Categories: HomeHome Middle

PM ମୋଦିଙ୍କ ଇସ୍ତ୍ରାଏଲ ଗସ୍ତ ଯୋଗୁ ୪୮ ଘଣ୍ଟା ପାଇଁ ଅଟକିଯାଇଥିଲା ଇରାନ ଉପରେ ଆକ୍ରମଣ? ଯୁଦ୍ଧ ଆରମ୍ଭ ହେବା ପରେ ଚର୍ଚ୍ଚା…

ଜେରୁସେଲମ/ନୂଆଦିଲ୍ଲୀ,୧।୩: ଗତ ଶନିବାର ଯେତେବେଳେ ଆମେରିକା ଏବଂ ଇସ୍ରାଏଲ ମିଳିତ ଭାବେ ଇରାନର ବିଭିନ୍ନ ସ୍ଥାନରେ ହଠାତ ଆକ୍ରମଣ କରିଥିଲେ, ସେତେବେଳେ ସମଗ୍ର ବିଶ୍ୱରେ ଉତ୍ତେଜନା ଖେଳିଯାଇଥିଲା। ଏହି ଆକ୍ରମଣ ପଛରେ ଦୀର୍ଘ ଦିନର ପ୍ରସ୍ତୁତି ଥିବା ସ୍ପଷ୍ଟ ଜଣାପଡୁଥିବା ବେଳେ ସୋସିଆଲ ମିଡିଆରେ ଏକ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି। ଅନେକ ବିଶ୍ଳେଷକଙ୍କ ମତରେ, ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାମ୍ପ୍ରତିକ ଇସ୍ରାଏଲ ଗସ୍ତ ଯୋଗୁ ଇରାନ ଉପରେ ହେବାକୁ ଥିବା ଆକ୍ରମଣ ପ୍ରାୟ ୪୮ ଘଣ୍ଟା ବିଳମ୍ବରେ ଘଟିଥିଲା।
ସୋସିଆଲ ମିଡିଆ ପ୍ଲାଟଫର୍ମ ’X’ (ଟୁଇଟର)ରେ ୟୁଜର୍ସ ଏବଂ ପ୍ରତିରକ୍ଷା ବିଶ୍ଳେଷକମାନେ ଦାବି କରିଛନ୍ତି ଯେ, ଯେ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ମୋଦି ଜେରୁସେଲମ ଏବଂ ତେଲ ଅଭିଭ୍‌ରେ ଉପସ୍ଥିତ ଥିଲେ, ସେ ପର୍ଯ୍ୟନ୍ତ କୌଣସି ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିଲା। ଫେବୃଆରୀ ୨୬ରେ ମୋଦି ଇସ୍ରାଏଲ ଛାଡିବା ପରେ ହିଁ ଅପରେଶନ ଆରମ୍ଭ ହୋଇଥିଲା।
ବିଶ୍ଳେଷକ ଶନାକା ଏନ୍ସଲେମ ପରେରାଙ୍କ ଏକ ଟୁଇଟ୍‌ ଏବେ ଭାରତୀୟ ଏବଂ ଆନ୍ତର୍ଜାତୀୟ ପ୍ରତିରକ୍ଷା ମହଲରେ ଭାଇରାଲ ହେଉଛି। ସେ ଲେଖିଛନ୍ତି, “ଯେତେବେଳେ ୧୪୦ କୋଟି ଜନସଂଖ୍ୟା ବିଶିଷ୍ଟ ଏକ ଦେଶର ନେତା ଇସ୍ରାଏଲର ’ନେସେଟ’ (ସଂସଦ) ଭିତରେ ଛିଡ଼ା ହୋଇଛନ୍ତି, ସେତେବେଳେ ଆପଣ ଇରାନ ଉପରେ ଆକ୍ରମଣ କରିପାରିବେ ନାହିଁ। କାରଣ ଏହାର ପାଲଟା ଜବାବରେ ଇରାନ ବାଲିଷ୍ଟିକ ମିସାଇଲ ମାଡ଼ କରିବାର ସମ୍ଭାବନା ଥାଏ, ଯାହା ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପ୍ରତି ବଡ଼ ବିପଦ ସୃଷ୍ଟି କରିଥାନ୍ତା।”
ଜଣାଶୁଣା ଭାରତୀୟ  ଖବରଦାତା ସ୍ମିତା ପ୍ରକାଶ ମଧ୍ୟ ଏହି ଗସ୍ତକୁ ଇରାନ ଆକ୍ରମଣର ‘କାଉଣ୍ଟଡାଉନ୍‌’ ସହ ଯୋଡିଛନ୍ତି। ପରେରାଙ୍କ ପୋଷ୍ଟକୁ ଆଧାର କରି ସେ ଦର୍ଶାଇଛନ୍ତି ଯେ, ମୋଦୀଙ୍କ ଉପସ୍ଥିତି ଯୋଗୁ ଯୁଦ୍ଧର ଘଣ୍ଟା କିଛି ସମୟ ପାଇଁ ଅଟକି ଯାଇଥିଲା। ପରେରା ପୂର୍ବରୁ ଟୁଇଟ୍‌ କରି କହିଥିଲେ ଯେ, ଇସ୍ରାଏଲର ୪୮ ଘଣ୍ଟାର ଅଲ୍ଟିମେଟମ ସେହି ଦିନ ହିଁ ଶେଷ ହେଉଥିଲା ଯେଉଁଦିନ ମୋଦୀଙ୍କ ବିମାନ ଇସ୍ରାଏଲ ମାଟିରେ ଅବତରଣ କରିଥିଲା। ଏହି ସମୟ ମଧ୍ୟରେ ଇସ୍ରାଏଲ ଏବଂ ଇରାନ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି ’ଏକମାତ୍ର ବାଧକ’ ଭାବେ ଛିଡ଼ା ହୋଇଥିଲେ ବୋଲି କିଛି ଇସ୍ରାଏଲ ଗଣମାଧ୍ୟମ ମଧ୍ୟ କହିଛନ୍ତି।

ସୋସିଆଲ ମିଡିଆରେ ଏଭଳି ଚର୍ଚ୍ଚା ଚାଲିଥିବା ବେଳେ, ଇସ୍ରାଏଲ ପ୍ରତିରକ୍ଷା ଅଧିକାରୀମାନେ ରଏଟର୍ସକୁ କହିଛନ୍ତି ଯେ, ଏହି ଅପରେଶନର ଯୋଜନା ଆମେରିକା ସହ ମିଶି ମାସ ମାସ ଧରି କରାଯାଉଥିଲା। ଆକ୍ରମଣର ତାରିଖ କିଛି ସପ୍ତାହ ପୂର୍ବରୁ ସ୍ଥିର ହୋଇଥିଲା। ଯଦିଓ ଏହାର ମୋଦିଙ୍କ ଗସ୍ତ ସହ ସିଧାସଳଖ ସମ୍ପର୍କ ନାହିଁ, ତଥାପି ଆକ୍ରମଣର ସମୟ ଏବଂ ମୋଦିଙ୍କ ପ୍ରସ୍ଥାନ ମଧ୍ୟରେ ଥିବା ସମାନତା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
ନିଜ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦି ଇସ୍ରାଏଲ ଏମ୍‌ପିମାନଙ୍କୁ ସମ୍ବୋଧିତ କରି କହିଥିଲେ ଯେ, ଶାନ୍ତିର ପଥ ସହଜ ନୁହେଁ, କିନ୍ତୁ ଭାରତ ସବୁବେଳେ ସ୍ଥିରତା ଏବଂ ଆଲୋଚନା ପାଇଁ ପ୍ରସ୍ତୁତ ଅଛି। ସେ ଗାଜା ଯୁଦ୍ଧ ସମାପ୍ତ କରିବା ପାଇଁ ଆମେରିକାର ପ୍ରୟାସକୁ ସମର୍ଥନ କରିଥିଲେ ମଧ୍ୟ ନିଜ ଭାଷଣରେ ଇରାନ କିମ୍ବା ଆମେରିକାର ସାମରିକ ପ୍ରସ୍ତୁତି ବିଷୟରେ କୌଣସି ଉଲ୍ଲେଖ କରିନଥିଲେ।
ଅପରପକ୍ଷେ ଭାରତରେ ବିରୋଧୀ ଦଳଗୁଡ଼ିକ ଏହି ପ୍ରସଙ୍ଗରେ ସରକାରଙ୍କୁ ଘେରିଛନ୍ତି। କଂଗ୍ରେସ ନେତା ଜୟରାମ ରମେଶ ଟୁଇଟ କରି କହିଛନ୍ତି ଯେ, ଅଞ୍ଚଳରେ ଉତ୍ତେଜନା ଚରମ ସୀମାରେ ଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତର ସମୟ ଏବଂ ଆଭିମୁଖ୍ୟ ପ୍ରଶ୍ନବାଚୀ ସୃଷ୍ଟି କରୁଛି।
Dharitri – Odisha’s No.1 Odia Daily

Share