Categories: Home Leftଖେଳ

WPL 2026: ଶେଷ ବଲ୍‌ରେ ରୋମାଞ୍ଚକର ବିଜୟ, ୟୁପିକୁ ହରାଇ ଚଳିତ ସିଜନରେ ଦିଲ୍ଲୀର ପ୍ରଥମ ବିଜୟ

ମୁମ୍ବାଇ,୧୪।୧: ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ରେ ଦେଖିବାକୁ ମିଳିଛି ଏକ ହାଇ-ଭୋଲଟେଜ୍ ମ୍ୟାଚ୍। ନବି ମୁମ୍ବାଇର ଡି.ୱାଇ ପାଟିଲ୍ ଷ୍ଟାଡିୟମଠାରେ ଖେଳାଯାଇଥିବା ଏହି ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୭ ୱିକେଟରେ ୟୁପି ୱାରିୟର୍ସକୁ ପରାସ୍ତ କରିଛି। ଏହି ବିଜୟ ସହ ଦିଲ୍ଲୀ ଚଳିତ ସିଜନରେ ନିଜର ପ୍ରଥମ ପଏଣ୍ଟ ହାସଲ କରିଥିବାବେଳେ ୟୁପି ଦଳ କ୍ରମାଗତ ତୃତୀୟ ପରାଜୟ ସହ ପଏଣ୍ଟ ଟେବୁଲର ନିମ୍ନରେ ରହିଛି।

ୟୁପି ୱାରିୟର୍ସ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୧୫୪ ରନ୍ ସଂଗ୍ରହ କରିଥିଲା। ୧୫୫ ରନର ଲକ୍ଷ୍ୟକୁ ପିଛା କରୁଥିବା ଦିଲ୍ଲୀ କ୍ୟାପିଟାଲ୍ସକୁ ଓପନର ଶେଫାଳି ବର୍ମା ଓ ଲିଜେଲ ଲି’ ଶାନଦାର ଆରମ୍ଭ ଦେଇଥିଲେ। ଦୁହେଁ ପ୍ରଥମ ୱିକେଟ ପାଇଁ ୯୪ ରନର ଭାଗିଦାରୀ କରି ଦଳ ପାଇଁ ବିଜୟର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଶେଫାଳି ୩୬ ରନ୍ କରି ଆଉଟ୍ ହୋଇଥିବାବେଳେ ଲିଜେଲ ଲି’ ୬୭ ରନର ଏକ ବିସ୍ଫୋରକ ପାଳି ଖେଳିଥିଲେ।

ମ୍ୟାଚ୍‌ଟି ଶେଷ ମୁହୂର୍ତ୍ତ ଯାଏଁ ବେଶ୍ ରୋମାଞ୍ଚକର ରହିଥିଲା। ଦିଲ୍ଲୀକୁ ଶେଷ ୨ ଓଭରରେ ୧୩ ରନ୍ ଆବଶ୍ୟକ ଥିବାବେଳେ ୧୯ତମ ଓଭରରେ ଦୀପ୍ତି ଶର୍ମା ମାତ୍ର ୭ ରନ୍ ଦେଇ ଜେମିମା ରୋଡ୍ରିଗ୍ସଙ୍କ ୱିକେଟ୍ ନେଇଥିଲେ। ଫଳରେ ଶେଷ ଓଭରରେ ଦିଲ୍ଲୀକୁ ଜିତିବା ପାଇଁ ୬ ରନ୍ ଦରକାର ଥିଲା।

ଶେଷ ଦୁଇଟି ବଲ୍‌ରେ ୨ ରନ୍ ଦରକାର ଥିବାବେଳେ ମାରିଜାନେ କାପ୍‌ଙ୍କ LBW ଆଉଟ ଅପିଲ୍ ହୋଇଥିଲା, କିନ୍ତୁ ୟୁପି ଏଠାରେ ନିଜର ରିଭ୍ୟୁ ହରାଇଥିଲା। ଶେଷ ବଲ୍‌ରେ ଜିତିବା ପାଇଁ ୧ ରନ୍ ଆବଶ୍ୟକ ଥିବାବେଳେ ଲରା ୱଲଭାର୍ଟ ଚୌକା ମାରି ଦିଲ୍ଲୀକୁ ଏକ ସ୍ମରଣୀୟ ବିଜୟ ଭେଟି ଦେଇଥିଲେ।