ତୁମେ କିଛି ଜାଣିନ

ଆପଣଙ୍କୁ ଯଦି କିଏ କହିବ ତୁମେ କିଛି ଜାଣିନ। ନିଶ୍ଚିତ ଆପଣ ପ୍ରତିକ୍ରିୟାଶୀଳ ହୋଇପଡ଼ିବେ। ଆବଶ୍ୟକସ୍ଥଳେ ଉଚ୍ଚବାଚ ବି ହୋଇପାରେ। ନିଜକୁ ସମ୍ଭାଳି ପାରିବେନି। କେହି କେହି କାହାର ତୁଣ୍ଡ ଲାଗିବା ଉଚିତ ନୁହେଁ ଭାବି ଚୁପ ବି ରହିଯିବେ। ଅଥଚ ନିଜ ଭିତରେ ବ୍ୟଥିତ ହେବେ। ଏମିତି ବ୍ୟଥିତ ହୋଇ ପାର୍କର ଏକ ବେଞ୍ଚ୍‌ରେ ବସିଥିଲେ ସେ ଦିନ ଶଶିଶେଖରବାବୁ। ଶଶିଶେଖରବାବୁ ଆଉ ଅଳ୍ପ କିଛି ମାସରେ ଚାକିରିରୁ ଅବସର ନେବେ। ଦେଖୁ ଦେଖୁ ବିଷଣ୍ଣ ବଦନରେ କହିଲେ – ‘ଶୁଣନ୍ତୁ! ଆପଣ ତ ଏତେ କଥା ଲେଖୁଛନ୍ତି , କହିଲେ ସତରେ ମଣିଷ କିଛି ଜାଣେନି। ଆସି ବୁଢାବୟସ ହେଲା ଏବେବି ମୋତେ କିଛି ଜାଣିନି ବୋଲି କହିଲେ କ’ଣ ଲାଗିବ କହିଲ! ‘ଶଶିଶେଖରବାବୁଙ୍କ ମରମ ବ୍ୟଥାକୁ ବୁଝିବା କ’ଣ ସହଜ ା ଦୂରକୁ ଦେଖି ଡଙ୍ଗର ବିଷୟରେ ଗପିବା କିମ୍ବା ହିଡ଼ରେ ଥାଇ ନଦୀ ପାଣିର ଗଭୀରତାକୁ ଅନୁମାନ କରିବା ଯାହା ସେହି ସମୟରେ ଶଶିଶେଖରବାବୁଙ୍କ କଥାକୁ ବୁଝିବା ତାହା। ଅନେକ ସମୟରେ ଏମିତି ପରିସ୍ଥିତିର ସାମ୍ନା କରେ ମଣିଷ। ଲୋକଙ୍କ ଭିଡ଼ ଭିତରେ ହଠାତ୍‌ ଆପଣଙ୍କୁ ଦୃଷ୍ଟି ଆକର୍ଷଣ କଲାଭଳି କେହି କହିବେ ଆପଣ କିଛିଜାଣି ନାହାନ୍ତି। ବାକିଲୋକ ଆପଣଙ୍କୁ ଚାହିଁବେ। ସେତେବେଳେ ଆପଣଙ୍କ ଇଚ୍ଛା ହେବ ଆଗେ ଯାଇ ଦି ଚାପଡ ଥୋଇଦିଏ ତେଣିକି ପଛ କଥା ଯାହା। କିନ୍ତୁ ଅସଲରେ ମଣିଷ କିଛି କରିପାରେନା। ଖାଲି ଭିତରେ ଭିତରେ ସେହି ଲୋକଟିକୁ ବହେ ଶୋଧିବା