Categories: ଅନୁଗୋଳ

ଚିନ୍ତା ବଢ଼ାଇଲାଣି ଚୋରା ମଦ

ଖମାର,୨୪।୪(ଡି.ଏନ.ଏ.):  ଅନୁଗୋଳ ଜିଲା ପାଲଲହଡ଼ା ଉପଖଣ୍ଡରେ ଚୋରା ଦେଶୀ ବିଦେଶୀ ମଦ କାରବାର ନିୟନ୍ତ୍ରଣ ବାହାରକୁ ଚାଲିଗଲାଣି। କେତେଜଣ ଅସାଧୁ ବ୍ୟବସାୟୀ ଗ୍ରାମାଞ୍ଚଳକୁ ଏହା ଯୋଗାଣ କରୁଥିବାରୁ ସେଠାରେ ବହୁଳ ମାତ୍ରାରେ ଚୋରା ମଦ ବିକ୍ରି ହେଉଥିବା ଅଭିଯୋଗ ହେଉଛି। ପାଲଲହଡ଼ା ଅବକାରୀ ବିଭାଗ ପକ୍ଷରୁ ସେପରି ଚଢ଼ାଉ କରାଯାଉ ନ ଥିବାରୁ ଏହି ଚୋରା ମଦ କାରବାର ଉପଖଣ୍ଡବାସୀଙ୍କ ଚିନ୍ତା ବଢ଼ାଇ ଦେଇଥିବା ଚର୍ଚ୍ଚା ହେଉଛି।
ପାଲଲହଡ଼ା ଉପଖଣ୍ଡରେ ରହିଛି ୪୭ ପଞ୍ଚାୟତ। ଏଠାରେ ଆଇନଶୃଙ୍ଖଳା ରକ୍ଷା ପାଇଁ ପାଲଲହଡ଼ା ଓ ଖମାର ଥାନା ଥିବାବେଳେ ଅବକାରୀ ସାମଗ୍ରୀର ଚୋରା କାରବାର ରୋକିବାକୁ ଏକ ଅବକାରୀ ଥାନା ଅଛି। କିନ୍ତୁ ପୋଲିସ ଓ ଅବକାରୀ ଥାନା କର୍ମଚାରୀମାନେ ଚୋରା ଦେଶୀ ବିଦେଶୀ ମଦ କାରବାର ରୋକିବାରେ ବିଫଳ ହୋଇଥିବା ଅଭିଯୋଗ ହେଉଛି। ଗତ ଜାନୁୟାରୀରୁ ମାର୍ଚ୍ଚ ୩ମାସ ମଧ୍ୟରେ ଅବକାରୀ ବିଭାଗ ପକ୍ଷରୁ ୪୨ଟି ମାମଲା ରୁଜୁ କରାଯାଇ ୩୯ ଜଣଙ୍କୁ ଗିରଫ କରାଯାଇଛି। ହେଲେ ଚୋରା କାରବାର ରୋକିବାକୁ ଏହା ପର୍ଯ୍ୟାପ୍ତ ନୁହେଁ ବୋଲି କୁହାଯାଉଛି। ଗଁା ଲୋକଙ୍କ କହିବା ଅନୁଯାୟୀ, ଚୋରା ଦେଶୀ, ବିଦେଶୀ ମଦ ବେପାର ଚେର ଏଠାରେ ବେଶ୍‌ ମଜଭୁତ ହୋଇସାରିଛି। ଗ୍ରାମାଞ୍ଚଳର ଦୋକାନଗୁଡ଼ିକରେ ବିଭିନ୍ନ ସାମଗ୍ରୀ ପହଞ୍ଚାଯାଉଥିବା ପରି ଅସାଧୁ ବ୍ୟବସାୟୀମାନେ ଅଟୋ ଓ ବାଇକ୍‌ରେ ମଦ ନେଇ ଗଁା ଗଁା ବୁଲି ଦୋକାନଗୁଡ଼ିକରେ ବିତରଣ କରୁଛନ୍ତି। ଭଲ ଲାଭ ମିଳୁଥିବାରୁ କେତେଜଣ ଦୋକାନୀ ଏହି ବେଆଇନ କାରବାରରେ ସାମିଲ ହୋଇଯାଉଛନ୍ତି। ଏପରି କି ସ୍କୁଲ, ମନ୍ଦିର, ଡାକ୍ତରଖାନା ଆଦି ନିକଟରେ ଥିବା କେତେକ ଦୋକାନୀ ଚୋରା ମଦ ଖୋଲାଖୋଲି ବିକ୍ରି କରୁଥିବା ଦେଖାଯାଉଛି। ଅବକାରୀ ବିଭାଗର କେତେଜଣ ତଳିଆ କର୍ମଚାରୀଙ୍କୁ ହାତ କରି ଅସାଧୁ ବ୍ୟବସାୟୀମାନେ ଦୀର୍ଘବର୍ଷ ହେଲା ଏପରି ଚୋରା କାରବାର ଚଳାଇ ଆସିଥିଲେ ମଧ୍ୟ ସେମାନଙ୍କୁ ଧରାଯାଇ ପାରୁନାହିଁ। ସେହିପରି ଉପଖଣ୍ଡରେ ଥିବା ମୋଟ ୯ ମଦ ଦୋକାନ ମଧ୍ୟରୁ ପାଲଲହଡ଼ାରେ ୨ଟି, ଖମାର, କଣ୍ଟିଆପସି, ଇଞ୍ଜିଡିରେ ୫ଟି ଓ ନିମିରିବଡା, ବାଲିପସିରେ ୨ଟି ଦେଶୀ ମଦ ଭାଟିରେ ଆଇନର ଅନୁପାଳନ ହେଉଛି କି ନାହିଁ ତାହା ଅବକାରୀ ବିଭାଗ କି ପୋଲିସ ପକ୍ଷରୁ ଯାଞ୍ଚ କରାଯାଉ ନାହିଁ। ଫଳରେ କେତେକ କାଉଣ୍ଟରରେ ଖୋଲାରେ ମଦ ବିକ୍ରି କରାଯାଉଥିବା ଅଭିଯୋଗ ହେଉଛି। ଏପରି ବେଆଇନ କାରବାର ବଢ଼ୁଥିବା ଯୋଗୁ ପାଲଲଡଡ଼ା ଦେଇ ଯାଇଥିବା ୨ଟି ରାଜପଥରେ ଦୁର୍ଘଟଣା ସଂଖ୍ୟା ବୃଦ୍ଧି ପାଉଛି। ଗଁାମାନଙ୍କରେ ସାମାଜିକ ସଦ୍‌ଭାବନା ନଷ୍ଟ ହେଉଛି। ପାରିବାରିକ ବିଶୃଙ୍ଖଳା ବଢ଼ିବାରେ ଲାଗିଛି।

