Sophie Ecclestone of Trailblazers receives Player of the Match award during the presentation of the match 2 of the Jio Women’s T20 Challenge 2020 between the Velocity and the Trailblazers held at the Sharjah Cricket Stadium, Sharjah in the United Arab Emirates on the 5th November 2020. Photo by: Deepak Malik / Sportzpics for BCCI
ଶାରଜା: ମହିଳା ଟି୨୦ ଚ୍ୟାଲେଞ୍ଜ କ୍ରିକେଟ ପ୍ରତିଯୋଗିତାର ପ୍ରଥମ ମ୍ୟାଚରେ ସୁପରନୋଭାସକୁ ୫ ଉଇକେଟରେ ହରାଇଥିବା ଭେଲୋସିଟି ଗୁରୁବାର ଦ୍ୱିତୀୟ ମ୍ୟାଚରେ ଟ୍ରେଲବ୍ଲେଜର୍ସଠାରୁ ଶୋଚନୀୟ ପରାଜୟ ବରଣ କରିଛି। କେବଳ ସେତିକି ନୁହେଁ ମାତ୍ର ୪୭ ରନରେ ଅଲଆଉଟ ହୋଇଥିବାରୁ ଭେଲୋସିଟିର ରନହାର ମଧ୍ୟ କମିଯାଇଛି। ଅନ୍ୟପକ୍ଷରେ ସହଜ ବିଜୟ ସହ ଟ୍ରେଲ୍ବ୍ଲେଜର୍ସ ଫାଇନାଲ ଖେଳିବା ଆଶା ଉଜ୍ଜୀବିତ କରିଛି। ବିଜୟ ଲକ୍ଷ୍ୟକୁ ସ୍ମୃତି ମାନ୍ଧାନାଙ୍କ ଦଳ ୭.୫ ଓଭରରେ ମାତ୍ର ୧ ଉଇକେଟ ହରାଇ ଅତିକ୍ରମ କରି ଯାଇଥିଲା। ଅଧିନାୟିକା ସ୍ମୃତି ୬ ରନ କରି ଆଉଟ ହୋଇଥିବାବେଳେ ଡିଣ୍ଡ୍ରା ଡୋଟିନ ୨୯ ଓ ରିଚା ଘୋଷ ୧୩ ରନରେ ଅପରାଜିତ ରହିଥିଲେ। ଭେଲୋସିଟିର ଲେଗ୍ କାସ୍ପେରେକ୍ ଏକମାତ୍ର ଉଇକେଟଟି ପାଇଥିଲେ।
ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭେଲୋସିଟି ସାଂଘାତିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୧୫.୧ ଓଭରରେ ୪୭ ରନରେ ଅଲଆଉଟ ହୋଇଥିଲା। ଦଳ ପକ୍ଷରୁ ଶେଫାଳି ବର୍ମା ସର୍ବାଧିକ ୧୩ ରନ କରିଥିବାବେଳେ ଅଧିନାୟିକା ମିଥାଲି ରାଜଙ୍କ ସମେତ ୮ ଜଣ ବ୍ୟାଟ୍ସଓମ୍ୟାନ ଦୁଇଅଙ୍କ ସ୍ପର୍ଶ କରିପାରି ନ ଥିଲେ। ଇଂଲଣ୍ଡ ସ୍ପିନର ସୋଫି ଏକ୍ଲେଷ୍ଟୋନ୍ ଚମତ୍କାର ବୋଲିଂ କରି ୩.୧ ଓଭରରେ ଗୋଟିଏ ମେଡେନ ନେବାସହ ମାତ୍ର ୯ ରନ ଦେଇ ୪ଟି ଉଇକେଟ ନେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଝୁଲଣ ଗୋସ୍ବାମୀ ଓ ରାଜେଶ୍ୱରୀ ଗାଏକ୍ୱାଡ୍ ୨ଟି ଲେଖାଏ ଏବଂ ଦୀପ୍ତି ଶର୍ମା ଗୋଟିଏ ଉଇକେଟ ନେଇଥିଲେ। ଭେଲୋସିଟି ପକ୍ଷରୁ ଓଡ଼ିଶାର ସୁଶ୍ରୀ ଦିବ୍ୟଦର୍ଶିନୀ ଏହି ମ୍ୟାଚରେ ପ୍ରତିନିଧିତ୍ୱ କରିଥିଲେ। ବ୍ୟାଟିଂ ସମୟରେ ସେ ମାତ୍ର ଗୋଟିଏ ବଲ୍ ଖେଳି ଗାଏକ୍ୱାଡ୍ଙ୍କ ବଲ୍ରେ ଏଲବିଡବ୍ଲ୍ୟୁ ହୋଇ ଯାଇଥିବାବେଳେ ବୋଲିଂରେ ୧ ଓଭର ବୋଲିଂ ସୁଯୋଗ ପାଇ ୯ ରନ ବ୍ୟୟ କରିଥିଲେ। ପ୍ରଭାବୀ ବୋଲିଂ ପାଇଁ ଏକ୍ଲେଷ୍ଟୋନ୍ ପ୍ଲେୟର ଅଫ୍ ଦି ମ୍ୟାଚ ବିବେଚିତ ହୋଇଥିଲେ।
ସଂକ୍ଷିପ୍ତ ସ୍କୋର
ଭେଲୋସିଟି ୧୫.୧ ଓଭରରେ ୪୭/ଅଲଆଉଟ(ଶେଫାଳି-୧୩, ଏକ୍ଲେଷ୍ଟୋନ୍-୪/୯, ଝୁଲଣ-୨/୧୩, ଗାଏକ୍ୱାଡ-୨/୧୩, ଦୀପ୍ତି-୧/୮)। ଟ୍ରେଲବ୍ଲେଜର୍ସ ୭.୫ ଓଭରରେ ୪୯/୧(ଡୋଟିନ-୨୯*, ରିଚା-୧୩*, କାସ୍ପେରେକ୍-୧/୫)।