ଏବଂ ବାହାରେ ଅନ୍ୟ ଲୋକଙ୍କ ସହ ନିଜର ରୋଷକୁ ବ୍ୟକ୍ତ କରି ସନ୍ତୁଷ୍ଟିଲାଭ କରିବା ବ୍ୟତୀତ କିଛି ଚାରା ନ ଥାଏ। ମଣିଷ ନିଜର ମାପଦଣ୍ଡରେ ଅନ୍ୟକୁ ତଉଲିବାକୁ ଚେଷ୍ଟା କରିଥାଏ ସବୁବେଳେ। ମୁଁ ଏମିତି କରିପାରୁଛି ସେ କି ପାଇଁ ନାହିଁ ା ସେ କରିପାରୁଛି ଯଦି ତୁ କି ପାଇଁ ନାହିଁ ା ପୁଣି ଯୋଡି କହିବେ ସେ ବି ମଣିଷ ତୁ ବି ମଣିଷ। ସମାନ ଅଙ୍ଗପ୍ରତ୍ୟଙ୍ଗ ଥାଇ ଜଣେ କରିପାରୁଛି। କିନ୍ତୁ ଆର ଜଣକ କାହିଁକି ନାହିଁ। ବିଶେଷକରି ଚାକିରି କ୍ଷେତ୍ରରେ ଅଧସ୍ତନଙ୍କୁ, ଅଭିଭାବକ ନିଜ ପିଲାଙ୍କୁ, ମାଲିକ ତା’ର କର୍ମଚାରୀଙ୍କୁ ଏଭଳି ଅପରିପକ୍ୱ ଉଦାହରଣ ଦିଏ। ତୁଳନା କରିବାରେ ଆମେ ସବୁ ଓସ୍ତାଦ। କିନ୍ତୁ ମଣିଷ -ମଣିଷ ଭିତରେ ଅନେକ ପ୍ରଭେଦ ରହିଛି ା ଶକ୍ତି, ସାମର୍ଥ୍ୟ ଓ ମେଧା ଦୃଷ୍ଟିରୁ ଜଣେ ଆରକ ମଧ୍ୟରେ ଅନେକ ଫରକ ଥାଏ ସେ କଥାକୁ ଅନେକ ଲୋକ ଭୁଲି ଯାଆନ୍ତି।
ପାରିବାରିକ କ୍ଷେତ୍ରରେ ଏଭଳି ତୁଳନାର ପଟ୍ଟାନ୍ତର ନାହିଁ। ପ୍ରତିକଥାରେ ମା’ବାପା ଓ ପରିବାରର ବଡ଼ମାନେ କହିଚାଲନ୍ତି ନାନା କଥା। ଏହା ଅନେକ ସମୟରେ ପିଲାଙ୍କ ଭିତରେ ପ୍ରତିକୂଳ ପ୍ରଭାବ ପକାଇଥାଏ। ଅନେକ କ୍ଷେତ୍ରରେ ପିଲାଟି ଭୟାନକ ପଦକ୍ଷେପ ନେଇଯାଏ। ପିଲାଟି ଜନ୍ମ ହୋଇ ବଡ଼ ହେଲାବେଳେ ତା’ଠାରୁ ବଡ଼ମାନେ କଥାକଥାରେ କହିବେ ଆରେ ତୁ ଛୁଆଟେ ! କ’ଣ ବୁଝିବୁ। ତୁ କିଛି ଜାଣିନୁ। ଚୁପ ରହ। ବଡ଼ଲୋକଙ୍କ କଥାରେ ମୁଣ୍ଡ ପୂରାନା। ପିଲାଟି ଚୁପ୍‌ ରହିଯାଏ। ସ୍କୁଲକୁ ଗଲେ ଶିକ୍ଷକ ବି କହିଦିଅନ୍ତି ତୁ କିଛି ଜାଣିନୁ। ଶିଖିବାକୁ ଚେଷ୍ଟା କର। ଅମୁକ ପରି ହେବାକୁ ଉଦ୍ୟମ କର। ସେଇଠି ତା’ର ବିକାଶରେ ବ୍ରେକ୍‌ ଲାଗିଯାଏ ଅନେକାଂଶରେ। କିଶୋର ବୟସ ହେଲେ ଆହୁରି ବେଶି ନଜର ବଡ଼ଙ୍କର ା କ’ଣ ସବୁ ଅଡୁଆ କାମ ଭିତରେ ପଶି ଯାଇନି ତ! ଏ ବୟସରେ ସେ କ’ଣ ଜାଣିଛି! ଏମିତି ଭାବନା ଭିତରେ ବେଶି ବେଶି ତାଗିଦ। ବୟସ ବଢିଲେ ଘରେ ବାହାରେ ଲୋକେ କହିବେ ଆପଣ କିଛିଜାଣି ନାହାନ୍ତି। ଘର ଲୋକ କହିବେ ଆଉଟ୍‌ଡେଟେଡ୍‌ ଭର୍ସନ। ଯୁଗ ସହ ତାଳ ଦେଇ ଚାଲି ପାରୁନ। ଯୁଗୋପଯୋଗୀ ହେବାକୁ ପଡିବ ଇତ୍ୟାଦି ଇତ୍ୟାଦି। ଧୀର ସ୍ଥିର ଭାବରେ ଜୀବନକୁ ଆଗକୁ ବଢ଼େଇଲା ପରେ ବି ଶାନ୍ତି ନାହିଁ। ପରିଣତ ବୟସରେ ବି ପୁଅଝିଅ କହିବେ ତୁମେ କିଛିଜାଣିନ। ଚାକିରି କଲସିନା କିଛି ଜାଣି ପାରିଲନି ା ନଚେତ ମା’କୁ କହିବେ ତୁ ଘର ଭିତରେ ରହିରହି କିଛି ଜାଣିପାରିଲୁନି। ଦୁନିଆ କୁଆଡେ ନା କୁଆଡେ ଗଲା। ତୁମେ ସବୁ ମାନ୍ଧାତା ଅମଳରେ ରହିଛ। ଛୁଆ ଭଳି ହେଉଛ। ଟିକେ ତ ସ୍ମାର୍ଟ ହୁଅ। ଏତିକିରେ ବୟସ୍କ ମଣିଷର ଆଖିରୁ ଲୁହଝରେ। ହୃଦୟ ମନ୍ଥିହୋଇଯାଏ। କିଛି ଉତ୍ତର ଦେବାକୁ ବି ସାହସ କୁଳାଏନି। ଶେଷରେ ଏସବୁ ଶୁଣୁଥିବା ନାତିନାତୁଣୀ ଦିନେ କହିବେ ତୁମେ କିଛିଜାଣିନ। ଏସବୁ ମଜାଲାଗେ ପିଲାଙ୍କ ତୁଣ୍ଡରୁ ଶୁଣିବା। କିନ୍ତୁ ସାମଗ୍ରିକ ଭାବରେ ଦେଖିଲେ ମଣିଷ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ତାହା ହେଲେ କେଉଁଠି ଜାଣିଲା !
