Categories: Home Leftଖେଳ

ଡବ୍ଲ୍ୟୁପିଏଲ୍‌-୪ କାର୍ଯ୍ୟସୂଚୀ ଘୋଷିତ

ମୁମ୍ବାଇ,୨୯ା୧୧: ଆସନ୍ତା ବର୍ଷ ଜାନୁଆରୀ ୯ ତାରିଖରୁ ଆରମ୍ଭ ହେବାକୁ ଥିବା ଓମେନ୍ସ ପ୍ରିମିୟର ଲିଗ୍‌ (ଡବ୍ଲ୍ୟୁପିଏଲ୍‌)ର ଚତୁର୍ଥ ସଂସ୍କରଣ ଲାଗି ଶନିବାର କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।

ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି)କୁ ଡିଓ୍ବାଇ ପାଟିଲ ଷ୍ଟାଡିୟମରେ ଭେଟିବ। ଟୁର୍ନାମେଣ୍ଟ ଇତିହାସରେ ପ୍ରଥମ ଥର ପାଇଁ ଫାଇନାଲ ମ୍ୟାଚ୍‌ ସପ୍ତାହନ୍ତରେ ହେବ ନାହିଁ। ଫାଇନାଲ ଫେବୃଆରୀ ୫ ତାରଖ ତଥା ଗୁରୁବାର ହେବ। ସମାନ ସପ୍ତାହରେ ପୁରୁଷ ଟି୨୦ ବିଶ୍ୱକପ୍‌ ଆରମ୍ଭ ହେଉଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି।

ଦୁଇଟି ଭେନ୍ୟୁରେ ହେବାକୁ ଥିବା ଡବ୍ଲ୍ୟୁବିଏଲ୍‌ରେ ୨୮ ଦିନ ମଧ୍ୟରେ ମୋଟ ୨୨ ମ୍ୟାଚ୍‌ ଖେଳାଯିବ। ଚଳିତ ମାସରେ ଭାରତୀୟ ମହିଳା ଦଳ ବିଶ୍ୱକପ୍‌ ଟ୍ରଫି ଉଠାଇଥିବା ଭେନ୍ୟୁ ଡିଓ୍ବାଇ ପାଟିଲ ଷ୍ଟାଡିୟମରେ ପ୍ରଥମ ୧୧ ମ୍ୟାଚ୍‌ ଖେଳାଯିବ। ଏହାପରେ ଟୁର୍ନାମେଣ୍ଟର ଦ୍ୱିତୀୟାର୍ଦ୍ଧ ଭଦୋଦରାସ୍ଥିତ କୋଟାମ୍ବି ଷ୍ଟାଡିୟମରେ ଖେଳାଯିବ। ଏହି ଭେନ୍ୟୁ ଫାଇନାଲ ଓ ଏଲିମିଟେର ମ୍ୟାଚ୍‌ ମଧ୍ୟ ଖେଳାଯିବ।

ପ୍ରଥମ ଥର ପାଇଁ ଡବ୍ଲ୍ୟୁପିଏଲ୍‌ ଜାନୁଆରୀ-ଫେବୃଆରୀରେ ଅନୁଷ୍ଠିତ ହେବାକୁ ଯାଉଛି। ପୂର୍ବରୁ ଏହି ଲିଗ୍‌ ଆଇପିଏଲ୍‌ ଆରମ୍ଭ ହେବା ପୂର୍ବରୁ ଫେବୃଆରୀ-ମାର୍ଚ୍ଚରେ ହେଉଥିଲା। ଟୁର୍ନାମେଣ୍ଟର ଫର୍ମାଟରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ମୁମ୍ବାଇ ଇଣ୍ଡିଆନ୍ସ, ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ, ୟୁପି ଓ୍ବାରିଅର୍ଜ, ଗୁଜରାଟ ଜାଏଣ୍ଟ୍ସ ଓ ଦିଲ୍ଲୀ କ୍ୟାପିଟାଲ ଆଦି ଦଳ ପରସ୍ପର ମଧ୍ୟରେ ରାଉଣ୍ଡ ରବିନ ଭିତ୍ତରେ ଦୁଇଟି ଲେଖାଏ ମ୍ୟାଚ୍‌ ଖେଳିବେ।

Share