ପଦ୍ମ କେବଳ ତା’ର ସୌନ୍ଦର୍ଯ୍ୟରେ ସମସ୍ତଙ୍କୁ ମତୁଆଲା କରେ ସେକଥା ନୁହଁ, ଏହାକୁ ସମୃଦ୍ଧିର ପ୍ରତିକ ବୋଲି ବି ଗଣନା କରାଯାଏ। କାରଣ ପଦ୍ମ ହେଉଛି ମା’ ଲକ୍ଷ୍ମୀଙ୍କର ପ୍ରିୟ ଫୁଲ। ହିନ୍ଦୁ ଧର୍ମର ବିଭିନ୍ନ ପୂଜାପର୍ବରେ ମା’ ଲକ୍ଷ୍ମୀଙ୍କୁ ପଦ୍ମ ସମର୍ପଣ କଲେ ମନୋବାଞ୍ଛା ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ୱାସ ରହିଛି। ତେବେ ଚାଇନା, ମକାଉର ଏକ ଖୋଲା ଚାରିଛକିଆ ସ୍ଥାନରେ ଦେଖିବାକୁ ମିଳେ ପଦ୍ମଫୁଲର ଏକ ବିରାଟ ପ୍ରତିମୂର୍ତ୍ତି, ଯାହାକି ଦେଖିବାକୁ ଖୁବ୍ ସୁନ୍ଦର ଓ ସୁବର୍ଣ୍ଣ ରଙ୍ଗର। କଂସା ଉପରେ ସୁନାର ଛାଉଣି ହୋଇଥିବା ଏହି ପଦ୍ମ ଫୁଲଟି ‘ଲୋଟସ୍ ଫ୍ଲାଓ୍ବାର ଇନ୍ ଫୁଲ ବ୍ଲୁମ୍’ନାମରେ ପରିଚିତ। ଉକ୍ତ ଚାରିଛକ ଗୋଲ୍ଡେନ ଲୋଟସ୍ ସ୍କୋୟାର୍ ଭାବେ ବି ଜଣାଶୁଣା। ଏହାର ଓଜନ ୬.୫ ଟନ୍, ଉଚ୍ଚତା ୬ ମିଟର ଓ ବ୍ୟାସ ୩.୬ ମିଟର। ପୂର୍ଣ୍ଣରୂପରେ ଫୁଟିଥିବା ଏହି ପଦ୍ମଫୁଲର ସ୍ଥାପତ୍ୟ ହେଉଛି ମକାଉର ଚିରସ୍ଥାୟୀ ସମୃଦ୍ଧିର ପ୍ରତୀକ। ଏହି ସ୍ଥାପତ୍ୟର ମୁଖ୍ୟ ଅଂଶଗୁଡିକ ହେଉଛି ନାଡ, ପଦ୍ମ ଫୁଲର ପାଖୁଡା ଓ କେଶର। ଫୁଲଟି ୨୩ ଖଣ୍ଡ ଲାଲ ଗ୍ରାନାଇଟ୍ ପଥରରେ ତିଆରି। ପଦ୍ମ ଫୁଲର ଏହି ପ୍ରତିମୂର୍ତ୍ତିକୁ ପୃଥିବୀର ସବୁଠାରୁ ବଡ଼ ପଦ୍ମ ଫୁଲର ମୂର୍ତ୍ତିଭାବେ ଗଣନା କରାଯାଏ।