ଭୁଲ୍‌ରେ କଟି ଯାଇଛି କି ଟ୍ରାଫିକ୍‌ ଚାଲାଣ? ତୁରନ୍ତ କରନ୍ତୁ ଏହି କାମ, ଦେବାକୁ ପଡ଼ିବ ନାହିଁ ଜରମାନା 

ନୂଆଦିଲ୍ଲୀ,୧୮।୯: ଅନେକ ସମୟରେ ଟ୍ରାଫିକ ନିୟମ ଉଲ୍ଲଂଘନ ନ କରିଥିଲେ ମଧ୍ୟ ଅନେକ ଗାଡ଼ି ଚାଳକଙ୍କ ବିରୁଦ୍ଧରେ ଭୁଲ ଇ-ଚାଲାଣ ଜାରି ହୋଇଥାଏ। ଏହା କେତେବେଳେ ସିସିଟିଭି କ୍ୟାମେରାର ତ୍ରୁଟି କାରଣରୁ ହୁଏ, ତ କେତେବେଳେ ଟ୍ରାଫିକ ପୋଲିସର ଅବହେଳା ଯୋଗୁ। ଏପରି ପରିସ୍ଥିତିରେ ଲୋକଙ୍କୁ ଅନାବଶ୍ୟକ ଜରିମାନା ଦେବାକୁ ପଡ଼ିଥାଏ। କିନ୍ତୁ ଏବେ ଆପଣଙ୍କୁ ଚିନ୍ତା କରିବାର ଆବଶ୍ୟକତା ନାହିଁ, କାରଣ କିଛି ସହଜ ପଦକ୍ଷେପ ଗ୍ରହଣ କରି ଆପଣ ଭୁଲ ଚାଲାଣ ପୈଠ କରିବାରୁ ମୁକ୍ତି ପାଇପାରିବେ।
ଯଦି ଆପଣଙ୍କ ଚାଲାଣ ଭୁଲ ଭାବେ କଟାଯାଇଛି, ତେବେ ପ୍ରଥମେ ଆପଣ ଟ୍ରାଫିକ କମିଶନର, ଏସ୍‌ପି ଟ୍ରାଫିକ କିମ୍ବା ସମ୍ବନ୍ଧୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ ଦାଖଲ କରିପାରିବେ। ତଦନ୍ତ ପରେ ଆପଣଙ୍କ ଜରିମାନା ରଦ୍ଦ ହୋଇପାରେ।
ଇମେଲ ଓ ଫୋନ ମାଧ୍ୟମରେ ମିଳିବ ସହାୟତା:
ଯଦି ଅଧିକାରୀଙ୍କସ୍ତରରେ ଶୁଣାଣି ନ ହୁଏ, ତେବେ ଆପଣ ନିଜ ରାଜ୍ୟର ଟ୍ରାଫିକ ପୋଲିସର ଅଫିସିଆଲ ଇମେଲ ଆଇଡିକୁ ଇମେଲ ପଠାଇ ପାରିବେ। ଏହା ବ୍ୟତୀତ, ଟ୍ରାଫିକ ପୋଲିସ କଣ୍ଟ୍ରୋଲ ରୁମକୁ ଫୋନ କରି ମଧ୍ୟ ଆପଣ ଅଭିଯୋଗ ଦାଖଲ କରିପାରିବେ।
ସୋସିଆଲ ମିଡିଆ ଓ କୋର୍ଟର ସହାୟତା:
ଆଜିକାଲି ଟୁଇଟର(ଏକ୍ସ), ଫେସବୁକ ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମରେ ମଧ୍ୟ ଅଭିଯୋଗ ଦାଖଲ କରିବା ସହଜ। ଆପଣ ନିଜ ଅଭିଯୋଗକୁ ଟ୍ରାଫିକ ବିଭାଗ କିମ୍ବା ସମ୍ବନ୍ଧୀୟ ଅଧିକାରୀଙ୍କୁ ଟ୍ୟାଗ କରି ପୋଷ୍ଟ କରିପାରିବେ। ଯଦି ଏହା ପରେ ମଧ୍ୟ ସମସ୍ୟାର ସମାଧାନ ନ ହୁଏ, ତେବେ ଆପଣ ଲୋକ ଅଦାଲତରେ ଯାଇ ଚାଲାଣକୁ ଚ୍ୟାଲେଞ୍ଜ କରିପାରିବେ।
ଅନଲାଇନ ଅଭିଯୋଗ ପ୍ରକ୍ରିୟା:  
-ଭୁଲ ଚାଲାଣର ଅଭିଯୋଗ echallan.parivahan.gov.in ରେ ମଧ୍ୟ ଦାଖଲ କରାଯାଇପାରିବ।
– ୱେବସାଇଟରେ ଯାଇ Complaint ଅପ୍ସନ ଉପରେ କ୍ଲିକ କରନ୍ତୁ।
– ଗ୍ରିଭାନ୍ସ ସିଷ୍ଟମ ପେଜରେ ନିଜର ନାମ, ମୋବାଇଲ ନମ୍ବର ଓ ଚାଲାଣ ନମ୍ବର ପୂରଣ କରନ୍ତୁ।
– ସବମିଟ କରିବା ପରେ ଆପଣଙ୍କ ଅଭିଯୋଗ ରେଜିଷ୍ଟର୍ଡ ହେବ ଏବଂ ପୋଲିସ ବିଭାଗ ଏହାର ତଦନ୍ତ କରିବ।
– ଯଦି ଅପଡେଟ ନ ମିଳେ, ତେବେ ଆପଣ ୱେବସାଇଟ ମାଧ୍ୟମରେ ନିଜ ଅଭିଯୋଗର ସ୍ଥିତି ମଧ୍ୟ ଟ୍ରାକ କରିପାରିବେ।
ଗୁରୁତ୍ୱପୂର୍ଣ୍ଣ କଥା:  
ଭୁଲ ଟ୍ରାଫିକ ଚାଲାଣ କଟାଯିବା ପରିସ୍ଥିତିରେ ଆପଣଙ୍କୁ ତୁରନ୍ତ ଜରିମାନା ଦେବାର ଆବଶ୍ୟକତା ନାହିଁ। ସଠିକ ପ୍ରକ୍ରିୟା ଅନୁସରଣ କରି ଅଭିଯୋଗ ଦାଖଲ କଲେ ଆପଣ କେବଳ ଅନାବଶ୍ୟକ ଜରିମାନାରୁ ମୁକ୍ତି ପାଇବେ ନାହିଁ, ବରଂ ସିଷ୍ଟମରେ ସୁଧାର ଆଣିବାରେ ମଧ୍ୟ ସହଯୋଗ କରିପାରିବେ।