ଲକ୍ଷ୍ନୌ,୧୩।୨: ଉତ୍ତରପ୍ରଦେଶ ବଜେଟ ଅଧିବେଶନରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସମାଜବାଦୀ ପାର୍ଟି (SP) କୁ କଡ଼ା ସମାଲୋଚନା କରିଛନ୍ତି। ମାଘ ମେଳାରେ ଘଟିଥିବା ଘଟଣାକୁ ନେଇ ସେ ବିରୋଧୀ ଦଳକୁ ଘେରିବା ସହ ଶଙ୍କରାଚାର୍ଯ୍ୟ ଅଭିମୁକ୍ତେଶ୍ୱରାନନ୍ଦଙ୍କ ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି।
ଶଙ୍କରାଚାର୍ଯ୍ୟ ଅଭିମୁକ୍ତେଶ୍ୱରାନନ୍ଦଙ୍କୁ ନେଇ ଯୋଗୀ କହିଛନ୍ତି ଯେ, ସନାତନ ଧର୍ମରେ ଶଙ୍କରାଚାର୍ଯ୍ୟଙ୍କ ପଦ ସର୍ବୋଚ୍ଚ ଏବଂ ଅତ୍ୟନ୍ତ ପବିତ୍ର। ପ୍ରତ୍ୟେକ ବ୍ୟକ୍ତି ନିଜ ନାମ ଆଗରେ ଶଙ୍କରାଚାର୍ଯ୍ୟ ଲେଖି ପରିବେଶ ଖରାପ କରିପାରିବେ ନାହିଁ। ସମାଜବାଦୀ ପାର୍ଟିକୁ ଟାର୍ଗେଟ କରି ସେ ପଚାରିଛନ୍ତି, “ଯଦି ସେ ପ୍ରକୃତରେ ଶଙ୍କରାଚାର୍ଯ୍ୟ ଥିଲେ, ତେବେ ବାରାଣସୀରେ ଆପଣଙ୍କ ସରକାର ସମୟରେ ତାଙ୍କ ଉପରେ ଲାଠିଚାର୍ଜ କାହିଁକି ହୋଇଥିଲା ଏବଂ କାହିଁକି FIR ରୁଜୁ ହୋଇଥିଲା?”
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମାଘ ମେଳାରେ ମୌନୀ ଅମାବାସ୍ୟା ଦିନ ପ୍ରାୟ ୪.୫ କୋଟି ଶ୍ରଦ୍ଧାଳୁ ଆସିଥିଲେ। ଯେଉଁ ସମୟରେ ଶ୍ରଦ୍ଧାଳୁମାନେ ‘ଏକ୍ଜିଟ ଗେଟ୍’ ଦେଇ ବାହାରକୁ ଯାଉଥିଲେ, ସେହି ସମୟରେ ଭିତରକୁ ପ୍ରବେଶ କରିବା ପାଇଁ ଚେଷ୍ଟା କରିବା ଦ୍ୱାରା ଦଳାଚକଟା(Stampede) ଭଳି ପରିସ୍ଥିତି ସୃଷ୍ଟି ହୋଇଥାନ୍ତା। ଜଣେ ଦାୟିତ୍ୱବାନ ବ୍ୟକ୍ତି ଏପରି ଆଚରଣ କରିବା ଉଚିତ ନୁହେଁ।
ଯୋଗୀ କହିଛନ୍ତି, “ଆଇନ ସମସ୍ତଙ୍କ ପାଇଁ ସମାନ। ମୁଖ୍ୟମନ୍ତ୍ରୀ ହେଉ କି ସାଧାରଣ ଜନତା, ଆଇନ କାହାରି ପାଇଁ ଅଲଗା ନୁହେଁ। ଯଦି ମୁଁ ଅପରାଧ କରେ, ତେବେ ମୋ ପାଇଁ ମଧ୍ୟ ସେହି ସମାନ ଆଇନ ଲାଗୁ ହେବ।” ସେ ସପାକୁ ଉଦାହରଣ ଦେଇ କହିଛନ୍ତି ଯେ, କେହି ବି ମନ୍ତ୍ରୀ ବୋର୍ଡ ଲଗାଇ ବୁଲିପାରିବେ ନାହିଁ କିମ୍ବା ଯିଏ ଚାହିଁବ ସେ ସପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ହୋଇପାରିବେ ନାହିଁ। ସବୁଠି ଏକ ସିଷ୍ଟମ ବା ବ୍ୟବସ୍ଥା ରହିଛି। ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ ତାଙ୍କ ସରକାର ଆଇନ ପାଳନ କରିବା ଏବଂ କରାଇବା ଉଭୟ ଭଲଭାବେ ଜାଣିଛି।
ଯୋଗୀଙ୍କ ଏହି କଡ଼ା ଆଭିମୁଖ୍ୟ ପରେ ୟୁପି ରାଜନୀତିରେ ପୁଣିଥରେ ‘ସନାତନ ମର୍ଯ୍ୟାଦା’ ଏବଂ ’ଆଇନର ସମାନତା’କୁ ନେଇ ଚର୍ଚ୍ଚା ଜୋର ଧରିଛି।
Dharitri – Odisha’s No.1 Odia Daily