ଦିଗପହଣ୍ଡି,୨୪ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି ପ୍ରଶିକ୍ଷଣ କର୍ମଶାଳା ଗୁରୁବାର ଅପରାହ୍ନରେ ଉଦ୍ଯାପିତ ହୋଇଯାଇଛି। ସ୍ଥାନୀୟ ବଡ଼ ଖେମୁଣ୍ଡି ହାଇସ୍କୁଲରେ ଗତ ମଙ୍ଗଳବାରଠାରୁ ଶୁଭାରମ୍ଭ ହୋଇଥିବା କର୍ମଶାଳା ଉଦ୍ଯାପନ କାର୍ଯ୍ୟକ୍ରମରେ ଭାରପ୍ରାପ୍ତ ବ୍ଲକ ଶିକ୍ଷାଧିକାରୀ କୁରେଶୁ ସେଠୀ ଅଧ୍ୟକ୍ଷତା କରିଥିଲେ। ମୁଖ୍ୟବକ୍ତା ତଥା ନିରୀକ୍ଷିକା ଭାବେ ଚିକିଟିସ୍ଥିତ ଶିକ୍ଷା ତାଲିମ କେନ୍ଦ୍ର ( ଇଟିଇଆଇ)ର ଅଧ୍ୟକ୍ଷା ତଥା ଖଲ୍ଲିକୋଟ ଡାଏଟ ଅନୁଷ୍ଠାନର ସିନିୟର ଟିଚର ଏଜୁକେଟର ନିବେଦିତା ପାଢ଼ୀ ଏବଂ ସମ୍ମାନିତ ଅତିଥି ଭାବେ ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ତଥା ସହ ଗୋଷ୍ଠୀ ଶିକ୍ଷାଧିକାରୀ ବାଳା ମାଝୀ, ବିଶ୍ରବା ପାଇକ,ରସାନନ୍ଦ ଘଡ଼େଇ ପ୍ରମୁଖ ଉପସ୍ଥିତ ଥିଲେ। ୧୬ ଗୋଷ୍ଠୀ ସାଧନ କର୍ମୀ ସିଆରସିସିିଙ୍କ ସହଯୋଗ କ୍ରମେ ୩୨ ଶିକ୍ଷୟିତ୍ରୀ ଶିକ୍ଷକ ୧୦୫ଟି ଶିକ୍ଷଣ ସାମଗ୍ରୀ ତଥା ବିଷୟ ଭିତ୍ତିକ ମଡେଲ ପ୍ରସ୍ତୁତ କରିଥିଲେ। କର୍ମଶାଳାରେ ସାମିଲ ସମସ୍ତ ଶିକ୍ଷୟିତ୍ରୀଶିକ୍ଷକଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ଗୋଷ୍ଠୀ ସମ୍ବଳ ଶିକ୍ଷକ ସୁଶାନ୍ତ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।