ନୂଆଦିଲ୍ଲୀ,୨୪ା୨: ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ମଙ୍ଗଳବାର ଆଗାମୀ ଆଇସିସି ମହିଳା ଟି୨୦ ବିଶ୍ୱକପ୍ ଲାଗି ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷଣା କରିଛି। ଜୁନ ୧୨ରୁ ଜୁଲାଇ ୫ ତାରିଖ ପର୍ଯ୍ୟନ୍ତ ଇଂଲଣ୍ଡରେ ହେବାକୁ ଥିବା ଏହି ସଂସ୍କରଣରେ ୧୨ଟି ଦଳ ଭାଗ ନେବେ। ଆୟୋଜକ ଇଂଲଣ୍ଡ ଉଦ୍ଘାଟନୀ ମ୍ୟାଚ୍ରେ ଶ୍ରୀଲଙ୍କାକୁ ଭେଟିବାକୁ ଥିବା ବେଳେ ଫାଇନାଲ ମ୍ୟାଚ୍ ଜୁଲାଇ ୫ ତାରିଖରେ ଆଇକନିକ ଲଡର୍ସ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବ। ଭାରତୀୟ ଦଳ ଜୁନ ୧୪ ତାରିଖରେ ତା’ର ପ୍ରଥମ ମ୍ୟାଚ୍ରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିବ।
ଟୁର୍ନାମେଣ୍ଟ ଲାଗି ନେପାଳରେ ଖେଳାଯାଇଥିବା କ୍ୱାଲିଫାଇଙ୍ଗ ଟୁର୍ନାମେଣ୍ଟ ଜରିଆରେ ବାଂଲାଦେଶ, ଆୟର୍ଲାଣ୍ଡ, ସ୍କଟଲାଣ୍ଡ ଓ ନେଦରଲାଣ୍ଡ୍ସ ଯୋଗ୍ୟତା ହାସଲ କରିଛନ୍ତି। ଡିଫେଣ୍ଡିଂ ଚାମ୍ପିୟନ ନ୍ୟୁଜିଲାଣ୍ଡ, ୬ ଥରର ବିଜେତା ଅଷ୍ଟ୍ରେଲିଆ, ୨୦୧୬ ସଂସ୍କରଣର ଚାମ୍ପିୟନ ଓ୍ବେଷ୍ଟଇଣ୍ଡିଜ, ଆୟୋଜକ ଇଂଲଣ୍ଡ, ଦିନିକିଆ ବିଶ୍ୱ ଚାମ୍ପିୟନ ଭାରତ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା ଓ ଶ୍ରୀଲଙ୍କା ସିଧାସଳଖ ଯୋଗ୍ୟତା ହାସଲ କରିଥିଲେ।