ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ ସେବକ ରୂପେ କାର୍ଯ୍ୟ କରୁଥିବା ତାଙ୍କ ସ୍ତ୍ରୀଙ୍କ ସହ ରହୁଥିଲେ। ଅପହୃତ ଯୁବକ ଜଣକ ହେଲେ କନ୍ଧମାଳ ଜିଲା ତୁମୁଡିବନ୍ଧ ଥାନା କରୁକୁଡୁପା ଗ୍ରାମର ଶିବରା ଦିଗାଲଙ୍କ ପୁଅ ଫିଲିମନ ଦିଗାଲ। ଏଥିରେ ଜଡିତ ଥିବା ସନ୍ଦେହ କରି ଯୁବକଙ୍କ ସ୍ତ୍ରୀ ଥାନାରେ ଏତଲା ଦେଇଛନ୍ତି। ଏପରି ଘଟଣା ପୁରୀ ଜିଲା ଯୋଡ଼ାପଦର ଥାନା ଅଞ୍ଚଳରେ ଘଟିଛି।

ଅଭିଯୋଗ ଅନୁଯାୟୀ, କନ୍ଧମାଳ ଜିଲା ତୁମୁଡିବନ୍ଧ ଥାନା କରୁକୁଡୁପା ଗ୍ରାମର ଫିଲିମନ ପୁରୀ ଜିଲା କୃଷ୍ଣ ପ୍ରସାଦ ଥାନା ଅନ୍ତର୍ଗତ ଖଲାମୁହଁ ଗ୍ରାମର ମୋହନ ବେହେରାଙ୍କ ଝିଅ ଝାନ୍ସୀ ବେହେରାଙ୍କୁ ଗତ ଜାନୁୟାରୀ ୨୨ ତାରିଖରେ ପ୍ରେମ ବିବାହ କରିଥିଲେ। କନ୍ଧମାଳ ଜିଲା ବାଲିଗୁଡ଼ା ବ୍ଲକ ଗୁମୁଡ଼ୁମହା ଗ୍ରାମରେ ଗ୍ରାମ୍ୟ ଡାକ ସେବକ ଭାବେ ଝାନ୍‌ସୀ କାର୍ଯ୍ୟ କରୁଥିଲେ। ପରେ ଝାନ୍ସିଙ୍କ ପୁରୀ ଜିଲା ଆଳିବାଡ଼ ଗ୍ରାମ୍ୟ ଡାକସେବା କେନ୍ଦ୍ରକୁ ବଦଳି ହେବାରୁ ସେହି ସ୍ଥାନକୁ ଯାଇ ନିଜ କାର୍ଯ୍ୟରେ ଯୋଗ ଦେଇଥିଲେ। ନିକଟସ୍ଥ କଟକଣା ଗ୍ରାମରେ ଏକ ଭଡ଼ା ଘରେ ଝାନ୍‌ସୀ ଓ ଫିଲମାନ ରହି ଆସୁଥିଲେ। ଗତ ୯ ତାରିଖ ସାନ୍ଧ୍ୟାରେ ଫିଲିମାନଙ୍କୁ ଝାନ୍ସୀଙ୍କ ବାପା ମୋହନ ବଜାର ଯିବାକୁ ଡାକିଥିଲେ। ଫିଲିମନ ନିଜ ବାଇକ୍‌ରେ ମୋହନଙ୍କ ପାଖକୁ ଯାଇ ତାଙ୍କୁ ବସାଇ ବଜାର ଆଡ଼କୁ ଯାଉଥିବାବେ ମୋହନ କିଛି ବାହାନା କରି ବାଇକ୍‌ରୁ ଓହ୍ଲାଇ ଜ୍ୱାଇଁ ଫିଲିମାନଙ୍କୁ ଛାଡି ଚାଲି ଯାଇଥିଲେ। ପରେ ଫିଲିମନଙ୍କ ଫୋନ ଆସିବାରୁ ଝାନ୍ସୀ ଫୋନ ଉଠାଇଥିଲେ। ମୋତେ ବଞ୍ଚାଅ, ମୋତେ ବଞ୍ଚାଅ ବୋଲି ଫିଲିମନଙ୍କ ସ୍ବର ଶୁଣାଯାଇ ଫୋନ କଟି ଯାଇଥିଲା। ଝାନ୍ସୀ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚତ୍ଥିଲେ ମଧ୍ୟ ଫିଲିମନଙ୍କୁ ପାଇ ନ ଥିଲେ। ବାପା ମୋହନଙ୍କୁ ଫିଲିମନଙ୍କ ସମ୍ପର୍କରେ ପଚାରିବାରୁ ସେ କିଛି କହି ନ ଥିଲେ। ପରେ ଝାନ୍‌ସୀ ଗାଡ଼ିଶାଗଦା ଥାନାକୁ ଯାଇ ଘଟଣା ସମ୍ପର୍କରେ ଲିଖିତ ଅଭିଯୋଗ କରିଥିଲେ। ତେବେ ଘଟଣାକୁ ୫ ଦିନ ବିତି ଯାଇଥିଲେ ସୁଦ୍ଧା ସ୍ଥାନୀୟ ପୋଲିସ ସନ୍ତୋଷଜନକ ପଦକ୍ଷେପ ଗ୍ରହଣ କରିନାହିଁ। ବାପା ହିଁ ଲୋକ ଲଗେଇ ମୋ ସ୍ବାମୀଙ୍କୁ ଅପହରଣ କରାଇଛନ୍ତି ବୋଲି ଝାନ୍‌ସୀ ସନ୍ଦେହ ପ୍ରକାଶ କରି ଏତଲାରେ ଉଲ୍ଲେଖ କରିଛନ୍ତି। ଏନେଇ ୧୯/୨୬ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ପୋଲିସ କହିଛି।

Dharitri – Odisha’s No.1 Odia Daily

Share