ଟିକାକରଣ କେନ୍ଦ୍ରରେ ମହିଳାଙ୍କ ସଂଘର୍ଷ: ମାର୍‌ପିଟ୍‌ ପରେ ପରସ୍ପରର ଚୁଟି ଟାଣିଲେ; ଭିଡିଓ ଦେଖିଲେ..

ଖାର୍ଗୋନ,୨୩।୭: ମଧ୍ୟପ୍ରଦେଶର ଖାର୍ଗୋନ ଜିଲାରେ କୋଭିଡ ଟୀକାକରଣକୁ ନେଇ ଲୋକଙ୍କ ମଧ୍ୟରେ ପ୍ରବଳ ସଂଘର୍ଷ ହୋଇଛି। ଟୀକାକରଣ ଅଭିଯାନକୁ ନେଇ ଲୋକଙ୍କ ମଧ୍ୟରେ ବହୁତ ଉତ୍ସାହ ରହିଛି। ଫଳସ୍ବରୂପ ଟୀକାଦାନ କେନ୍ଦ୍ରଗୁଡ଼ିକରେ ବହୁ ସଂଖ୍ୟାରେ ଲୋକ ଭିଡ ଜମାଉଛନ୍ତି। ଏହା ବେଳେବେଳେ ପ୍ରଶାସନ ପାଇଁ ସମସ୍ୟା ସୃଷ୍ଟି କରୁଛି। ଖାର୍ଗୋନର କସରାଓ୍ବାଡ ତହସିଲର ଏକ ଗାଁରୁ ଏଭଳି ଏକ ମାମଲା ସାମ୍ନାକୁ ଆସିଛି। ଏଠାର ଏକ ଟୀକାକରଣ କେନ୍ଦ୍ରରେ ମହିଳାମାନେ ପରସ୍ପର ସହ ଝଗଡ଼ା କରିବା ସହ ମାର୍‌ପିଟ୍‌ କରିଥିବା ଜଣାପଡ଼ିଛି।

ଜିଲା ମୁଖ୍ୟାଳୟରୁ ୪୦ କିମି ଦୂରରେ ଥିବା କସରାଓ୍ବାଡ୍‌ ତହସିଲର ଖାଲବୁଜୁର୍ଗ ଗାଁର ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରିବୁଲୁଛି। ଭିଡିଓରେ ମହିଳାମାନେ ଏକ ଲମ୍ବା ଲାଇନ୍‌ରେ ଛିଡ଼ା ହୋଇଥିବା ଦେଖାଯାଉଛି। ପରେ ସେମାନେ ଟିକା ଲଗାଇବାକୁ ନେଇ ପରସ୍ପର ସହ ସଂଘର୍ଷ କରୁଛନ୍ତି। ପ୍ରଥମେ ପ୍ରଥମେ ଯୁକ୍ତି ହୋଇଥିବା ବେଳେ ଧିରେ ଧିରେ ଏହା ମାର୍‌ପିଟ୍‌ ଆଡକୁ ଯାଇଥିଲା। ପରେ ମହିଳାମାନେ ଜଣେ ଅନ୍ୟଜଣର ଚୁଟି ଟାଣିଥିଲେ। ବିଶେଷକରି ଜଣେ ମହିଳାଙ୍କ ଚୁଟି ଏତେ ଜୋର୍‌ରେ ଟଣାଯାଇଥିଲା ସେ ଦୂରରେ ଯାଇ ପଡ଼ିଥିଲେ।

ସେଠାରେ ଉପସ୍ଥିତ କିଛି ପୁରୁଷ ମହିଳାଙ୍କୁ ଛଡ଼ାଇବାକୁ ଚେଷ୍ଟା କରିଥିଲେ। ହେଲେ ସେମାନେ ବିଫଳ ହୋଇଥିଲେ। ଅପରପକ୍ଷେ ଲୋକମାନେ ସ୍ବାସ୍ଥ୍ୟବିଭାଗ ଦ୍ୱାରା କୌଣସି ବ୍ୟବସ୍ଥା କରାଯାଇ ନ ଥିବା ଅଭିଯୋଗ କରିଛନ୍ତି।