ନୂଆଦିଲ୍ଲୀ,୨୩ା୧୦: ରୁଷିଆର ବଡ଼ ତେଲ କମ୍ପାନୀଗୁଡ଼ିକ ଉପରେ ଆମେରିକା ଲାଗୁ କରିଥିବା କଟକଣାକୁ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଗୁରୁବାର କଡ଼ା ଜବାବ ଦେଇଛନ୍ତି। ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ ମସ୍କୋ କେବେ ବି ଆମେରିକା କିମ୍ବା ଅନ୍ୟ କୌଣସି ଦେଶର ଚାପ ଆଗରେ ମୁଣ୍ଡ ନୁଆଁଇବ ନାହିଁ।
ପୁଟିନ କହିଛନ୍ତି, “କୌଣସି ଆତ୍ମ-ସମ୍ମାନ ଥିବା ଦେଶ କିମ୍ବା ଲୋକ କେବେ ବି ଚାପରେ ଆସି କୌଣସି ନିଷ୍ପତ୍ତି ନିଅନ୍ତି ନାହିଁ।” ସେ ଆମେରିକା ଦ୍ୱାରା ଲଗାଯାଇଥିବା ଏହି କଟକଣାକୁ ‘ଶତ୍ରୁତାପୂର୍ଣ୍ଣ କାର୍ଯ୍ୟ’ ବୋଲି କହିଛନ୍ତି। ତେବେ ଏହା ରୁଷିଆ ଅର୍ଥନୀତି ଉପରେ ବଡ଼ ପ୍ରଭାବ ପକାଇବ ନାହିଁ ବୋଲି ସେ ଦାବି କରିଛନ୍ତି।
ଯଦି ୟୁକ୍ରେନ୍, ଆମେରିକାରୁ ମିଳିଥିବା ଟମାହକ୍ କିମ୍ବା ୩,୦୦୦ କିଲୋମିଟର ଦୂରଗାମୀ କ୍ଷେପଣାସ୍ତ୍ରକୁ ରୁଷିଆ ଭିତରେ ଆକ୍ରମଣ ପାଇଁ ବ୍ୟବହାର କରେ, ତେବେ ରୁଷିଆ ଏହାର “ଅତ୍ୟନ୍ତ ଗୁରୁତର ଏବଂ ଶକ୍ତିଶାଳୀ” ଜବାବ ଦେବ ବୋଲି ସେ ଚେତାବନୀ ଦେଇଛନ୍ତି।
ସୂଚନାଯୋଗ୍ୟ, ୟୁକ୍ରେନ ଯୁଦ୍ଧ ପାଇଁ ରୁଷିଆର ପାଣ୍ଠି ଯୋଗାଣକୁ ରୋକିବା ଲକ୍ଷ୍ୟରେ ଆମେରିକା ରୁଷିଆର ଦୁଇଟି ବୃହତ ତେଲ କମ୍ପାନୀ ‘ରୋସନେଫ୍ଟ’ (Rosneft) ଏବଂ ‘ଲୁକୋଇଲ୍’ ଉପରେ କଟକଣା ଲଗାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଶା କରିଛନ୍ତି ଯେ ଏହି କଟକଣା ଦ୍ୱାରା ଯୁଦ୍ଧ ଶୀଘ୍ର ସମାପ୍ତ ହେବ। ତେବେ ପୁଟିନଙ୍କ ଏହି ଜବାବ ଦୁଇ ଦେଶ ମଧ୍ୟରେ ତିକ୍ତତାକୁ ଆହୁରି ବଢ଼ାଇ ଦେଇଛି।