ମାଙ୍ଗାଲୁରୁ, ୩୧ା୭
କର୍ନାଟକର ମାଙ୍ଗାଲୋରସ୍ଥିତ ସେଣ୍ଟ ଆଲୋୟସିଅସ୍ ୟୁନିଭର୍ସିଟିର ଛାତ୍ରୀ ରେମୋନା ଏଭେଟ ପେରେରା ୧୭୦ ଘଣ୍ଟା ପର୍ଯ୍ୟନ୍ତ ଭାରତନାଟ୍ୟମ୍ ନୃତ୍ୟ ପ୍ରଦର୍ଶନ କରି ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ଗୋଲ୍ଡେନ ବୁକ୍ ଅଫ୍ ଓ୍ବାଲର୍ଡ ରେକଡର୍ସରେ ତାଙ୍କ ନାମ ସ୍ଥାନ ପାଇଛି। ଏହାସହ ସର୍ବାଧିକ ସମୟ ପର୍ଯ୍ୟନ୍ତ ନିରନ୍ତର ଭାବେ କୌଣସି ଶାସ୍ତ୍ରୀୟ ଭାରତୀୟ ନୃତ୍ୟ ପ୍ରଦର୍ଶନ କରିବାରେ ରେମୋନା ପ୍ରଥମ ବ୍ୟକ୍ତି ହୋଇପାରିଛନ୍ତି।
ବିଏ ଶେଷ ବର୍ଷର ଛାତ୍ରୀ ରେମୋନା ଜୁଲାଇ ୨୧ ପୂର୍ବାହ୍ନ ୧୦ଟାରେ ସେଣ୍ଟ ଆଲୋୟସିଅସ୍ ୟୁନିଭର୍ସିଟିର ରୋବର୍ଟ ସେକ୍ୟୁରା ହଲ୍ରେ ଭାରତନାଟ୍ୟମ୍ ନୃତ୍ୟ ପ୍ରଦର୍ଶନ କରିବା ଆରମ୍ଭ କରିଥିଲେ। ଜୁଲାଇ ୨୮ ମଧ୍ୟାହ୍ନ ୧୨ଟାରେ ସେ ତାଙ୍କ ଅନବରତ ନୃତ୍ୟ ପ୍ରଦର୍ଶନକୁ ସମାପ୍ତ କରି ବିଶ୍ୱ ରେକର୍ଡ ହାସଲ କରିଥିଲେ। ଏହାପରେ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଗୋଲ୍ଡେନ ବୁକ୍ ଅଫ୍ ଓ୍ବାଲର୍ଡ ରେକଡର୍ସର ଭାରତ ପ୍ରତିନିଧି ମନୀଷ ବିଷ୍ଣୋଇ ରେମୋନାଙ୍କୁ ବିଶ୍ୱ ରେକର୍ଡର ପ୍ରମାଣପତ୍ର ପ୍ରଦାନ କରିଥିଲେ। ସେଣ୍ଟ ଆଲୋୟସିଅସ୍ ୟୁନିଭର୍ସିଟିସ୍ଥିତ ରଙ୍ଗା ଅଧ୍ୟୟନ କେନ୍ଦ୍ରର ନିର୍ଦ୍ଦେଶକ କ୍ରିଷ୍ଟୋଫର ଡିସୁଜା କହିଛନ୍ତି, ରେମୋନା ନିଜ ମାରାଥନ ନୃତ୍ୟ ସମୟରେ ପ୍ରତି ୩ ଘଣ୍ଟାରେ ମାତ୍ର ୧୫ ମିନିଟ ପାଇଁ ଏକ ଛୋଟ ବିରତି ନେଉଥିଲେ। ଏହି ସମୟରେ ସେ କଦଳୀ, ପଇଡ ପାଣି, ଦହି, ନରମ ରନ୍ଧାଭାତ ଖାଉଥିଲେ। ବିଶ୍ୱବିଦ୍ୟାଳୟରେ ରେମୋନାଙ୍କ ଅନବରତ ନୃତ୍ୟ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଡାକ୍ତରୀ ଦଳ ଏବଂ ଆମ୍ବୁଲାନ୍ସ କର୍ମଚାରୀ ଉପସ୍ଥିତ ଥିଲେ। ରେମୋନାଙ୍କର ଏହି ସଫଳତାକୁ ନେଇ ସୋସିଆଲ ମିଡିଆରେ ଅନେକ ୟୁଜର୍ସ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି।
ରେମୋନା ମାତ୍ର ୩ ବର୍ଷ ବୟସରୁ ପ୍ରସିଦ୍ଧ ଗୁରୁ ଶୀବିଦ୍ୟା ମୁରଲୀଧରଙ୍କଠାରୁ ଭାରତନାଟ୍ୟମ୍ ନୃତ୍ୟର ପ୍ରଶିକ୍ଷଣ ନେବା ଆରମ୍ଭ କରିଥିଲେ। ଏହି ବିଶ୍ୱ ରେକର୍ଡ ପାଇଁ ସେ ନିଜ ପାଠ୍ୟକ୍ରମ ସହ ଦୈନିକ ୫ରୁ ୬ ଘଣ୍ଟା ଭାରତନାଟ୍ୟମ୍ ନୃତ୍ୟର ଅଭ୍ୟାସ କରୁଥିଲେ। ରେମୋନାଙ୍କ ନୃତ୍ୟ ପ୍ରଦର୍ଶନ ସ୍ଥଳରେ ତାଙ୍କ ସହପାଠୀ, ଅଧ୍ୟାପିକା ଏବଂ ଅଧ୍ୟାପକ, ପରିବାର ଲୋକେ ରହି ତାଙ୍କ ଉତ୍ସାହ ବଢ଼ାଉଥିଲେ।