ଭଦୋଦରା,୨୯ା୧- ଚଳିତ ଓମେନ୍ସ ପ୍ରିମିୟର ଲିଗ୍ (ଡବ୍ଲ୍ୟୁପିଏଲ୍)ରେ ଗୁରୁବାର ଖେଳାଯାଇଥିବା ଲିଗ୍ ମ୍ୟାଚ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍ସିବି) ଅତି ସହଜରେ ୮ ଉଇକେଟରେ ୟୁପି ଓ୍ବାରିଅର୍ସକୁ ପରାସ୍ତ କରିଛି। ୟୁପି ପକ୍ଷରୁ ଧାର୍ଯ୍ୟ ୧୪୪ ରନର ବିଜୟ ଲକ୍ଷ୍ୟକୁ ଆର୍ସିବି ୧୩.୧ ଓଭରରେ ୨ ଉଇକେଟ ହରାଇ ହାସଲ କରି ନେଇଥିଲା। ଏହି ବିଜୟ ସହ ସ୍ମୃତି ମନ୍ଧାନାଙ୍କ ନେତୃତ୍ୱାଧୀନ ଆର୍ସିବି ଫାଇନାଲରେ ସ୍ଥାନ ପକ୍କା କରିଥିବା ବେଳେ ୟୁପି ଓ୍ବାରିଅର୍ସ ପ୍ରଥମ ଦଳ ଭାବେ ପ୍ଲେଅଫ୍ରୁ ବାଦ୍ ପଡ଼ିଛି।
ପ୍ରଥମେ ବ୍ୟାଟିଂ କରିଥିବା ୟୁପି ଦଳ ପାଇଁ ଅଧିନାୟିକା ମେଗ ଲାନିଂ (୪୧ ରନ, ୬ ଚୌକା ଓ ୧ ଛକା) ଓ ଦୀପ୍ତି ଶର୍ମା ଭଲ ଆରମ୍ଭ ଦେଇଥିଲେ। ଦୁହେଁ ଓପନିଂ ଉଇକେଟରେ ୮.୧ ଓଭରରେ ୭୪ ରନ ଯୋଡ଼ିଥିଲେ। ଏହି ଯୋଡ଼ି ଭାଙ୍ଗିବା ପରେ ଗୋଟିଏ ପଟେ ଦୀପ୍ତି ଭଲ ବ୍ୟାଟିଂ କରୁଥିବା ବେଳେ ଅନ୍ୟ ପଟେ ଉଇକେଟ ପତନ ଜାରି ରହିଥିଲା। ଦୀପ୍ତି ଅର୍ଦ୍ଧଶତକ ପୂରଣ କରିବା ପରେ ୧୯ତମ ଓଭରରେ ଷଷ୍ଠ ବ୍ୟାଟର ଭାବେ ଆଉଟ୍ ହୋଇଥିଲେ। ସେ ଆଉଟ୍ ହେବା ପୂର୍ବରୁ ୪୩ ବଲରେ ୬ ଚୌକା ଓ ୧ ଛକା ସହିତ ୫୫ ରନ କରିଥିଲେ। ୟୁପି ନିର୍ଦ୍ଧାରିତ ୨୦ ଓଭରରେ ୮ ଉଇକେଟ ହରାଇ ୧୪୩ ରନ କରିବାକୁ ସକ୍ଷମ ହୋଇଥିଲା। ଆର୍ସିବି ପାଇଁ ନାଦିନେ ଡି କ୍ଲର୍କ ସର୍ବାଧିକ ୪ ଉଇକେଟ ନେଇଥିଲେ।
ଜବାବରେ ଗ୍ରେସ ହାରିସ ଓ ଅଧିନାୟିକା ମନ୍ଧାନା ୯.୧ ଓଭରରେ ୧୦୮ ରନ କରି ଦଳର ବିଜୟ ନିଶ୍ଚିତ କରିଥିଲେ। ଗ୍ରେସ ୩୭ ବଲରେ ୭୫ (୧୩ ଚୌକା ଓ ୨ ଛକା) ରନ କରି ଆଉଟ୍ ହେବା ପରେ ଜର୍ଜିଆ ଭଲଙ୍କ ସହ ମିଶି ମନ୍ଧାନା ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ। ୧୨ତମ ଓଭରରେ ଦଳୀୟ ସ୍କୋର ୧୪୩ ହୋଇଥିବା ଜର୍ଜିଆ (୧୬) ଦ୍ୱିତୀୟ ବ୍ୟାଟର ଭାବେ ଆଉଟ୍ ହେଇଥିଲେ। ୧୩ ତମ ଓଭରର ପ୍ରଥମ ବଲକୁ ମନ୍ଧାନା ଚୌକା ମାରି ଦଳକୁ ଜିତାଇଥିଲେ। ସେ ୨୭ ବଲରେ ୮ ଚୌକା ଓ ୨ ଛକା ସହ ୫୪ ରନ କରି ଅପରାଜିତ ରହିଥିଲେ। ଆର୍ସିବି ୧୩.୧ ଓଭରରେ ୨ ଉଇକେଟ ହରାଇ ୧୪୭ ରନ କରି ନେଇଥିଲା।