ରକ୍ତଚାପ କମାଇବ ଯୋଗ

ରକ୍ତଚାପ ବା ବ୍ଲଡ ପ୍ରେସର ଏବେ ଏକ ସାଧାରଣ ସମସ୍ୟା ପାଲଟି ଗଲାଣି। ହେଲେ ଏହାକୁ ହାଲୁକା ଭାବରେ ନେବା ଆଦୌ ଠିକ୍‌ ନୁହେଁ। କାରଣ ଯଦି ରକ୍ତଚାପ ଦୀର୍ଘଦିନ ଧରି ଅସନ୍ତୁଳିତ ରହିଲା ତେବେ ତାହା ପରୋକ୍ଷରେ ଆଉ କେତେକ ରୋଗ ସୃଷ୍ଟି କରିଥାଏ। ଏଭଳି ସମସ୍ୟା ଦେଖାଦେଲେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ନିୟମିତ ଔଷଧ ଖାଇବାକୁ ପଡିଥାଏ। କେବଳ ସେତିକି ନୁହେଁ, ରକ୍ତଚାପ କେତେ ରହୁଛି ତାହାକୁ ନିର୍ଦ୍ଦିଷ୍ଟ ବ୍ୟବଧାନରେ ମାପିନେବା ଦରକାର। ତେବେ ଏହା କିପରି ସନ୍ତୁଳିତ ରହିବ ସେ ନେଇ ଏକ ସହଜ ତଥା ସରଳ ଉପାୟ ରହିଛି। ତାହା କ’ଣ ଜାଣନ୍ତି ? ଯଦି ଜଣେ ବ୍ୟକ୍ତି ନିୟମିତ ଯୋଗ କରନ୍ତି ତେବେ ତାଙ୍କର ରକ୍ତଚାପ ଅନେକାଂଶରେ ସନ୍ତୁଳିତ ରହିଥାଏ ବୋଲି ଲଣ୍ଡନ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ଏକ ସର୍ଭେରୁ ଜାଣିପାରିଛନ୍ତି। ଏଭଳି ସମସ୍ୟା ସହ ଜଡିତ କେତେକ ବ୍ୟକ୍ତିଙ୍କୁ ନିୟମିତ ଯୋଗ କରିବାକୁ ସେମାନେ ପରାମର୍ଶ ଦେଇଥିଲେ। ଅନ୍ୟପକ୍ଷରେ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ରକ୍ତଚାପ ମାପିବାରୁ ଏହା କେତେକାଂଶରେ ସନ୍ତୁଳିତ ରହୁଥିଲା ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।

Dharitri – Odisha’s No.1 Odia Daily

Share