କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ବାହାରିଲେ ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ,୨୯।୫: ଦିଲ୍ଲୀର ନୂଆ ସଂସଦ ଭବନ ସମ୍ମୁଖରେ ରବିବାର କୁସ୍ତିଯୋଦ୍ଧା ଏବଂ ପୋଲିସ ମଧ୍ୟରେ ସଂଘର୍ଷ ହୋଇଥିଲା। ଯାହାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ହୋଉଛି। ଏହି ସମୟରେ ଭାଜପା ଏମ୍‌ପି ବ୍ରିଜ ଭୂଷଣ ଶରଣ ସିଂ ଏବଂ ରେସଲରଙ୍କ ମଧ୍ୟରେ ହୋଇଥିବା ବିବାଦ ଉପରେ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ରେସଲରିଙ୍କ ଦାବି ଉପରେ ତଦନ୍ତ ହେବା ଉଚିତ୍‌। ନିରପେକ୍ଷ ଅନୁସନ୍ଧାନର ଏକ ମାନକ ମାନଦଣ୍ଡ ହେଉଛି ଯେ ଯେଉଁ ବ୍ୟକ୍ତିଙ୍କ ଉପରେ ଅଭିଯୋଗ କରାଯାଉଛି, ସେ ଅଭିଯୁକ୍ତ କି ନୁହେଁ ତାହା କେବଳ ଯାଞ୍ଚ ପରେ ସ୍ଥିର ହେବ, କିନ୍ତୁ ସେହି ବ୍ୟକ୍ତି ତାଙ୍କ ପଦରୁ ଇସ୍ତଫା ଦେଇ ଦେବା ଉଚିତ୍‌। ଯାହା ଦ୍ୱାରା ମାମଲାର ନିରପେକ୍ଷ ଯାଞ୍ଚ ହୋଇପାରିବ। ପ୍ରଶାନ୍ତ କିଶୋର କହିଛନ୍ତି , ଭାରତର ବଡ଼ ବଡ଼ ଖେଳାଳିମାନେ ଅଭିଯୋଗ କରିଛନ୍ତି, ତେଣୁ ଏହି ଅଭିଯୋଗଗୁଡ଼ିକର ସଠିକ୍‌ ଯାଞ୍ଚ ପାଇଁ ସରକାର ଏହି ପ୍ରସଙ୍ଗକୁ ଗମ୍ଭୀରତାର ସହିତ ଗ୍ରହଣ କରିବା ଉଚିତ୍‌।