୍ତ ନାଳା ନିକଟକୁ ନେଇ ଫିଙ୍ଗି ଦେଇ ଚାଲିଆସି ନିଖୋଜ ଅଭିନୟ କରିଥିଲେ। ପରବର୍ତ୍ତୀ ସମୟରେ ସମ୍ପୃକ୍ତ ଯୁବତୀଙ୍କ ମୃତଦେହ ନାଲ ନିକଟରେ ପଡିଥିବା ସୂଚନା ଦେଇଥିଲେ। ହେଲେ ସୋମବାର ପରିବାର ଲୋକେ ଘଟଣା ସମ୍ପର୍କରେ ସତ କହିବା ସହ ଆମତ୍ହତ୍ୟା କରିଥିବା ରଶି ପୋଲିସକୁ ଜିମା ଦେଇଥିବା ଭାରପ୍ରାପ୍ତ ଥାନା ଅଧିକାରୀ ବାସୁଦେବ ବୋଇ କହିଛନ୍ତି।