Categories: ଖେଳ

ଅଷ୍ଟ୍ରେଲିଆ ଟୁର୍‌ରେ ଯିବ ମହିଳା ହକି ଦଳ

ନୂଆଦିଲ୍ଲୀ, ୧୧ା୪: ଭାରତୀୟ ମହିଳା ହକି ଦଳ ଅଷ୍ଟ୍ରେଲିଆ ଟୁର୍‌ରେ ଯିବ। ଦଳ ସେଠାରେ ଏପ୍ରିଲ ୨୬ରୁ ମେ ୪ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଏକ ସିରିଜ ଖେଳିବ। ଅଷ୍ଟ୍ରେଲିଆ ‘ଏ’ ବିପକ୍ଷରେ ଦୁଇଟି ମ୍ୟାଚ ଖେଳି ଭାରତ ଏହାର ଅଭିଯାନ ଆରମ୍ଭ କରିବ। ପରେ ସେମାନେ ଅଷ୍ଟ୍ରେଲିଆ ସିନିୟର ଦଳ ସହ ୩ଟି ମ୍ୟାଚ ଖେଳିବେ। ଟୁର୍‌ ବେଳେ ଅଷ୍ଟ୍ରେଲିଆ ‘ଏ’ ବିପକ୍ଷରେ ପଛକୁ ପଛ ମ୍ୟାଚ ଏପ୍ରିଲ ୨୬ ଓ ୨୭ରେ ଖେଳାଯିବ।

ପରେ ବିଶ୍ୱ ୫ ନମ୍ବର ଦଳ ଅଷ୍ଟ୍ରେଲିଆ ସିନିୟର ଦଳ ସହିତ ତିନୋଟି ମ୍ୟାଚ ମେ ୧, ୩ ଓ ୪ରେ ଖେଳାଯିବ। ଏହି ସମସ୍ତ ମ୍ୟାଚ ପର୍ଥ ହକି ଷ୍ଟାଡିୟମରେ ଖେଳାଯିବ। ଆସନ୍ତା ଜୁନ୍‌ରେ ଏଫ୍‌ଆଇଏଚ୍‌ ପ୍ରୋ-ଲିଗ୍‌ ୨୦୨୪-୨୫ ଲାଗି ପ୍ରସ୍ତୁତି କ୍ଷେତ୍ରରେ ଏହି ଟୁର୍‌ ଗୁରୁତ୍ୱପୂର୍ଣ୍ଣ ବୋଲି ବିଚାର କରାଯାଉଛି। ନବମ ର଼୍ୟାଙ୍କିଙ୍ଗପ୍ରାପ୍ତ ଭାରତ ଏହି ସିରିଜ ପୂର୍ବରୁ ଭୁବନେଶ୍ୱରରେ ବିଶ୍ୱର ନମ୍ବର-୧ ନେଦରଲାଣ୍ଡ୍ସ ବିପକ୍ଷ ମ୍ୟାଚ ୨-୨ ଡ୍ର ରଖିବା ସହ ରୋମାଞ୍ଚକ ଶୁଟ୍‌ ଆଉଟ୍‌ରେ ବୋନସ ପଏଣ୍ଟ ଅର୍ଜନ କରିଥିବାରୁ ଏହାର ମନୋବଳ ଉଚ୍ଚା ରହିଛି। ଏଫ୍‌ଆଇଏଚ୍‌ ପ୍ରୋ-ଲିଗ୍‌ ୨୦୨୩-୨୪ରେ ଅଷ୍ଟ୍ରେଲିଆ ସହ ଗତ ଥର ଭେଟରେ ଭାରତ ୧-୦ରେ ବିଜୟ ଲାଭ କରିଥିଲା।

ତେବେ ୨୦୧୩ ପରେ ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ୧୬ଟି ମ୍ୟାଚ ମଧ୍ୟରୁ ୧୦ଟି ଅଷ୍ଟ୍ରେଲିଆ ବିଜୟ ଲାଭ କରିଛି। ଭାରତ ତିନୋଟିରେ ବିଜୟ ଲାଭ କରିଥିବାବେଳେ ଅନ୍ୟ ତିନୋଟି ଡ୍ର ରଖିପାରିଛି। ଭାରତର ମୁଖ୍ୟ କୋଚ୍‌ ହରେନ୍ଦ୍ର ସିଂ କହିଛନ୍ତି, ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ରେ ୟୁରୋପିଆନ ଲେଗ୍‌ ପାଇଁ ପ୍ରସ୍ତୁତି ସକାଶେ ଏହି ଟୁର୍‌ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଅଷ୍ଟ୍ରେଲିଆ ଭଳି ଶକ୍ତିଶାଳୀ ଦଳ ବିପକ୍ଷରେ ଖେଳିବା ଦ୍ୱାରା ଆମେ ଆମର ଶକ୍ତିସାମର୍ଥ୍ୟ କଳିପାରିବୁ।

Share