ସିଂହପୁର,୧୨।୧୦(ଅନଙ୍ଗ ଉଦୟ ବେଉରିଆ): ପୋଲିସ ପ୍ରଶାସନର ସ୍ଥାଣୁତା ଏବଂ ଅସାଧୁ ନୀତି ଯୋଗୁ ଗ୍ରାମାଞ୍ଚଳରେ ଚୋରା ମଦ କାରବାର କାୟାବିସ୍ତାର କରିବାରେ ଲାଗିଛି। ଫଳରେ ମହିଳାମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଏହିପରି ଘଟଣା ଦେଖିବାକୁ ମିଳିଛି ବିଂଝାରପୁର ଥାନା ଅନ୍ତର୍ଗତ ଜରି ଫାଣ୍ଡି ଅଧୀନ ଜରି ଅଢ଼େଇ ସାହି ଗ୍ରାମରେ ।

ଗ୍ରାମର ୪ରୁ ୫ଜଣ ଚୋରା ମଦ ବେପାରୀ ବିପୁଳ ପରିମାଣରେ ମଦ ଆଣି ଗାଁରେ ବିକ୍ରି କରୁଛନ୍ତି । ଫଳରେ ଯୁବଗୋଷ୍ଠୀ ମଦ୍ୟପାନ କରି ପଥଭ୍ରଷ୍ଟ ହେବା ସହ ଅଞ୍ଚଳରେ ଆପରାଧିକ କାର୍ଯ୍ୟ କରୁଛନ୍ତି। ଏନେଇ ଗାଁରେ ଅଶାନ୍ତି ପରିବେଶ ସହ ଭୟର ବାତାବରଣ ସୃଷ୍ଟି ହେଉଛି।

ଏପରିକି ମଦ ପିଇ ବହୁ ପରିବାର ସର୍ବସ୍ବାନ୍ତ ହେଉଛନ୍ତି । ମହିଳାମାନେ ସନ୍ଧ୍ୟା ହେଲେ ରାସ୍ତାରେ ଚାଲିବାକୁ ଅସୁରକ୍ଷିତ ମଣୁଛନ୍ତି । ଏହି ସମ୍ପର୍କର ସ୍ଥାନୀୟ ଲୋକେ ପୋଲିସ ପ୍ରସାସନ ନିକଟରେ ଅଭିଯୋଗ କରୁଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଫଳରେ ବେପାରୀମାନେ ବେଧଡ଼କ ମଦ ବିକ୍ରି କରୁଛନ୍ତି। ଏହାର ପ୍ରତିବାଦରେ ସ୍ଥାନୀୟ ଅଞ୍ଚଳର ଶତାଧିକ ମହିଳା ହନୁମାନ ଛକ ନିକଟ ମଦ ବେପାରୀଙ୍କ ଘର ସମ୍ମୁଖରେ ହରତାଳ କରିଥିଲେ। ତୁରନ୍ତ ଗାଁରେ ମଦ ବିକ୍ରି ବନ୍ଦ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି କରିଥିଲେ। ଦାବି ପୂରଣ ନ ହେଲେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ମହିଳାମାନେ ଚେତାବନୀ ଦେଇଛନ୍ତି। ଏଥିପ୍ରତି ଜିଲା ଆରକ୍ଷୀ ଅଧିକ୍ଷକ ଦୃଷ୍ଟି ଦେଇ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ମହିଳାଙ୍କ ସହ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

Dharitri – Odisha’s No.1 Odia Daily

Share