ଦାଦନ ଶ୍ରମିକଙ୍କ ପାଇଁ ଖୁସିଖବର: ଜିଲା ଭିତରେ ଯୋଗାଇ ଦିଆଯିବ କାମ, ମନ୍ତ୍ରୀ କହିଲେ…

ବଲାଙ୍ଗୀର, ୩୧/୧ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଏକ ଦାଦନ ପ୍ରବଣ ଜିଲା। ତଥ୍ୟ ଅନୁସାରେ ଜିଲାରୁ ୧୯ ହଜାର ଦାଦନ ଶ୍ରମିକ ନିଜ ଘରେ ତାଲା ମାରି ରାଜ୍ୟ ବାହାରକୁ ଯାଇଛନ୍ତି । ୩୨ ହଜାର ଦାଦନ ଶ୍ରମିକଙ୍କୁ ଜିଲା ପ୍ରଶାସନ ରାଜ୍ୟ ବାହାରକୁ ରୋକିବାରେ ସଫଳ ହୋଇଛି। ଯେଉଁମାନଙ୍କୁ ରୋକାଯାଇଛି ସେମାନଙ୍କୁ ଜିଲା ଭିତରେ କାମ ଯୋଗାଇ ଦିଆଯାଇ ଆତ୍ମନିର୍ଭରଶୀଳ କରାଯିବ। ଯୋଜନା ସଠିକ୍‌ କାର୍ଯ୍ୟକାରୀ ହେଲେ ଜିଲା ଭିତରେ ଶ୍ରମିକ ପରିବାର ଆତ୍ମନିର୍ଭରଶୀଳ ହେବେ। ଏହାପରେ ରାଜ୍ୟ ବାହାରକୁ ଯାଇଥିବା ଦାଦନ ଜିଲାକୁ ଫେରାଇବା ଯୋଜନା କରାଯିବ। ବିକଶିତ ଭାରତ ଗ୍ୟାରେଣ୍ଟି ହିଁ ରୋଜଗାର ଏବଂ ଜୀବିକା ମିଶନ ଗ୍ରାମୀଣ (ଭିବି-ଜି ରାମ ଜି) ଯୋଜନା ବଲାଙ୍ଗୀର ଜିଲାର ଦାଦନ ଶ୍ରମିକ ପଳାୟନ ରୋକିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ
ନାଏକ ଶୁକ୍ରବାର ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ପ୍ରେକ୍ଷାଳୟରେ ଅନୁଷ୍ଠିତ ଭିବି-ଜି ରାମ ଜି ଆଇନ ଓ ସମ୍ପର୍କିତ ଏକ କର୍ମଶାଳାରେ କହିଥିଲେ। ଏହି କର୍ମଶାଳାରେ ବଲାଙ୍ଗୀର ଲୋକସଭା ଏମ୍‌ପି ସଙ୍ଗୀତା କୁମାରୀ ସିଂଦେଓ ଅତିଥି ଭାବେ ଯୋଗଦେଇ କହିଥିଲେ, ଭିବି-ଜି ରାମ ଜି ଯୋଜନା ସମ୍ପର୍କରେ ଜନସାଧାରଣଙ୍କୁ ଜଣାଇବା ସକାଶେ ପ୍ରଧାନମନ୍ତ୍ରୀ ମୋଦି ଏମ୍‌ପିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଯୋଜନା ମାଧ୍ୟମରେ ଗରିବ ଶ୍ରେଣୀର ଲୋକଙ୍କ ଉନ୍ନତି ଦେବା ସହ ଗାଁରେ ବିକାଶ ପ୍ରକଳ୍ପ ତିଆରି କରାଯାଇପାରିବ ବୋଲି କହିଥିଲେ। ଏହି କର୍ମଶାଳାରେ ଅତିଥି ଭାବରେ ଟିଟିଲାଗଡ ବିଧାୟକ ନବୀନ ଜୈନ ଯୋଗଦେଇଥିଲ। ଜିଲାପାଳ ଗୌରବ ଶିୱାଜି ଓ ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତରଣୀ ସୁନା ଓ ଜିଲାର ସମସ୍ତ ବିଡିଓ ଓ ଅନ୍ୟ ସହଯୋଗୀ କର୍ମଚାରୀ ଯୋଗଦାନ କରିଥିଲେ। ଏହି ଅବସରରେ ଜିଲାରେ ଏମ୍‌ଜିଏନଆଇଜିଏ ଯୋଜନାରେ ସବୁଠୁ ବେଶୀ ଦିନ କାମ କରିଥିବା ଶ୍ରମିକଙ୍କୁ ଛତା ଏବଂ ଉପାୟନ ଦେଇ ପୁରସ୍କୃତ କରାଯାଇଥିଲା।

Dharitri – The Largest & Most Trusted Odia Daily