ନୂଆଦିଲ୍ଲୀ,୨୨।୫: ରାଜସ୍ଥାନ ରୟାଲ୍ସରେ ସବୁକିଛି ଠିକ ନାହିଁ କି? ଯଶସ୍ବୀ ଜୈସୱାଲ ଏବଂ ରାଜସ୍ଥାନ ଫ୍ରାଞ୍ଚାଇଜ ମାଲିକଙ୍କ ମଧ୍ୟରେ ସବୁକିଛି ଠିକ ନାହିଁ କି? IPL ୨୦୨୫ରେ ଫ୍ରାଞ୍ଚାଇଜର ଏକମାତ୍ର ଖେଳାଳି ଭାବେ ୫୦୦ରୁ ଅଧିକ ରନ କରିଥିବା ଜୈସଓ୍ବାଲ ରାଜସ୍ଥାନ ଛାଡ଼ି କେକେଆର୍ ଯିବେ ବୋଲି ଚର୍ଚ୍ଚା ଏବେ ବଢ଼ିବାରେ ଲାଗିଛି।
କହିବାକୁ ଗଲେ ଏଭଳି ଖବର ପ୍ରସାର ପଛରେ ଯଶସ୍ବୀଙ୍କ ଏକ ସୋସିଆଲ ମିଡିଆ ପୋଷ୍ଟ ରହିଛି।
ଇନଷ୍ଟାଗ୍ରାମରେ ସେ କରିଥିବା ପୋଷ୍ଟରେ ରାଜସ୍ଥାନ ରୟାଲ୍ସକୁ ଧନ୍ୟବାଦ ଜଣାଇଛନ୍ତି। ସେ ଲେଖିଛନ୍ତି, ସବୁକିଛି ପାଇଁ ରାଜସ୍ଥାନ ରୟାଲ୍ସକୁ ଧନ୍ୟବାଦ। ଆମେ ଯେପରି ଚାହୁଁଥିଲୁ, ସିଜନ ଠିକ ସେହିପରି ନ ଥିଲା, କିନ୍ତୁ ଏହି ଯାତ୍ରା ପାଇଁ ଧନ୍ୟବାଦ।
ଜୈସୱାଲଙ୍କ ଏହି ପୋଷ୍ଟ ଆସିବା ପରେ, ସୋସିଆଲ ମିଡିଆରେ ଚର୍ଚ୍ଚା ସରଗରମ ରହିଛି। ସେ ରାଜସ୍ଥାନ ରୟାଲ୍ସ ଛାଡିବେ ବୋଲି କୁହାଯାଉଛି। ଟ୍ରେଡ ୱିଣ୍ଡୋ ଅଧୀନରେ ରାଜସ୍ଥାନରୁ KKR ଯାଇପାରନ୍ତି ବୋଲି କିଛି ବ୍ୟବହାରକାରୀ କହିଛନ୍ତି। କିନ୍ତୁ ବଡ଼ ପ୍ରଶ୍ନ ହେଉଛି ଏହି ସମ୍ପୂର୍ଣ୍ଣ ଘଟଣା ପଛରେ ସତ୍ୟ କ’ଣ?
ଏମିତିରେ ଜୈସଓ୍ବାଲ ପରେ ଇନଷ୍ଟାଗ୍ରାମରେ କରିଥିବା ପୋଷ୍ଟକୁ ସଂଶୋଧନ କରିଛନ୍ତି। ପୋଷ୍ଟରେ କେବଳ ଗୋଟିଏ ଶବ୍ଦ ଯୋଡ଼ିବା ପରେ ସମ୍ପୂର୍ଣ୍ଣ ଅର୍ଥ ବଦଳି ଯାଇଛି। କାରଣ ସେ ନିଜ ପୋଷ୍ଟରେ ‘ଟୁଗେଦର’ଲେଖିବାକୁ ଭୁଲି ଯାଇଥିଲେ, ଯାହାର ଅର୍ଥ ଏକାଠି। ଅର୍ଥାତ ସେ ରାଜସ୍ଥାନ ରୟାଲ୍ସ ସହିତ ଯାତ୍ରା କରିବା ଏବଂ ସେହି ଫ୍ରାଞ୍ଚାଇଜ ନ ଛାଡିବା ବିଷୟରେ କହିଥିଲେ।
ଏହି ପୋଷ୍ଟରୁ ସ୍ପଷ୍ଟ ହୋଇଛି ଯେ ଯଶସ୍ବୀ ରାଜସ୍ଥାନ ରୟାଲ୍ସ ଛାଡିବା ନେଇ ସୋସିଆଲ ମିଡିଆରେ ଯେଉଁ ଗୁଜବ ବ୍ୟାପିଛି, ସେ କେକେଆରକୁ ଯାଇପାରନ୍ତି ବୋଲି ଅନୁମାନ କରାଯାଉଛି, ବର୍ତ୍ତମାନ ଏଥିରେ କୌଣସି ସତ୍ୟତା ନାହିଁ।