ଓଭାଲ,୨।୮: ଭାରତୀୟ ଦଳର ଓପନର ଯଶସ୍ବୀ ଜୟସ୍ବାଲ ଇଂଲଣ୍ଡ ବିପକ୍ଷେ ଓଭାଲ ଟେଷ୍ଟ ମ୍ୟାଚର ଦ୍ବିତୀୟ ଇନିଂସରେ ଏକ ଜବରଦସ୍ତ ଶତକ ହାସଲ କରିଛନ୍ତି। ୧୨୭ ବଲରେ ୧୧ଟି ଚୌକା ଓ ୨ଟି ଛକା ସହାୟତାରେ ସେ ଏହି ଶତକ ପୂରଣ କରିଛନ୍ତି। ଏହା ତାଙ୍କ ଟେଷ୍ଟ କ୍ୟାରିଅରର ଷଷ୍ଠ ଶତକ ଏବଂ ଇଂଲଣ୍ଡ ବିପକ୍ଷରେ ଚତୁର୍ଥ ଶତକ। ତାଙ୍କ ଏହି ଇନିଂସ ଯୋଗୁ ଟିମ୍ ଇଣ୍ଡିଆ ଶେଷ ଟେଷ୍ଟ ମ୍ୟାଚରେ ମଜବୁତ ସ୍ଥିତିରେ ପହଞ୍ଚିଛି।
ପ୍ରଥମ ଇନିଂସରେ ମାତ୍ର ୨ ରନରେ ଆଉଟ ହେବା ପରେ ଯଶସ୍ବୀ ଦ୍ବିତୀୟ ଇନିଂସରେ ଉଲ୍ଲେଖନୀୟ ପ୍ରତ୍ୟାବର୍ତ୍ତନ କରି ଏହି ଶତକ ହାସଲ କରିଛନ୍ତି। ଏଭଳି ଏକ ସମୟରେ ତାଙ୍କ ପରିବାର ଷ୍ଟାଡିୟମରେ ଉପସ୍ଥିତ ଥିଲେ। ଏହା ତାଙ୍କ ଟେଷ୍ଟ କ୍ୟାରିଅରରେ ଷଷ୍ଠ ଶତକ, ଯେଉଁଥିରୁ ୪ଟି ଇଂଲଣ୍ଡ ବିପକ୍ଷରେ ସେ ମାରିଥିବାବେଳେ ଗୋଟିଏ ଅଷ୍ଟ୍ରେଲିଆ ଓ ଗୋଟିଏ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ହାସଲ କରିଛନ୍ତି।
ପୂର୍ବରୁ ଯଶସ୍ବୀ ଲିଡ୍ସ ଟେଷ୍ଟ ମ୍ୟାଚର ପ୍ରଥମ ଇନିଂସରେ ୧୦୧ ରନର ଏକ ଶତକୀୟ ଇନିଂସ ଖେଳିଥିଲେ। ଏହା ସହିତ ସେ ଏଜବେଷ୍ଟନରେ ୮୭ ରନ ଓ ମାନଚେଷ୍ଟରରେ ୫୮ ରନର ଦୁଇଟି ଅର୍ଦ୍ଧଶତକୀୟ ଇନିଂସ ମଧ୍ୟ ଖେଳିଛନ୍ତି। ଏହି ଟେଷ୍ଟ ସିରିଜରେ ସେ ଦୁଇଥର ଶୂନରେ ଆଉଟ ହୋଇଛନ୍ତି।
ତେବେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଯଶସ୍ବୀ ୨୦୦୦ ରନ ପୂରଣ କରି ମହାନ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ଓ ବିରାଟ କୋହଲିଙ୍କୁ ପଛରେ ପକାଇଛନ୍ତି। ଏଜବେଷ୍ଟନ ଟେଷ୍ଟ ମ୍ୟାଚ୍ ସମୟରେ ସେ ନିଜର ୪୦ତମ ଟେଷ୍ଟ ଇନିଂସରେ ଏହି ମାଇଲଖୁଣ୍ଟ ହାସଲ କରିଥିଲେ। ଏହା ସହିତ ସେ ଭାରତ ପାଇଁ ସବୁଠାରୁ କମ ଇନିଂସରେ ୨୦୦୦ ରନ ପୂରଣ କରିଥିବା ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡ଼ ଓ ପୂର୍ବତନ ଓପନର ବୀରେନ୍ଦ୍ର ସେହୱାଗଙ୍କ ସହ ଯୁଗ୍ମ ରେକର୍ଡ କରିଛନ୍ତି।