ଜୀବନ ତମାମ ନ ଜାଣିବା ପଣରେ ସେ ବଞ୍ଚିଲା। ସବୁ ସ୍ତରରେ ମଣିଷ କିଛି ବି ଜାଣିଲା ନାହିଁ। ଯଦିଓ ସବୁ ମଣିଷ ସବୁ ବିଷୟରେ ଜାଣିବା ଜରୁରୀ ତାହା ନୁହେଁ। ନ ଜାଣି ବି ଚୁପ୍‌ ରହିବା ଆଦୌ ଉଚିତ ନୁହଁ। ବିଶାଳ ଦୁନିଆ ଭିତରେ ମଣିଷର ପାରଦର୍ଶିତା ସୀମିତ। ତା’ର ଉତ୍କର୍ଷ ନିର୍ଦ୍ଦିଷ୍ଟ ଅଥବା କିଛି ଦିଗରେ ଥାଇପାରେ। ଅନେକ ଦିଗରେ ସେ ଅଜ୍ଞ ରହିବା ସ୍ବାଭାବିକ। ଏହା ତା’ର ଅବୁଝାପଣ। ନିଜ ନିଜ ସ୍ତରରେ ସମୀକ୍ଷା କଲାବେଳେ ମଣିଷ ଜାଣିପାରେ ନିଜର କାଢୁଆପଣ। ସେ କେଉଁଥିରେ କେତେ ପାରଙ୍ଗମ ନିଜ ଭିତରେ ଅସୁମାରୀ ଶୂନ୍ୟତା ଓ ଅଜ୍ଞତା ଥାଇ ଅନେକ ସମୟରେ ନିଜର ପଦ ଓ ପ୍ରତିଷ୍ଠାର ଅପବ୍ୟବହାର କରନ୍ତି ବହୁତ ଲୋକ। ଅନ୍ୟକୁ ଖରାପ ବ୍ୟବହାର ପ୍ରଦର୍ଶନ କରନ୍ତି। ସବୁ କିଛି ଜାଣିବାର ଯିଏ ଆସ୍ଫର୍ଦ୍ଧା ରଖେ, ବାସ୍ତବରେ ସେ ସମସ୍ତଙ୍କ ନିକଟରେ ନିନ୍ଦିତ ହେବା ଥୟ। ଏକଥା ବି ସତ ଯେ ନିଜ ନିଜ ବୃତ୍ତି ଓ ବେଉଷା ଭିତରେ ଅନେକ କଥା ଜୀବନତମାମ ଜାଣି ହୁଏନା। ଗଭୀର ଓ ଗହନ କଥାକୁ ହେଜି ହୁଏନା। ତା’ ସତ୍ତ୍ୱେ ସେଇ ସେଇ କର୍ମରେ ଯେ ସାଧାରଣ କଥାକୁ ଯଦି ଜାଣିପାରିବାନି କିମ୍ବା ବୁଝିପାରିବାନି, ତେବେ ହୁଏତ ଆମର ଅଜ୍ଞତା ଆମ ପାଇଁ ନିଶ୍ଚିତ ସମସ୍ୟା। ଆଉ ତୁମେ କିଛି ଜାଣିନ ବୋଲି ଅପବାଦ ମୁଣ୍ଡେଇବା ଶିରୋଧାର୍ଯ୍ୟ। ଶୁଣିବା, ଦେଖିବା ଓ ଜାଣିବା। ଜାଣିଲେ ଯାଇ ଜିଣିବା। ଏତେ କଥା ଶୁଣିବା ପରେ ଶଶିଶେଖରବାବୁ ଏଥର ଦୀର୍ଘଶ୍ୱାସ ଛାଡିଲେ ଓ ଠୋଠୋ ହୋଇ ହସିଲେ। କହିଲେ – ”ଭାବୁଥିଲି ମୁଁ ହିଁ ଏସବୁର ଶିକାର ହୋଇଛି। କିନ୍ତୁ କେଡ଼େ ସହଜରେ ବୁଝେଇଦେଲ ଯେ ଏହା ଘର ଘରର କଥା। ସବୁ ପାରିବାରିକ ମଣିଷମାନେ ଶୁଣି ଆସୁଛନ୍ତି – ତୁମେ କିଛିଜାଣିନ! ମନଟା ହାଲୁକା ହୋଇଗଲା ମଣିଷର ା“ ଏଥର ମୁଁ ଚାଲିଲି କହି ପୁଳାଏ ଖୁସିକୁ ନେଇ ବସିବା ସ୍ଥାନରୁ ଉଠିଚାଲିଲେ।

ଡ. ଦ୍ୱିତୀଚନ୍ଦ୍ର ସାହୁ
ଇନ୍ଦିରା ନଗର, ଚତୁର୍ଥ ଗଳି, ରାୟଗଡା
ମୋ: ୯୪୩୭୯୦୯୬୭୧