Jahanara Alam of Velocity appeals during match 1 of the Jio Womens T20 Challenge 2020 between the Supernovas and Velocity held at the Sharjah Cricket Stadium, Sharjah in the United Arab Emirates on the 4th November 2020. Photo by: Rahul Gulati / Sportzpics for BCCI
ଶାରଜା, ୫।୧୧- ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)ରେ ବୁଧବାର ବ୍ରେକ୍ ଥିବାବେଳେ ଆରମ୍ଭ ହୋଇଛି ମହିଳା ଟି୨୦ ଚ୍ୟାଲେଞ୍ଜ୍ ପ୍ରତିଯୋଗିତା। ଲୋ ସ୍କୋରିଂ ବିଶିଷ୍ଟ ପ୍ରଥମ ମ୍ୟାଚରେ ଭେଲୋସିଟି ୫ ଉଇକେଟରେ ସୁପରନୋଭାସକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ସୁପରନୋଭାସ୍ ୨୦ ଓଭରରେ ୮ ଉଇକେଟ ହରାଇ ୧୨୬ ରନ କରିଥିବାବେଳେ ଭେଲୋସିଟି ୧୯.୫ ଓଭରରେ ୫ ଉଇକେଟ ହରାଇ ୧୨୯ ରନ ସଂଗ୍ରହ କରି ନେଇଥିଲା।
ଟସ୍ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ ଭେଲୋସିଟି ଦଳର ଅଧିନାୟିକା ମିଥାଲି ରାଜ। ସୁପର ନୋଭାସ ଭଲ ଆରମ୍ଭ କରିଥିଲେ ହେଁ ବଡ଼ ପାର୍ଟନରଶିପ୍ ଅଭାବରୁ ସମ୍ମାନଜନକ ସ୍କୋର କରିପାରି ନ ଥିଲା। ଓପନିଂ ଯୋଡ଼ିରେ ୩୨ ବଲ୍ରୁ ୩୦ ରନ ହେବାପରେ ପ୍ରିୟା ପୁନିୟା ୧୧ ରନ କରି ଆଉଟ ହୋଇଥିଲେ। ଅନ୍ୟତମ ଓପନର ଶ୍ରୀଲଙ୍କାର ଚାମରି ଆଟାପାଟ୍ଟୁ ସର୍ବାଧିକ ୪୪(୩୯ ବଲ, ୨ ଚୌକା, ୨ ଛକା) ରନ କରିଥିବାବେଳେ ଅଧିନାୟକ ହରମନପ୍ରୀତ କୌର ଦ୍ୱିତୀୟ ସର୍ବାଧିକ ୩୧(୨୭ ବଲ, ୧ ଚୌକା, ୨ ଛକା) ରନର ଯୋଗଦାନ ଦେଇଥିଲେ। ଚାମରି ଓ ହରମନପ୍ରୀତଙ୍କ ୩ୟ ଉଇକେଟ ଯୋଡ଼ିରେ ସର୍ବାଧିକ ୪୭ ରନର ଭାଗୀଦାରି ହୋଇଥିଲା। ଅନ୍ୟ ବ୍ୟାଟ୍ସଓମ୍ୟାନମାନେ ବିଫଳ ହେବାରୁ ସୁପରନୋଭାସ ୨୦ ଓଭରରେ ୮ ଉଇକେଟ ହରାଇ ୧୨୬ ରନ କରିବାକୁ ସକ୍ଷମ ହୋଇଥିଲା। ଜେମିକା ରୋଡ୍ରିଗ୍ବେଜ ମାତ୍ର ୭, ଶଶିକଳା ଶିରିବର୍ଦ୍ଧନେ ୧୮ ରନ କରିଥିବାବେଳେ ପୂଜା ବସ୍ତ୍ରକାର ଖାତା ଖୋଲିପାରି ନ ଥିଲେ। ଉଭୟ ଚାମରି ଓ ହରମନପ୍ରୀତଙ୍କ ଉଇକେଟ ନେଇ ସୁପରନୋଭାସକୁ ବ୍ୟାକ୍ଫୁଟକୁ ଠେଲି ଦେଇଥିଲେ ଭେଲୋସିଟି ବୋଲର ଜାହାନରା ଆଲାମ। ଅନ୍ୟ ବୋଲରଙ୍କ ମଧ୍ୟରେ ଏକତା ବିସ୍ତ ୨୨ ରନ ଦେଇ ସର୍ବାଧିକ ୩ଟି ଉଇକେଟ ପାଇଥିବାବେଳେ ନ୍ୟୁଜିଲାଣ୍ଡ ଅଫ୍ସ୍ପିନର ଲେଗ୍ କାସ୍ପେରେକ୍ଙ୍କୁ ୨ଟି ଉଇକେଟ ମିଳିଥିଲା।
୧୨୭ ରନ ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଭେଲୋସିଟି ମାତ୍ର ୧୭ ରନ ମଧ୍ୟରେ ଦୁଇ ଓପନର ଡାନିଏଲ ଓ୍ବାଟ(୦) ଓ ଶେଫାଳି ବର୍ମା(୧୭)ଙ୍କ ଉଇକେଟ ହରାଇ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟରେ ପଡ଼ିଥିଲା। ଦକ୍ଷିଣ ଆଫ୍ରିକାର ଆୟାବୋଙ୍ଗା ଖାକା ଚମତ୍କାର ବୋଲିଂ କରି ଏହି ୨ଟି ଉଇକେଟ ନେଇଥିଲେ। ଅଧିନାୟିକା ମିଥାଲି ମାତ୍ର ୭ ରନ କରି ପ୍ୟାଭିଲିୟନ ଫେରିବାରୁ ଦଳର ବିଜୟ ଆଶା ମଉଳି ଯାଇଥିଲା। ବେଦ କ୍ରିଷ୍ଣମୂର୍ତ୍ତୀ ଭଲ ଖେଳିଥିଲେ ହେଁ ୨୮ ବଲ୍ରୁ ୨୯(୪ ଚୌକା) ରନ କରି ଆଉଟ ହୋଇଥିଲେ। ସୁଷମା ବର୍ମା ଓ ସୁନେ ଲୁସ୍ ୫ମ ଉଇକେଟରେ ୫୧ ରନ ଯୋଡ଼ି ଦଳକୁ ବିଜୟ ଦ୍ୱାରରେ ପହଞ୍ଚାଇ ଦେଇଥିଲେ। ୮ ବଲ୍ରୁ ୧୧ ରନ ଆବଶ୍ୟକ ହେଉଥିବାବେଳେ ସୁଷମା ବଡ଼ ଶଟ୍ ଖେଳିବାକୁ ଯାଇ ଆଉଟ ହୋଇ ଯାଇଥିଲେ। ସେ ୩୩ ବଲ୍ରୁ ୩୪(୨ ଛକା) ରନ କରିଥିଲେ। ଶେଷ ଓଭରରୁ ବିଜୟ ପାଇଁ ୯ ରନ ଆବଶ୍ୟକ ହେଉଥିଲା। ଲୁସ୍ ଓ ଶିଖା ପାଣ୍ଡେ ଗୋଟିଏ ବଲ୍ ବାକିଥାଇ ବିଜୟ ପାଇଁ ଆବଶ୍ୟକ ରନ ସଂଗ୍ରହ କରି ନେଇଥିଲେ। ଲୁସ୍ ୨୧ ବଲ୍ରୁ ୩୭(୪ ଚୌକା, ୧ ଛକା) ଓ ଶିଖା ୨ ରନକରି ଅପରାଜିତ ରହିଥିଲେ। ସୁପରନୋଭାସ ବୋଲରଙ୍କ ମଧ୍ୟରେ ଖାକା ୨ଟି ଏବଂ ରାଧା ଯାଦବ, ପୁନମ ଯାଦବ ଓ ଶଶିକଳା ଶିରିବର୍ଦ୍ଧନେ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ସୁପରନୋଭାସ ୨୦ ଓଭରରେ ୧୨୬/୮(ଚାମରି-୪୪, ହରମନପ୍ରୀତ-୩୧, ଏକତା-୩/୨୨, ଜାହାନରା-୨/୨୭, କାସ୍ପେରେକ୍-୨/୨୩)। ଭେଲୋସିଟି ୧୯.୫ ଓଭରରେ ୧୨୯/୫ (ଲୁସ୍-୩୭*, ସୁଷମା-୩୪, କ୍ରିଷ୍ଣମୂର୍ତ୍ତୀ-୨୯, ଖାକା-୨/୨୭, ରାଧା-୧/୨୫, ପୁନମ-୧/୨୭, ଶଶିକଳା-୧/୩୦)।