ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ ୨୪ତମ ତୀର୍ଥଙ୍କର ହୋଇଥିଲେ ମଧ୍ୟ ସେମାନେ ଏହା ପୂର୍ବରୁ ବିବାହ କରିଥିଲେ। କିନ୍ତୁ ଗାଙ୍ଗେୟ ସମତଳ ତଥା ଦକ୍ଷିଣ ଭାରତର ଦିଗମ୍ବର ତୀର୍ଥଙ୍କରମାନେ ବିବାହିତ ନୁହନ୍ତି। ଉଭୟ ପରମ୍ପରା ଏକମତ ଯେ, ୨୨ତମ ତୀର୍ଥଙ୍କର ନେମିନାଥ ତାଙ୍କ ବାହାଘରଦିନ ବିବାହ କରିବାକୁ ମନା କରିଦେଇଥିଲେ। ବିବାହ ଭୋଜି ଲାଗି କଟାଯିବାକୁ ଥିବା ପଶୁଙ୍କ ଚିତ୍କାର ଶୁଣି ତାଙ୍କ ମନ ବ୍ୟଥିତ ହୋଇଥିଲା ଏବଂ ସେ ସନ୍ନ୍ୟାସୀ ହେବାକୁ ଚାହିଁଥିଲେ। ରାଜୁଲ କିମ୍ବା ରାଜମତି ନେମିନାଥଙ୍କ ନିଷ୍ପତ୍ତି ହୃଦୟଙ୍ଗମ କରି ଅବିବାହିତ ରହିଲେ। ଦିନେ ରାଜମତି ବର୍ଷାରେ ଭିଜିଗଲେ ଓ ଏକ ଗୁମ୍ଫାରେ ଆଶ୍ରୟ ନେଇଥିଲେ। ରାଜମତିଙ୍କ ଦିଅର ରଥନେମି ତାଙ୍କ ସୁନ୍ଦର ଶରୀର ଦେଖି ସେ ଶପଥ ଭଙ୍ଗ କରି ବିବାହ କରିବା ପାଇଁ ତାଙ୍କୁ ମନାଇବାକୁ ଚେଷ୍ଟା କରିଥିଲେ। ରାଜମତି ମନା କରିବା ସହ ତାଙ୍କୁ ଜୈନପଥରେ ଅଟଳ ରହିବାକୁ ବୁଝାଇଲେ।
ସନ୍ନ୍ୟାସୀ କିମ୍ବା ଭିକ୍ଷୁ ହେବା ପାଇଁ ବିବାହଠାରୁ ଦୂରେଇ ଯାଉଥିବା ପୁରୁଷଙ୍କ କାହାଣୀ ଜୈନ ପୁରାଣରେ ଉଲ୍ଲେଖ ରହିଛି। କିନ୍ତୁ ଏକ୍ଷେତ୍ରରେ ମହିଳାଙ୍କ ପ୍ରତିକ୍ରିୟାର ବର୍ଣ୍ଣନା ରହିଛି। କେତେକ କ୍ଷେତ୍ରରେ ମହିଳାମାନେ ପୁରୁଷଙ୍କୁ ସନ୍ନ୍ୟାସୀ ହେବା ପାଇଁ ସହଯୋଗ କରିବା ସହ ରାଜମତିଙ୍କ ପରି ଅବିବାହିତ ରହିଛନ୍ତି। ଅନ୍ୟ କ୍ଷେତ୍ରରେ ସେମାନେ ଏହାକୁ ପ୍ରତିରୋଧ ବି କରିଛନ୍ତି। ଜଣେ ସହଯୋଗୀ ସ୍ତ୍ରୀଙ୍କ କଥା ଏଠାରେ ଆଲୋଚନା କରିବା। ଜଣେ କୃଷକ ଏବଂ ତାଙ୍କ ସ୍ତ୍ରୀ ଜୈନଧର୍ମରେ ପ୍ରଭାବିତ ହୋଇ ସନ୍ନ୍ୟାସୀ ଓ ସନ୍ନ୍ୟାସିନୀ ପାଲଟିଗଲେ। ବହୁ ବର୍ଷ ପରେ ଭ୍ରମଣ କରିବା ଭିତରେ ଥରେ ପରସ୍ପରଙ୍କ ସାକ୍ଷାତ୍‌ ହେଲା। ସନ୍ନ୍ୟାସୀଙ୍କ ମନରେ ପୁଣି ସ୍ତ୍ରୀଙ୍କୁ ପାଇବା ଲାଗି ଆଗ୍ରହ ଜନ୍ମିଲା ଏବଂ ଅନ୍ୟ ଜଣେ ସନ୍ନ୍ୟାସିନୀଙ୍କ ମାଧ୍ୟମରେ ତାଙ୍କ ସ୍ତ୍ରୀଙ୍କୁ ଏ ବିଷୟରେ ଜଣାଇଲେ। ସନ୍ନ୍ୟାସୀ ତାଙ୍କ ସନ୍ନ୍ୟାସ ଜୀବନ ଭଙ୍ଗ କରିବାକୁ ଇଚ୍ଛା କରୁଥିବା ଜାଣି ସ୍ତ୍ରୀ ଦୁଃଖିତ ହେଲେ। ଏପରି ଘଟଣାକୁ ରୋକିବା ପାଇଁ ସେ ଖାଦ୍ୟ ତ୍ୟାଗ କରି ନିଜକୁ ଭୋକରେ ମରିବାକୁ ସ୍ଥିର କଲେ। ଯେତେବେଳେ କୃଷକ (ସନ୍ନ୍ୟାସୀ) ତାଙ୍କ ସ୍ତ୍ରୀଙ୍କ ଏଭଳି କାର୍ଯ୍ୟ ସମ୍ପର୍କରେ ଶୁଣିଲେ, ସେତେବେଳେ ସେ ମଧ୍ୟ ଖାଦ୍ୟ ଛାଡ଼ିଦେଇ ମୃତ୍ୟୁବରଣ କଲେ। ଏହି କାହାଣୀ ଏକାଦଶ ଶତାବ୍ଦୀର ପ୍ରଦ୍ୟୁମ୍ନ ସୁରିଙ୍କ ମୂଳଶୁଦ୍ଧି ପ୍ରକରଣରେ ରହିଛି। ଆଉ ଜଣେ ଉଗ୍ର ସ୍ବଭାବର ସ୍ତ୍ରୀଙ୍କ କାହାଣୀ ଅଛି। ଜଣେ ରାଜକୁମାର ତାଙ୍କ ସ୍ତ୍ରୀଙ୍କଠାରୁ ଦୂରେଇ ଯାଇ ସନ୍ନ୍ୟାସୀ ହେବାକୁ ନିଷ୍ପତ୍ତି ନେଲେ। ଏଥିରେ ତାଙ୍କ ସ୍ତ୍ରୀ ଏତେ ରାଗିଥିଲେ ଯେ ତାଙ୍କ ମୃତ୍ୟୁ ପରେ ସେ ଜଣେ ଅନିଷ୍ଟକାରୀ ଦେବୀ ହୋଇଗଲେ। ତାଙ୍କ ପୂର୍ବଜନ୍ମର କଥା ମନେଥିଲା ଏବଂ ସେତେବେଳେ ବରିଷ୍ଠ ଭିକ୍ଷୁ ହୋଇଥିବା ତାଙ୍କ ସ୍ବାମୀଙ୍କୁ ଶିକ୍ଷା ଦେବାକୁ ନିଷ୍ପତ୍ତି ନେଲେ। ସେଲାନା ନାମ୍ନୀ ଜଣେ ମହିଳାଙ୍କଠାରୁ ଭିକ୍ଷା ମାଗୁଥିବାବେଳେ ତାଙ୍କ ସ୍ବାମୀଙ୍କ ଶରୀରରେ ସେ ଯୌନ ଉଦ୍ଦୀପନା ଲକ୍ଷଣ ସୃଷ୍ଟି କରିଥିଲେ। ସେଲାନା ଜାଣିଥିଲେ ଯେ, ସେ ଜଣେ କାମନାମୁକ୍ତ ପୁରୁଷ। ତେଣୁ ସେ ତାଙ୍କ ଯୌନ ଉଦ୍ଦୀପନାକୁ ଅଣଦେଖା କଲେ ଏବଂ ସନ୍ନ୍ୟାସୀଙ୍କର ଶାରୀରିକ ଲକ୍ଷଣକୁ ଅନ୍ୟମାନଙ୍କ ନଜରରୁ ହଟାଇବା ଲାଗି ତାଙ୍କ ଉପରେ ପୋଷାକ ଢାଙ୍କି ଦେଲେ। ସନ୍ନ୍ୟାସୀ ଶେଷରେ ଆତ୍ମଉପଲବ୍ଧି ହାସଲ କଲେ ଏବଂ ଏଥିପାଇଁ ସବୁ ଶ୍ରେୟ ସେଲାନାଙ୍କୁ ଦେଲେ। ଏହି କାହାଣୀ ଦଶମ ଶତାବ୍ଦୀର ହରିସେଣଙ୍କ ବୃହତ୍‌ କଥାକୋଷରୁ ଆସିଛି।
