ଜଗନ୍ନାଥଙ୍କ ଅବକ୍ଷୟ ମୂର୍ତ୍ତି ପୂଜା କଲେ ଘୁମୁସରର କ୍ଷତି ହେବ: ମନ୍ଦିର ପରିଦର୍ଶନରେ ଆସି ଏମିତି କହିଲେ ପୁରୀର…

ଭଞ୍ଜନଗର,୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ କୁଲାଡ ଭଞ୍ଜ ରାଜବଂଶର ରାଜଧାନୀ ଥିଲା। ଘୁମୁସରରେ ଭଞ୍ଜ ରାଜବଂଶ ହଜାରେ ବର୍ଷ ଶାସନ କରିଥିଲେ। ଏହି ସମୟରେ ବିଭିନ୍ନ ସମୟରେ ବିଭିନ୍ନ ରାଜାମାନେ ଘୁମୁସରରେ ବହୁ ମନ୍ଦିର ପ୍ରତିଷ୍ଠା କରିଥିଲେ। ଏଥିସହ ତାର ପରିଚାଳନା ପାଇଁ ମଧ୍ୟ ବ୍ୟବସ୍ଥା କରିଥିଲେ । ଏହିଭଳି ପ୍ରାୟ ୩୦୦ ବର୍ଷ ପୂର୍ବେ କୁଲାଡରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କରିଥିଲେ। ଯାହାକି ରାଜ୍ୟର ଏକ ପରିଚିତ ଜଗନ୍ନାଥ ମନ୍ଦିର ଭାବେ ଜଣାଶୁଣା। ମନ୍ଦିର ପରିଚାଳନା ପାଇଁ ରାଜବଂଶ ପକ୍ଷରୁ ବିପୁଳ ଜମି ଏବଂ ଅଳଙ୍କାର ଦାନ କରାଯାଇଥିଲା । କିନ୍ତୁ ୧୯୯୩ରେ ମନ୍ଦିରର ସମସ୍ତ ଅଳଙ୍କାର ଚୋରି ହୋଇଯାଇଥିଲା । ଆଜି ପର୍ଯ୍ୟନ୍ତ ଲୁଟ ଅଳଙ୍କାରର ସୁରାକ ମିଳିନାହିଁ। ଏଥିସହ ଗତ ମାସରେ ନାରାୟଣ ମନ୍ଦିରର ମୂର୍ତ୍ତି ସବୁ ଚୋରି ହୋଇଯାଇଛି । ଯାହାର ମୂଲ୍ୟ କୋଟିଏ ଟଙ୍କାର ହେବ ବୋଲି ଅଞ୍ଚଳବାସୀ କହୁଛନ୍ତି। କିନ୍ତୁ ଆଜି ପର୍ଯ୍ୟନ୍ତ ଉକ୍ତ ଚୋରି ସମ୍ପର୍କରେ କୌଣସି ସୁରାକ ମିଳିନାହିଁ। ଅନ୍ୟପଟେ କୁଲାଡ ଠାକୁରଙ୍କ ନାମରେ ଥିବା ହଜାର ହଜାର ଭରଣ ଜମିକୁ ଲୋକେ ଜବରଦଖଲ କରି ରଖିଛନ୍ତି। ଅଳ୍ପ କିଛି ଜମିରୁ ଯେଉଁ ଖଜଣା ଆସୁଛି, ସେଥିରେ ଜଗନ୍ନାଥ ମନ୍ଦିର ବହୁ କଷ୍ଟରେ ପରିଚାଳନା ହେଉଛି। ଏହିଭଳି ପରିସ୍ଥିତିରେ ମନ୍ଦିର ପରିଚାଳନା ପାଇଁ ଉପଖଣ୍ଡ ପ୍ରଶାସନ ପକ୍ଷରୁ କିଛି ମାସ ପୂର୍ବେ ଏକ ପରିଚାଳନା କମିଟି ଗଠନ କରାଯାଇଛି। ଆଗକୁ ମନ୍ଦିର ପରିଚାଳନାରେ ସୁଧାର ଆସିବ ବୋଲି ଆଶା କରାଯାଉଛି। ଏହିଭଳି ପରିସ୍ଥିତିରେ ସୋମବାର ପୁରୀ ଜଗନ୍ନାଥ ମନ୍ଦିରର ଦେବୀ ସୁଭଦ୍ରାଙ୍କ ବାଡଗ୍ରାହୀ ରାମଚନ୍ଦ୍ର ଦାସ ମହାପାତ୍ର କୁଲାଡ ଜଗନ୍ନାଥ ମନ୍ଦିର ପରିଦର୍ଶନରେ ଆସି ଜଗନ୍ନାଥଙ୍କ ଅବକ୍ଷୟ ମୂର୍ତ୍ତି ଦେଖି