ଲିଭ୍‌ ଇନ୍‌ ରିଲେଶନଶିପ୍‌ରେ ମହିଳାଙ୍କୁ ସ୍ତ୍ରୀ ମାନ୍ୟତା ମିଳିବା ଆବଶ୍ୟକ: ହାଇକୋର୍ଟ

ଚେନ୍ନାଇ,୨୧ା୧: ଲିଭ୍‌-ଇନ୍‌ ରିଲେଶନଶିପ୍‌ରେ ଥିବା ମହିଳାଙ୍କୁ ଗାନ୍ଧର୍ବ ବିବାହ ବା ପ୍ରେମ ବିବାହ ଅନୁଯାୟୀ ସ୍ତ୍ରୀର ମାନ୍ୟତା ପ୍ରଦାନ ସହ ସୁରକ୍ଷା ଦିଆଯିବା ଆବଶ୍ୟକ। ଫଳରେ ଯଦି ଭବିଷ୍ୟତରେ ଅଶାନ୍ତି ଦେଖାଦିଏ, ତେବେ ମହିଳା ଜଣଙ୍କୁ ସ୍ତ୍ରୀର ଅଧିକାର ମିଳିପାରିବ ବୋଲି ମାଡ୍ରାସ ହାଇକୋର୍ଟର ମଦୁରାଇ ବେଞ୍ଚ୍‌ କହିଛନ୍ତି। ଜଣେ ବ୍ୟକ୍ତିଙ୍କ ଅନ୍ତରୀଣ ଜାମିନ ଆବେଦନକୁ ଖାରଜ କରିବା ଅବସରରେ ଖଣ୍ଡପୀଠ ଉପରୋକ୍ତ ଟିପ୍ପଣୀ ଦେଇଛନ୍ତି। ଉକ୍ତ ବ୍ୟକ୍ତି ଜଣେ ମହିଳାଙ୍କ ସହ ରିଲେଶନଶିପ୍‌ରେ ରହିବା ସହ ତାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଅନେକ ଥର ଯୌନ ସମ୍ପର୍କ ରଖିଥିଲେ। ପରେ ସେ ବିବାହ କରିବାକୁ ମନା କରିଦେଇଥିଲେ। ଆଧୁନିକତାର ଫାଶ ଓ ସଂସ୍କୃତିରେ ପଡ଼ିଥିବା ମହିଳାମାନଙ୍କୁ ଅଦାଲତ ସୁରକ୍ଷା ଦେବାକୁ ହେବ ବୋଲି ବିଚାରପତି ଏସ୍‌. ଶ୍ରୀମାଥି କହିଛନ୍ତି। ପୁରାତନ ଭାରତରେ ୮ ପ୍ରକାରର ବିବାହ ପ୍ରଥା ଚଳୁଥିଲା। ସେଥିରୁ ଗୋଟିଏ ହେଉଛି ଗାନ୍ଧର୍ବ ବିବାହ ବା ପ୍ରେମ ବିବାହ। ଲିଭ୍‌ ଇନ୍‌ ରିଲେଶନଶିପ୍‌କୁ ଗାନ୍ଧର୍ବ ବିବାହର ସ୍ବୀକୃତି ଦିଆଯାଇପାରେ ବୋଲି ବିଚାରପତି କହିଛନ୍ତି। ଏପରିକି ଛାଡ଼ପତ୍ର ପରେ ମଧ୍ୟ ମହିଳାଙ୍କୁ ଆଇନଗତ ସୁରକ୍ଷା ଦିଆଯାଉଛି। ସମ୍ପ୍ରତି ମହିଳାମାନଙ୍କର ଏକ ଦୁର୍ବଳ ବର୍ଗ ଲିଭ୍‌-ଇନ୍‌ ରିଲେଶନଶିପ୍‌ ଧାରଣାର ଶିକାର ହେଉଛନ୍ତି, ଯେଉଁମାନଙ୍କୁ ସୁରକ୍ଷା ମିଳୁନାହିଁ। ବାସ୍ତବରେ ଏଭଳି ସମ୍ପର୍କ ଭାରତୀୟ ସମାଜକୁ ଏକ ସାଂସ୍କୃତିକ ଧକ୍କା ବୋଲି ଖଣ୍ଡପୀଠ କହିଛନ୍ତି।

Dharitri – The Largest & Most Trusted Odia Daily