ହେମଚନ୍ଦ୍ରଙ୍କ ଦ୍ୱାଦଶ ଶତାବ୍ଦୀର ପରିଶିଷ୍ଟ ପର୍ବଣରେ ବର୍ଣ୍ଣନା କରାଯାଇଛି ଯେ, ସୁନନ୍ଦାଙ୍କ ଭାଇ, ସ୍ବାମୀ ଓ ପୁଅ ଜୈନ ସନ୍ନ୍ୟାସୀ ହୋଇଥିଲେ। ଏଥିରେ ସେ ଭାଙ୍ଗିପଡ଼ି ନିଜେ ସନ୍ନ୍ୟାସିନୀ ହେବା ପାଇଁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ରବିସେଣଙ୍କ ସପ୍ତମ ଶତାବ୍ଦୀର ପଦ୍ମ ପୁରାଣରେ ଉଲ୍ଲେଖ ରହିଛି, ସହଦେବୀଙ୍କ ସ୍ବାମୀ ସନ୍ନ୍ୟାସୀ ହୋଇଯିବା ପରେ ପୁଅ ଯେତେବେଳେ ସନ୍ନ୍ୟାସୀ ହେଲେ, ସେତେବେଳେ ସେ ସହଯୋଗ କରି ନ ଥିଲେ। ଫଳରେ ସେ ମୃତ୍ୟୁବରଣ କଲାପରେ ବାଘୁଣୀ ଭାବେ ପୁନର୍ଜନ୍ମ ଲାଭ କରି ତାଙ୍କ ପୁଅକୁ ଖାଇଥିଲେ। ତାଙ୍କ ସ୍ବାମୀ କିନ୍ତୁ ବାଘୁଣୀ ଉପରେ ରାଗି ନ ଥିଲେ। ତାଙ୍କ ଶାନ୍ତ ସ୍ବଭାବ ଦେଖି ବାଘୁଣୀ ଅନୁତାପ କଲା ଏବଂ ପରଜନ୍ମରେ ପୁଣି (ସହଦେବୀ) ମଣିଷ ଜୀବନ ପାଇଲେ ଏବଂ ଜୈନପଥ ଅନୁସରଣ କରିଥିଲେ।
ଏମିତି ବି ଏକ କାହାଣୀ ଅଛି, ଯେଉଁଠାରେ ମହିଳାମାନେ ପୁରୁଷମାନଙ୍କୁ ବିବାହ ପରିବର୍ତ୍ତେ ସନ୍ନ୍ୟାସ ଜୀବନ ପାଇଁ ପ୍ରବର୍ତ୍ତାଇଛନ୍ତି। ଏହା ଶ୍ୱେତାମ୍ବର ପରମ୍ପରାର ଊନବଂଶ ତୀର୍ଥଙ୍କର ମଲ୍ଲୀନାଥଙ୍କ କାହାଣୀ। ମଲ୍ଲୀଙ୍କୁ ବିବାହ କରିବା ପାଇଁ ୬ଜଣ ରାଜକୁମାର ତାଙ୍କ ପିତାଙ୍କ ବିରୋଧରେ ଯୁଦ୍ଧ ଘୋଷଣା କରିବା ସହ ପରସ୍ପର ମଧ୍ୟରେ ଯୁଦ୍ଧ ଡାକରା ଦେଇଥିଲେ। ମଲ୍ଲୀ ଏହା ଜାଣବା ପରେ ସେମାନଙ୍କୁ ନିଜ ଉଆସକୁ ନିମନ୍ତ୍ରଣ କଲେ। ସେଠାରେ ରାଜକୁମାରମାନେ ମଲ୍ଲୀଙ୍କ ପରି ଦେଖାଯାଉଥିବା ଏକ ପ୍ରତିମୂର୍ତ୍ତି ଦେଖିଲେ ଓ ତାହା ପାଖକୁ ଯିବା ପରେ ସେଥିରୁ ଦୁର୍ଗନ୍ଧ ବାହାରୁଥିବା ଜାଣି ଘୃଣା କରି ପଛକୁ ହଟିଆସିଲେ। ରାଜକୁମାରୀ ରାଜକୁମାରଙ୍କୁ ବୁଝାଇ କହିଥିଲେ ଯେ, ଜୀବନର ଲକ୍ଷ୍ୟ ଶରୀରର ମାଂସକୁ ଲୋଭ କରିବା ନୁହେଁ ବରଂ ଆତ୍ମାକୁ ଜାଣିବା। ତେଣୁ ତାଙ୍କ ଶରୀର ପାଇବା ଲାଗି ଯୁଦ୍ଧ କରିବା ପରିବର୍ତ୍ତେ ସେମାନେ ଜୈନପଥ ଅନୁସରଣ କରିବା ଉଚିତ। ତା’ପରେ ରାଜକୁମାରୀ ମଲ୍ଲୀ ସଂସାର ଛାଡ଼ି ସନ୍ନ୍ୟାସିନୀ ହୋଇଯିବା ପରେ ୬ଜଣ ରାଜକୁମାର ମଧ୍ୟ ସନ୍ନ୍ୟାସୀ ହୋଇଗଲେ। କିନ୍ତୁ ଦିଗମ୍ବର ପରମ୍ପରାରେ ବର୍ଣ୍ଣନା ରହିଛି, ମଲ୍ଲୀନାଥ ପୁରୁଷ ଥିଲେ, କାରଣ ଏଥିରେ ବିଶ୍ୱାସ ରହିଥିଲା ଯେ ମହିଳା ଆତ୍ମସାକ୍ଷାତ୍‌ କରିପାରିବ ନାହିଁ।
ସପ୍ତମ ଶତାବ୍ଦୀରେ ରବିସେଣଙ୍କ ପଦ୍ମ ପୁରାଣରେ ରାଜା ନାଘୁଶା ଏବଂ ରାଣୀ ସିଂହିକା ବିଷୟରେ ଉଲ୍ଲେଖ କରାଯାଇଛି। ରାଜା ଉତ୍ତରରେ ଶତ୍ରୁମାନଙ୍କ ସହିତ ଲଢ଼େଇ କରୁଥିବାବେଳେ ଦକ୍ଷିଣପଟୁ ବି ଆକ୍ରମଣ କରାଯାଇଥିଲା। ତେଣୁ ସିଂହିକା କିଛି ସୈନିକଙ୍କ ସହାୟତାରେ ଦକ୍ଷିଣପଟୁ ଆକ୍ରମଣ କରୁଥିବା ଶତ୍ରୁଙ୍କୁ ପଛକୁ ହଟାଇଦେଲେ। ହେଲେ ବିଜୟୀ ରାଜା ଅସନ୍ତୁଷ୍ଟ ଥିଲେ। କାରଣ ସେ ଅନୁଭବ କରୁଥିଲେ ଯେ, ଯୁଦ୍ଧକୁ ଯାଉଥିବା ଜଣେ ମହିଳା ଶୁଦ୍ଧ ନାରୀ ହୋଇପାରିବେ ନାହିଁ। ଫଳରେ ସେ ରାଣୀଙ୍କଠାରୁ ଦୂରେଇ ଗଲେ। ପରେ ରାଜା ଅସୁସ୍ଥ ହେବାରୁ ଡାକ୍ତରମାନେ କହିଲେ, କେବଳ ଜଣେ ଶୁଦ୍ଧ ନାରୀ ଜଳ ଦେଇ ତାଙ୍କୁ ସୁସ୍ଥ କରିପାରିବ। ସିଂହିକା ତାଙ୍କୁ ପାଣି ଦେବା ପରେ ରାଜା ସୁସ୍ଥ ହୋଇଥିଲେ। ରାଣୀଙ୍କୁ ରାଜା କ୍ଷମା ମାଗି ପୁଅକୁ ସିଂହାସନରେ ବସାଇ ସନ୍ନ୍ୟାସୀ ହୋଇଯାଇଥିଲେ।

ଦେବଦତ୍ତ ପଟ୍ଟନାୟକ
-devduttofficial@gmail.com