ଚିନ୍ତା ପ୍ରକଟ କରିଥିଲେ। ଏହାପରେ ସେ ଗଣମାଧ୍ୟମ ସମ୍ମୁଖରେ କହିଥିଲେ ଯେ ଅବକ୍ଷୟ ମୂର୍ତ୍ତି ପୂଜା କରିବା ଅଞ୍ଚଳ ପାଇଁ ଶୁଭଙ୍କର ନୁହେଁ। ପୁରୁଣା ମୂର୍ତ୍ତି ହୋଇଥିବା ଯୋଗୁ ତାହା ପୂଜା ଯୋଗ୍ୟ ନୁହେଁ। ଏହି ମୂର୍ତ୍ତି ପୂଜା କଲେ ବହୁ କ୍ଷତି ଘଟିବ। ତେଣୁ ଦେବୋତ୍ତର ବିଭାଗକୁ ଅନୁରୋଧ କରୁଛି ମୂର୍ତ୍ତି ଗୁଡ଼ିକର ନବକଳେବର କରାଯାଉ। ଏଥିପାଇଁ ଯାହା ସହଯୋଗ ଲୋଡ଼ା ଯୋଗାଇ ଦେବୁ ବୋଲି ସେ କହିଥିଲେ। ଏନେଇ ଭଞ୍ଜନଗର ଅତିରିକ୍ତ ତହସିଲଦାର ଅବିନାଶ ମହାରଙ୍କ ସହ ଯୋଗାଯୋଗ କରିବାରୁ ସେ ଏଠାରେ କହିଛନ୍ତି ଯେ ଘଟଣା ସମ୍ପର୍କରେ ପରିଚାଳନା କମିଟିରେ ଆଲୋଚନା ହେବ। ଏହାପରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଘଟଣା ସମ୍ପର୍କରେ ଜଣାଇ ଦିଆଯିବ। ଦେବୋତ୍ତର ବିଭାଗ ଯାହା ନିଷ୍ପତ୍ତି ନେବ ତାକୁ ଧରି ଆମେ ପଦକ୍ଷେପ ନେବୁ। ସୂଚନା ଯୋଗ୍ୟ, ପ୍ରତି ୧୨ ବର୍ଷକୁ ଥରେ ତିନି ଠାକୁରଙ୍କ ନବକଳେବର ହୋଇଥାଏ। କିନ୍ତୁ କୁଲାଡରେ ନବକଳେବର ବହୁବର୍ଷ ହେବ ହୋଇନାହିଁ। ତେଣୁ ଠାକୁରଙ୍କ ପ୍ରତିମୂର୍ତ୍ତି ଗୁଡ଼ିକ ଅବକ୍ଷୟ ହୋଇଗଲାଣି ବୋଲି ଅଭିଯୋଗ ହୋଇଛି। ଠାକୁରଙ୍କ ଅବକ୍ଷୟ ମୂର୍ତ୍ତି ବହୁବର୍ଷ ହେବ ପୂଜା ହେଉଥିବା ବେଳେ ଏଥିପ୍ରତି କାହାର ନଜର ପଡ଼ିନଥିଲା। ଯାହାକି ଚିନ୍ତାର ବିଷୟ। ମନ୍ଦିର ମାଳିନୀ ଘୁମୁସର ଗଡ ଓଡ଼ିଆ ଅସ୍ମିତାର ପ୍ରତୀକ । କିନ୍ତୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଭଞ୍ଜଭୂମି ଓ ସାଧନା କ୍ଷେତ୍ର ମା’ ବାଗଦେବୀ ପୀଠ ଆଜି ଆବହେଳିତ ଅବସ୍ଥାରେ ବୋଲି ବାଡଗ୍ରାହୀଙ୍କ ସହ ଆଲୋଚନା ସମୟରେ କେତେକ ବ୍ୟକ୍ତି ତାହା ପ୍ରକାଶ କରିଛନ୍ତି। ବାଡଗ୍ରାହୀଙ୍କ ଗସ୍ତ ସମୟରେ ସମାଜସେବି ପ୍ରକାଶ ଚନ୍ଦ୍ର ସାହୁ, ଶିବପ୍ରସାଦ ସାହୁ,ସଞ୍ଜୟ ପ୍ରଧାନ,ବ୍ରହ୍ମାଦାସ, ଅବନୀ ପତି, ବିନୟ ନାୟକ ଓ ମନ୍ଦିର କମିଟି କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ।

Dharitri – The Largest & Most Trusted Odia Daily