Categories: Home Leftଖେଳ

ଘୁଞ୍ଚିଲା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ ମ୍ୟାଚ୍‌

ନୂଆଦିଲ୍ଲୀ,୨୫।୧: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି)ର ପ୍ରଥମ ସଂସ୍କରଣ ଫାଇନାଲ କାର୍ଯ୍ୟସୂଚୀରେ ପରିବର୍ତ୍ତନ କରାଯାଇଛି। ଏବେ ୫ ଦିନିଆ ଫାଇନାଲ ମ୍ୟାଚ୍‌ ଚଳିତ ବର୍ଷ ଜୁନ ୧୮ରୁ ୨୨ ତାରିଖରେ ଅନୁଷ୍ଠିତ ହେବ। ଆଉ ୨୩ ତାରିଖକୁ ରିଜର୍ଭ ଡେ’ ଭାବେ ରଖାଯାଇଛି। ପୂର୍ବରୁ ଏହି ଟେଷ୍ଟ ଫାଇନାଲ ଲଡର୍‌ସ କ୍ରିକେଟ ଗ୍ରାଉଣ୍ଡଠାରେ ଜୁନ ୧୦ରୁ ୧୪ ମଧ୍ୟରେ ଖେଳାଯିବାର ଥିଲା।

ଡବ୍ଲ୍ୟୁଟିସି ଫାଇନାଲରେ ଭାରତ ଖେଳିବା ଏକ ପ୍ରକାର ନିଶ୍ଚିତ। ଏବେ ଟେଷ୍ଟ ର଼୍ୟାଙ୍କିଙ୍ଗ୍‌ରେ ଭାରତ ଓ ନ୍ୟୁଜିଲାଣ୍ଡ ଶୀର୍ଷରେ ରହିଛନ୍ତି। ଦୁଇ ଦଳ ୫ଟି ଲେଖାଏ ସିରିଜ ଖେଳିଥିବାବେଳେ ବିରାଟ କୋହଲିଙ୍କ ଦଳ ପାଖରେ ୪୩୦ ଓ କେନ ଓ୍ବିଲିୟମସନଙ୍କ ନେତୃତ୍ୱାଧୀନ ନ୍ୟୁଜିଲାଣ୍ଡ ହାତରେ ଅଛି ୪୨୦ ପଏଣ୍ଟ। ଭାରତୀୟ ଦଳ ଆଗାମୀ ମାସରେ ଇଂଲଣ୍ଡ ସହ ଏକ ଟେଷ୍ଟ ସିରିଜ ଖେଳିବ। ଏହାବାଦ୍‌ ଆଉ ଏକ ଅନ୍ତର୍ଜାତୀୟ ଟେଷ୍ଟ ସିରିଜ୍‌ ଖେଳାଯିବାର ଅଛି, ଯେଉଁଥିରେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ପରସ୍ପରକୁ ଭେଟିବେ। ଏହି ସିରିଜ୍‌ ଜିତିଲେ ଅଷ୍ଟ୍ରେଲିଆ ଫାଇନାଲ ଖେଳିବା ପାଇଁ ଯୋଗ୍ୟତା ହାସଲ କରିବ।