ଭୁଲ ନିଷ୍ପତ୍ତି ନେଇ ଜୈସଓ୍ବାଲଙ୍କୁ ଦିଆଗଲା ଆଉଟ୍‌, ରାଗରେ ନିଆଁବାଣ ହୋଇ ଗାଭାସ୍କର କହିଦେଲେ ଏମିତି

ମେଲବୋର୍ନ,୩୦।୧୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ମେଲବୋର୍ନ ଟେଷ୍ଟରେ ଯୁବ ବ୍ୟାଟ୍ସମ୍ୟାନ ଯଶସ୍ବୀ ଜୈସଓ୍ବାଲଙ୍କ ଆଉଟ୍‌ ହେବାକୁ ନେଇ ବିବାଦ ଦେଖାଦେଇଛି। ଏହି ଖେଳାଳିଙ୍କୁ କ୍ୟାଚ୍‌ ଆଉଟ୍‌ ଦେବାକୁ ନେଇ ସୁନୀଲ ଗାଭାସ୍କର ରାଗରେ ନିଆଁବାଣ ହୋଇଛନ୍ତି। ସେ ଅମ୍ପାୟାରମାନଙ୍କ ଉପରେ ରାଗ ଶୁଝାଇଛନ୍ତି। କେବଳ ଏତିକି ନୁହେଁ ଷ୍ଟାଡିୟମରେ ଉପସ୍ଥିତ ପ୍ରଶଂସକ ମଧ୍ୟ ଜୈସଓ୍ବାଲଙ୍କ ଆଉଟ୍‌କୁ ନେଇ ଖପ୍ପା ନଜର ଆସିଥିଲେ। ସେମାନେ ମଇଦାନରେ ଚିଟର୍‌-ଚିଟର୍‌ ସ୍ଲୋଗାନ ଦେଇଥିଲେ।

ଏହି ଘଟଣା ଭାରତର ଦ୍ୱିତୀୟ ଇନିଂସର ୭୧ ତମ ଓଭରର। ପ୍ୟାଟ୍‌ କମିନ୍ସଙ୍କ ଏହି ଓଭରର ୫ମ ବଲ୍‌ରେ ଯଶସ୍ବୀ ପୁଲ୍‌ ଶଟ୍‌ ଖେଳିଥିଲେ। ଉଇକେଟକିପର ଆଲେକ୍ସ କ୍ୟାରି ଡାଇଭ୍‌ ଲଗାଇ କ୍ୟାଚ୍‌ ଧରିଥିଲେ। ଅମ୍ପାୟାର ଏହାକୁ ନଟ୍‌ଆଉଟ୍‌ ଦେଇଥିଲେ। ହେଲେ କମିନ୍ସ ନିଶ୍ଚିତ ଥିଲେ ଯେ ବଲ୍‌ ଜୈସଓ୍ବାଲଙ୍କ ବ୍ୟାଟ୍‌ରେ ବାଜିଛି। ଏଣୁ ସେ ରିଭ୍ୟୁ ନେଇଥିଲେ।

ଅମ୍ପାୟାର ସବୁଦିଗରୁ ବଲ୍‌କୁ ଦେଖିଥିଲେ। ରିପ୍ଲେରେ ଡିଫ୍ଲେକ୍ସନ ସ୍ପଷ୍ଟ ନଜର ଆସୁଥିଲା। ହେଲେ ଯେବେ ସ୍ନିକୋରେ ଦେଖାଗଲା କିଛି ଜଣାପଡ଼ି ନ ଥିଲା। ଏମିତିରେ ପ୍ରଶଂସକ ଭାବିଥିଲେ ଯେ ଜୈସଓ୍ବାଲ ଆଉଟ୍‌ ନୁହନ୍ତି। ହେଲେ ଥର୍ଡ ଅମ୍ପାୟାର ଫିଲ୍ଡ ଅମ୍ପାୟାରଙ୍କୁ ନିଷ୍ପତ୍ତି ବଦଳାଇବାକୁ କହିଥିଲେ। ଅମ୍ପାୟାର ଆଉଟ୍‌ ଦେବା ମାତ୍ରେ ଗାଭାସ୍କର ଗର୍ଜି ଉଠିଥିଲେ। ଜୈସଓ୍ବାଲ ମଧ୍ୟ ମଇଦାନ ଛାଡ଼ିବା ପୂର୍ବରୁ ଅମ୍ପାୟାରଙ୍କ ସହ କଥା ହେଉଥିବା ନଜର ଆସିଥିଲେ, କାରଣ ସେ ଏଥିରେ ଖୁସି ନ ଥିଲେ।

ଗାଭାସ୍କର ନିଷ୍ପତ୍ତିରେ ସହମତ ନ ଥିଲେ। ସେ କହିଥିଲେ ଯେ, ଯଦି ଟେକ୍ନୋଲୋଜି ଉପରେ ବିଶ୍ୱାସ ନାହିଁ ତେବେ ତାହାକୁ ବ୍ୟବହାର କରନ୍ତୁ ନାହିଁ। ଏହା ବିଲ୍‌କୁଲ ଭୁଲ ନିଷ୍ପତ୍ତି ଥିଲା। ତେବେ ଜୈସଓ୍ବାଲଙ୍କୁ ଏହି ଶଟ୍‌ ଖେଳିବା ଉଚିତ ନ ଥିଲା ବୋଲି ମଧ୍ୟ ସେ କହିଥିଲେ।

Share
Tags: Sports News