ଚଢ଼ାଉ ଜାରି ରହିଛି
ପାଲଲହଡ଼ା ଉପଖଣ୍ଡରେ ଚୋରା ମଦ କାରବାର ରୋକିବାକୁ ବିଭାଗ ପକ୍ଷରୁ ଉଦ୍ୟମ କରାଯାଉଛି। ଅଧିକରୁ ଅଧିକ ମାତ୍ରାରେ ଚଢ଼ାଉ ଓ ଗିରଫଦାରି ପାଇଁ ଚେଷ୍ଟା ଜାରି ରହିଛି। ବେଆଇନ କାରବାରକୁ ଆଦୌ ପ୍ରୋତ୍ସାହନ ଦିଆଯିବ ନାହିଁ।
-ବିପିନ ସାହୁ, ଅବକାରୀ ଅଧିକାରୀ, ପାଲଲହଡ଼ା

ଦୃଢ଼ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ
ବେଆଇନ ମଦ ବିକ୍ରି ବଢ଼ୁଥିବାର ଉଦାହରଣ ସବୁଠି ଦେଖିବାକୁ ମିଳୁଛି। ଶିକ୍ଷାନୁଷ୍ଠାନ, ଧର୍ମାନୁଷ୍ଠାନ ଓ ମେଡିକାଲ ନିକଟରେ ଖୋଲାଖୋଲି ଚୋରା ମଦ ମିଳୁଛି। ଏହାକୁ ରୋକିବାକୁ ହେଲେ ବିଭାଗ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ଆବଶ୍ୟକ।
-ମୀନା ପ୍ରଧାନ, ଖମାର

ପ୍ରଶାସନ କଠୋର ହେଉ
ଥାନା ଠାରୁ ମାତ୍ର ୫୦୦ ମିଟର ଦୂରରେ ଚୋରା ମଦ, ଗଞ୍ଜେଇ ଅତି ସହଜରେ ମିଳିପାରୁଛି। କେତେକ ପାନ ଦୋକାନ, ଝୁମ୍ପୁଡ଼ି ହୋଟେଲ, ଢାବାରେ ଏହି କାରବାର କରାଯାଉଛି। ଏଥିପ୍ରତି ପ୍ରଶାସନ କଠୋର ଆଭିମୁଖ୍ୟ ଦେଖାଇବା ଦରକାର।
-ହରିଶଚନ୍ଦ୍ର ଦାସ, ପାଲଲହଡ଼ା