ଝିଅ ବାହାଘର ପାଇଁ ଗୁଆ ନିମନ୍ତ୍ରଣ ଦେବାକୁ ଯାଉଥିଲେ, ସାମ୍ନାରୁ ପିଟିଲା ବାଇକ୍‌; ଚାଲିଗଲା…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ଗ୍ରାମ ସମବାୟ କାର୍ଯ୍ୟାଳୟ ନିକଟରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ ଟାରେ ରେ ୨ ଟି ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ସାନଖେମୁଣ୍ଡି ବ୍ଲକ ଧରମପୁର ଗ୍ରାମର ସିମାଞ୍ଚଳ ଦୋରା(୫୦), କଂସାମାରି ଗ୍ରାମର ହେମନ୍ତ ଦୋରା(୪୫) ଏବଂ ସାଗର ନାୟକ (୨୫) ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ସାଗର ନାୟକଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ଦୁଇ ଜଣଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡି ଦିଆଯାଇଛି।

ଆସନ୍ତା ଫେବୃଆରୀ ୨୪ରେ  ହେମନ୍ତଙ୍କ ଝିଅ ବାହାଘର ପାଇଁ ପିୟୁସା ସିମାଞ୍ଚଳଙ୍କୁ ବାଇକରେ ବସାଇ ଗୁଆ ନିମନ୍ତ୍ରଣ ଦେବାକୁ ଯାଉଥିଲେ। ବିପରୀତ ଦିଗରୁ ସାଗର ଦୃତଗତିରେ ବାଇକ ଯୋଗେ ଆସି ହେମନ୍ତଙ୍କ ବାଇକକୁ ଧକ୍କା ଦେବାରୁ ଦୁର୍ଘଟଣା ଘଟିଥିବା କିଛି ପ୍ରତ୍ୟକ୍ଷଦର୍ଶି କହିଛନ୍ତି। ଖବର ପାଇ ପାଟପୁର ଥାନା ପୋଲିସ ଟିମ୍ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ମୃତଦେହ ଜବତ କରିଛନ୍ତି। ବୁଧବାର ସକାଳେ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ବ୍ୟବଚ୍ଛେଦ କରାଯିବା ପରେ ମୃତଦେହକୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ କହିଛି।

Dharitri – Odisha’s No.1 Odia Daily

Share