ନୂଆଦିଲ୍ଲୀ,୩।୨: ବଦଳୁଥିବା ସମୟ ସହିତ ଟେକ୍ନୋଲୋଜି ଯେତିକି ସୁବିଧା ଆଣୁଛି, ସେତିକି ବିପଦ ମଧ୍ୟ ବଢ଼ାଉଛି। ବର୍ତ୍ତମାନ ଆମେରିକା ଏବଂ ବ୍ରିଟେନ ଭଳି ଦେଶରେ ‘ସ୍ମାର୍ଟ ଚଷମା’ ମହିଳାମାନଙ୍କ ପାଇଁ ଏକ ନୂଆ ବିପଦ ଭାବେ ଉଭା ହୋଇଛି। ଅଜଣା ବ୍ୟକ୍ତିମାନେ ଏହି ଚଷମା ପିନ୍ଧି ସର୍ବସାଧାରଣ ସ୍ଥାନରେ ମହିଳାମାନଙ୍କ ଅଜାଣତରେ ସେମାନଙ୍କର ଭିଡିଓ ରେକର୍ଡ କରୁଛନ୍ତି, ଯାହା ପରବର୍ତ୍ତୀ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ସ୍ମାର୍ଟ ଚଷମା, ଯାହା ସାଧାରଣତଃ ହ୍ୟାଣ୍ଡସ୍-ଫ୍ରି ସେଲଫି କିମ୍ବା ଅନୁବାଦ ପାଇଁ ବ୍ୟବହୃତ ହୁଏ, ତାହାକୁ ଏବେ କିଛି ମାନସିକ ବିକୃତ ବ୍ୟକ୍ତି ଅସ୍ତ୍ର ଭାବେ ବ୍ୟବହାର କରୁଛନ୍ତି। ବେଳାଭୂମି, ବସ୍ ଷ୍ଟପ୍ କିମ୍ବା ମାର୍କେଟରେ କଥା ହେବା ବାହାନାରେ ଏହି ଚଷମା ଜରିଆରେ ଗୋପନୀୟ ଭାବେ ଭିଡିଓ ସୁଟିଂ କରାଯାଉଛି। କିଛି ବ୍ୟକ୍ତି ନିଜକୁ ‘ପିକ-ଅପ୍ ଆର୍ଟିଷ୍ଟ’ କହି ମହିଳାମାନଙ୍କୁ ମନୋବୈଜ୍ଞାନିକ ଢଙ୍ଗରେ ପ୍ରଭାବିତ କରିବା ସହ ସେମାନଙ୍କ ଗୋପନୀୟ ଭିଡିଓ ଇଣ୍ଟରନେଟରେ ଛାଡୁଛନ୍ତି।
ବ୍ରିଟେନର ଚେସାୟାରରେ ଜଣେ ବ୍ୟକ୍ତି ମହିଳାଙ୍କ ବିନା ଅନୁମତିରେ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ରେକର୍ଡ କରିଥିବା ଅଭିଯୋଗ ହୋଇଛି। ସେହିପରି ଆମେରିକାର ଜଣେ ପ୍ରସିଦ୍ଧ ଷ୍ଟ୍ରିମର୍ ‘ହରକୁଲାଇଜ୍’ ମଧ୍ୟ ଏହି ସ୍ମାର୍ଟ ଚଷମାର ଶିକାର ହୋଇଛନ୍ତି।
ଭାରତ ପାଇଁ ଚେତାବନୀ:
ଭାରତରେ ମଧ୍ୟ ଏହି ଟେକ୍ନୋଲୋଜିର ପ୍ରବେଶ ହୋଇସାରିଛି। ଜଗନ୍ନାଥ ମନ୍ଦିର ଏବଂ ଅଯୋଧ୍ୟା ରାମ ମନ୍ଦିର ଭଳି ସମ୍ବେଦନଶୀଳ ସ୍ଥାନରେ କଟକଣା ସତ୍ତ୍ୱେ କିଛି ଶ୍ରଦ୍ଧାଳୁ କ୍ୟାମେରା ଥିବା ସ୍ମାର୍ଟ ଗ୍ୟାଜେଟ୍ ସହ ଧରାପଡ଼ିଛନ୍ତି।
ଭାରତର ‘ଡିଜିଟାଲ୍ ବ୍ୟକ୍ତିଗତ ଡାଟା ସୁରକ୍ଷା ଆଇନ’ରେ ସର୍ବସାଧାରଣ ସ୍ଥାନରେ ଏହିପରି ରେକର୍ଡିଂକୁ ନେଇ କୌଣସି କଡ଼ା ନିୟମ ନାହିଁ। ଏହାର ଅର୍ଥ ହେଉଛି, ଯଦି କେହି ଆପଣଙ୍କୁ ମେଟ୍ରୋ କିମ୍ବା ପାର୍କରେ ଚୋରାରେ ସୁଟିଂ କରେ, ତେବେ ସେହି ଭିଡିଓ ହଟାଇବା ପାଇଁ ଆପଣଙ୍କ ପାଖରେ ସୀମିତ ଆଇନଗତ ବିକଳ୍ପ ରହିଛି।
କିପରି ସତର୍କ ରହିବେ?