ମୁମ୍ବାଇ: WWEର ମହାନ ରେସଲର ‘ଦ ଅଣ୍ଡରଟେକର’ଙ୍କ ନାମ ଶୁଣି ରିଙ୍ଗରେ ବଡ଼ ବଡ଼ ଖେଳାଳିମାନେ ଭୟରେ ଥରହର ହୁଅନ୍ତି। ୬ ଫୁଟ ୧୦ ଇଞ୍ଚ ଲମ୍ବା ଓ ୧୫୦ କିଲୋ ଓଜନର ଏହି ରେସଲର ବକ୍ସିଂ ବେଳେ ଆହୁରି ଭୟଙ୍କର ହୋଇଉଠନ୍ତି। ଦୁଇ ବର୍ଷ ତଳେ ଅବସର ନେଇଥିବା ଅଣ୍ଡରଟେକର ସବୁବେଳେ ଅନ୍ୟ ଖେଳାଳିଙ୍କୁ ଭୟଭୀତ କରିଛନ୍ତି। ଅନେକେ ଭାବୁଥିବେ ସେ କାହାକୁ ଭୟ କରୁ ଥାଇ ନ ପାରନ୍ତି। ହେଲେ ଏହା ଭୁଲ୍। ଏହି ଦୁର୍ଦ୍ଦାନ୍ତ ରେସଲରଙ୍କୁ ଏକ ଛୋଟ ଜିନିଷ ଏବେ ମଧ୍ୟ ଭୟଭୀତ କରେ, ତାହା ହେଉଛି କାକୁଡ଼ି! ହଁ, ଅଣ୍ଡରଟେକରଙ୍କୁ କାକୁଡ଼ି ଦେଖିଲେ ଭୟ ଲାଗେ ଏବଂ ସେ ଏହାକୁ ଏଡାଇ ଯାଆନ୍ତି। ଏହି ଆଶ୍ଚର୍ଯ୍ୟଜନକ ତଥ୍ୟର ଖୁଲାସା କରିଛନ୍ତି ତାଙ୍କର ପୂର୍ବତନ ମ୍ୟାନେଜର ପଲ ବିୟରର ଏକ ସାକ୍ଷାତକାରରେ।
WWEରେ ‘ମୃତ୍ୟୁର ଦୂତ’ ଭାବେ ପରିଚିତ ଅଣ୍ଡରଟେକର ଏକ ଛୋଟ କାକୁଡ଼ି ଦେଖିଲେ ମଧ୍ୟ ଭୟଭୀତ ହୋଇଯାଆନ୍ତି। ପଲ ବିୟରର ଏକ ସାକ୍ଷାତକାରରେ କହିଛନ୍ତି ଯେ ଥରେ ଅଣ୍ଡରଟେକର ଏକ ହୋଟେଲରେ ରହୁଥିବା ବେଳେ ସକାଳ ଜଳକିଆରେ କାକୁଡ଼ି ଖାଇଥିଲେ, ଯାହା ପରେ ତାଙ୍କୁ ବାନ୍ତି ହୋଇଥିଲା। ଏହାପରେ ରାତ୍ରିଭୋଜନରେ କାକୁଡ଼ି ଦେଖିବା ମାତ୍ରେ ତାଙ୍କୁ ପୁନର୍ବାର ବାନ୍ତି ହୋଇଥିଲା। ଏହା ପରଠାରୁ ଅଣ୍ଡରଟେକର କାକୁଡ଼ି ଦେଖିଲେ ଭୟ କରନ୍ତି। ଏହା ପ୍ରଥମ ଥର ନୁହେଁ। ଅଣ୍ଡରଟେକର ଯେତେବେଳେ ୮ ବର୍ଷର ଥିଲେ, ସେ କିଛି କାକୁଡ଼ି ଖାଇଥିଲେ, ଯାହା ଫଳରେ ତାଙ୍କ ସ୍ବାସ୍ଥ୍ୟ ଖରାପ ହୋଇଯାଇଥିଲା। ଏହା ପରେ ସେ କାକୁଡ଼ି ଖାଇବାକୁ ମନା କରୁଥିଲେ। ଏପରି ମଧ୍ୟ ହୋଇଛି ଯେ ରିଙ୍ଗରେ ମୁକାବିଲା ସମୟରେ କିଛି ରେସଲର ଅଣ୍ଡରଟେକରଙ୍କୁ ଭୟଭୀତ କରିବା ପାଇଁ କାକୁଡ଼ି ଆଣୁଥିଲେ। ରେସଲର ଓୱେନ ହାର୍ଟ ଏକ ସାକ୍ଷାତକାରରେ ଏହି ଘଟଣାର ଖୁଲାସା କରିଥିଲେ।
ଅଣ୍ଡରଟେକର WWEର ଅନ୍ୟତମ ସଫଳ ଷ୍ଟାର ମଧ୍ୟରୁ ଜଣେ। ସେ ଅନେକ ବିଶ୍ୱ ଚାମ୍ପିୟନଶିପ ଜିତିଛନ୍ତି। ୧୯୯୦ରେ ସେ ପ୍ରଥମେ ରିଙ୍ଗରେ ପାଦ ଦେଇ ତତ୍କାଳୀନ ସୁପରଷ୍ଟାର ହଲ୍କ ହୋଗାନଙ୍କୁ ପରାସ୍ତ କରିଥିଲେ। ରେସଲମାନିଆରେ ତାଙ୍କର ୨୫-୨ ରେକର୍ଡ ଅତ୍ୟନ୍ତ ପ୍ରଶଂସନୀୟ, ଯେଉଁଥିରେ ପ୍ରାୟ ଦୁଇ ଦଶନ୍ଧି ପର୍ଯ୍ୟନ୍ତ ୨୧-୦ ରେକର୍ଡ ଅତୁଟ ଥିଲା। ଅଣ୍ଡରଟେକର ଚାରିଥର WWE ଚାମ୍ପିୟନ ଏବଂ ଛଅଥର WWE ଟ୍ୟାଗ ଟିମ ଚାମ୍ପିୟନଶିପ ଜିତିଛନ୍ତି। ୨୦୦୭ରେ ସେ ରୟାଲ ରମ୍ବଲ ଜିତି ଇତିହାସ ରଚିଥିଲେ। ଦୁଇ ବର୍ଷ ତଳେ ଅଣ୍ଡରଟେକର ରିଙ୍ଗରୁ ଅବସର ନେଇଥିଲେ, କିନ୍ତୁ ତାଙ୍କର କିମ୍ବଦନ୍ତୀ ଏବଂ କାକୁଡ଼ି ସହ ଜଡ଼ିତ ଏହି ରୋଚକ କାହାଣୀ ଏବେ ମଧ୍ୟ ଚର୍ଚ୍ଚାରେ ରହିଛି।