ଭଞ୍ଜନଗର,୬।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବିଜେଡିକୁ ଶୁକ୍ରବାର ପୁଣି ଆଉ ଏକ ଶକ୍ତଧକ୍କା ଲାଗିଛି। ପୂର୍ବତନ ଭଞ୍ଜନଗର ବ୍ଲକ ଯୁବ ବିଜେଡ଼ି ସଭାପତି ତଥା ପୂର୍ବତନ ସରପଞ୍ଚ କୁଲୁ ଭୂୟାଁ ଏବଂ ଦଳର ବର୍ତ୍ତମାନର ବ୍ଲକ ଯୁବ ବିଜେଡ଼ି ସଭାପତି ତଥା ପୂର୍ବତନ ସରପଞ୍ଚ ଟୁଟୁ ପ୍ରଧାନ ଦଳ ଛାଡ଼ି କଂଗ୍ରେସରେ ଯୋଗ ଦେଇଛନ୍ତି। କଂଗ୍ରେସର ପରିବେଶ ବଞ୍ଚାଅ, ସମ୍ଭିଧାନ ବଞ୍ଚାଅ ସଭା ହିଞ୍ଜିଳିକାଟୁ ଠାରେ ଅନୁଷ୍ଟିତ ହେଉଥିଲା। ଉକ୍ତ ସଭାରେ କୁଲୁ ଏବଂ ଟୁଟୁ ସମେତ ତାଙ୍କ ସମର୍ଥକ ମାନେ ଯୋଗ ଦେଇଥିଲେ। ଏହା ପୂର୍ବରୁ କୁଲୁଙ୍କ ନେତୃତ୍ୱରେ ତାଙ୍କ ସମର୍ଥକମାନେ ଏକ ରାଲିରେ ଭଞ୍ଜନଗରରୁ ବାହାରି ହିଞ୍ଜିଳିକାଟୁ ଯାଇଥିଲେ। ସେମାନଙ୍କ କଂଗ୍ରେସରେ ଯୋଗଦାନ ପରେ ଭଞ୍ଜନଗରରେ କଂଗ୍ରେସର ଶକ୍ତି ବଢ଼ଥିବା ଚର୍ଚ୍ଚା ହେଉଛି।
ସୂଚନାଯୋଗ୍ୟ, ଆଜକୁ ଏକ ବର୍ଷ ପୂର୍ବେ ଭାଜପା ବିଧାୟକ ପ୍ରାର୍ଥୀ ପ୍ରଦ୍ୟୁମ୍ନ କୁମାର ନାୟକ ବିଜେଡିର ଟାଣୁଆ ନେତା ତଥା ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କୁ ପରାସ୍ତ କରି ପ୍ରଦ୍ୟୁମ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଏହା ପରଠୁ ବିକ୍ରମ ଆଉ ଦଳୀୟ କାର୍ଯ୍ୟକ୍ରମରେ ସକ୍ରିୟ ରହି ନ ଥିଲେ। ଫଳରେ ନିର୍ବାଚନମଣ୍ଡଳୀର ଅନେକ ବିଜେଡି ନେତା ଓ କର୍ମୀ, ସରପଞ୍ଚ, ସମିତିସଭ୍ୟ ପ୍ରଦ୍ୟୁମ୍ନଙ୍କ ନେତୃତ୍ୱକୁ ସମର୍ଥନ ଜଣାଇ ଭାଜପାରେ ମିଶିଥିଲେ। ଆଉ କିଛି ବିଜେଡି ନେତା
ଏବେବି ଭାଜପାରେ ମିଶିବା ପାଇଁ ଚେଷ୍ଟା ଚଳାଇଛନ୍ତି। ଅନ୍ୟପଟେ କୁଲୁ ଏବଂ ତାଙ୍କ ସମର୍ଥକ ବିଧାୟକ ରମେଶ ଜେନାଙ୍କ ସହ ଆଜକୁ କିଛି ମାସ ହେବ ଯୋଗସୂତ୍ରରେ ଥିଲେ। ଆଜି ପିସିସି ସଭାପତି ଭକ୍ତ ଚରଣ ଦାସ, ଏଆଇସିସି ପ୍ରଭାରୀ ଅଜୟ ଲାଲୁ ଗଞ୍ଜାମ ଜିଲା ଗସ୍ତରେ ଆସିଥିବା ସମୟରେ କୁଲୁ ଏବଂ ତାଙ୍କ ସମର୍ଥକ କଂଗ୍ରେସରେ ମିଶିଥିଲେ।