Chamari Athapaththu of Supernovas plays a shot during match 3 of the Jio Womens T20 Challenge 2020 between the Trailblazers and the Supernovas held at the Sharjah Cricket Stadium, Sharjah in the United Arab Emirates on the 7th November 2020. Photo by: Rahul Gulati / Sportzpics for BCCI
ଶାରଜା: ଏଠାରେ ଚାଲିଥିବା ମହିଳା ଟି୨୦ ଚ୍ୟାଲେଞ୍ଜରେ ଶନିବାର ଅନୁଷ୍ଠିତ ମ୍ୟାଚ୍ରେ ସୁପରନୋଭାସ ୨ ରନରେ ଟ୍ରେଲବ୍ଲେଜର୍ସକୁ ପରାସ୍ତ କରିଛି। ଟୁର୍ନାମେଣ୍ଟରେ ଭାଗ ନେଇଥିବା ୩ଟି ଦଳ ଗୋଟିଏ ଲେଖାଏ ବିଜୟ ସହ ୨ ପଏଣ୍ଟ ହାସଲ କରିଛନ୍ତି। ତେବେ ନେଟ୍ ରନ୍ ରେଟ୍ରେ ସୁପରନୋଭାସ ଓ ଟ୍ରେଲବ୍ଲେଜର୍ସ ଫାଇନାଲକୁ ଉଠିଛନ୍ତି। ସୋମବାର ଟାଇଟଲ ପାଇଁ ଏହି ଦୁଇ ଦଳ ମୁକାବିଲାରେ ଅବତୀର୍ଣ୍ଣ ହେବେ। ପ୍ରଥମେ ବ୍ୟାଟିଂ କରି ସୁପରନୋଭାସ ୬ ଉଇକେଟ ୧୪୬ ରନ ସଂଗ୍ରହ କରିଥିଲା। ଜବାବରେ ଟ୍ରେଲବ୍ଲେଜର୍ସ ୫ ଉଇକେଟ ହରାଇ ୧୪୪ ରନରେ ସୀମିତ ରହି ପରାସ୍ତ ହୋଇଥିଲା।
୧୪୭ ରନ ଟାର୍ଗେଟର ପିଛା କରି ଟ୍ରେଲବ୍ଲେଜର୍ସ ଭଲ ଆରମ୍ଭ କରିଥିଲା। ପ୍ରଥମ ଉଇକେଟରେ ଦୁଇ ଓପନର ଡିଏଣ୍ଡ୍ରା ଡଟିନ ଓ ଅଧିନାୟିକା ସ୍ମୃତି ମାନ୍ଧନା ୩୯ ବଲରୁ ୪୪ ରନ ସଂଗ୍ରହ କରିଥିଲେ। ଡଟିନ ୨୭ ରନ (୧୫ ବଲ, ୪ ଚୌକା, ୧ ଛକା) କରି ସାକିରା ସେଲମାନଙ୍କ ଦ୍ୱାରା ଏଲ୍ବିଡବ୍ଲ୍ୟ ହୋଇଥିଲେ। ରିଚା ଘୋଷ ୪ ରନ କରିଥିବା ବେଳେ ସେଲମାନଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ। ଏହାପରେ ମାନ୍ଧନା ୪ ଚୌକା ଓ ୧ ଛକା ସହ ୪୦ ବଲରୁ ୩୩ ରନ କରି ଅନୁଜାଙ୍କ ଦ୍ୱାରା କଟ୍ ଆଣ୍ଡ୍ ବୋଲ୍ଡ ହୋଇଥିଲେ। ଡି. ହେମଲତା ୪ ରନ କରିଥିବା ବେଳେ ଉଇକେଟକିପର ତାନିୟା ଭାଟିଆଙ୍କୁ କ୍ୟାଚ୍ ଦେଇ ରାଧା ଯାଦବଙ୍କ ଶିକାର ହୋଇଥିଲେ। ତେବେ ଏହାପରେ ଦୀପ୍ତି ଶର୍ମା ଓ ହରଲିନ ଦେଓଲ ପଞ୍ଚମ ଉଇକେଟରେ ୨୯ ବଲରୁ ୫୨ ରନ ସଂଗ୍ରହ କରି ଦଳକୁ ବିଜୟର ଦ୍ୱାରରେ ପହଞ୍ଚାଇଥିଲେ। ଦେଓଲ ୨୭ ରନ (୧୫ ବଲ, ୩ ଚୌକା) ରନକରି ଆଉଟ ହେବା ପରେ ଦଳ ପରାସ୍ତ ହୋଇଥିଲା। ଦୀପ୍ତି ୪୩ ରନକରି ଅପରାଜିତ ରହିଥିଲେ ଦଳକୁ ଜିତାଇପାରି ନ ଥିଲେ। ବୋଲିଂରେ ସୁପରନୋଭାସ ତରଫରୁ ରାଧା ଓ ସେଲମାନ ୨ଟି ଲେଖାଏ ଅନୁଜା ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
ଟସ୍ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ସୁପରନୋଭାସ ଜବରଦସ୍ତ ଆରମ୍ଭ କରିଥିଲା। ପ୍ରଥମ ଉଇକେଟରେ ଦୁଇ ଓପନର ପ୍ରିୟା ପୁନିଆ ଓ ଚାମରି ଆଟାପାଟୁ ୭୨ ବଲରୁ ଦ୍ରୁତ ୮୯ ରନ ସଂଗ୍ରହ କରିଥିଲେ। ତେବେ ପୁନିଆ ୩୭ ବଲରୁ ୩ ଚୌକା ସହ ୩୦ ରନ କରି ସଲମାନ ଖାତୁନଙ୍କ ବଲ୍ରେ ଲଙ୍ଗ୍ଅନ୍ରେ ଦୀପ୍ତି ଶର୍ମାଙ୍କୁ କ୍ୟାଚ୍ ଦେଇ ପ୍ରଥମେ ଆଉଟ ହୋଇଥିଲେ। ଏହାପରେ ଆଟାପାଟୁ ୫ ଚୌକା ଓ ୪ ଛକା ସହ ୪୮ ବଲରୁ ୬୭ ରନର ଦ୍ରୁତ ଅର୍ଦ୍ଧଶତକୀୟ ପାଳି ଖେଳି ଆଉଟ ହୋଇଥିଲେ। ସେ ହରଲିନ୍ ଦେଓଲଙ୍କ ବଲ୍ରେ ଲଙ୍ଗ୍ ଅଫ୍ରେ ଡି. ହେମଲତାଙ୍କୁ କ୍ୟାଚ୍ ଦେଇଥିଲେ। ଅଧିନାୟିକା ହରମନପ୍ରୀତ ୨୯ବଲରୁ ଗୋଟିଏ ଲେଖାଏ ଚୌକା ଓ ଛକା ସହ ୩୧ ରନକରି ଦୁର୍ଭାଗ୍ୟଜନକ ଭାବେ ରନ୍ ଆଉଟ୍ ହୋଇଥିଲେ। ବୋଲିଂରେ ଟ୍ରେଲବ୍ଲେଜର୍ସ ତରଫରୁ ଅଭିଜ୍ଞ ଦ୍ରୁତ ବୋଲର ଝୁଲଣ ଗୋସ୍ବାମୀ, ଖାତୁନ ଓ ହରଲିନ୍ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ସୁପରନୋଭାସ ୨୦ ଓଭରରେ ୧୪୬/୬
(ଚାମରି ଆଟାପାଟୁ- ୬୭, ହରମନପ୍ରୀତ- ୩୧, ପୁନିଆ- ୩୦, ଗୋସ୍ବାମୀ- ୧/୧୭, ଖାତୁନ-୧/୨୫, ହରଲିନ୍- ୧/୩୪)।
ଟ୍ରେଲବ୍ଲେଜର୍ସ ୨୦ ଓଭରରେ ୧୪୪/୫
(ମାନ୍ଧନା- ୩୩, ଡଟିନ- ୨୭, ଦୀପ୍ତି- ୪୩*, ଦେଓଲ- ୨୭, ସେଲମାନ- ୨/୩୧, ଅନୁଜା- ୧/୧୮, ରାଧା- ୨/୩୦ )