କୋକସରା,୧୮ା୫ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଲଡୁଗାଁ ପଞ୍ଚାୟତ ସୁନାମାଲ ଭାଲୁପଡା ଗ୍ରାମର ଜଣେ ବିବାହିତା ମହିଳାଙ୍କ ଝୁଲନ୍ତା ମୃତଦେହ ଜବତ ହୋଇଛି। ସେ ହେଲେ ଗ୍ରାମର ବୈଜୟନ୍ତି ମୁଣ୍ଡା(୨୦)। ମହିଳା ପିନ୍ଧିଥିବା ଶାଢିରେ ବେକରେ ଫାଶ ଲଗାଇ ଗଛରେ ଝୁଲି ପଡିଥିବା ଦେଖିବାକୁ ମିଳିଛି।
ସ୍ଥାନୀୟ ଲୋକେ ଏ ସମ୍ପର୍କରେ ଅବଗତ ହୋଇ ତାଙ୍କ ପରିବାର ଓ କୋକସରା ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି। କୋକସରା ତହସିଲଦାର ତଥା ମାଜିଷ୍ଟ୍ରେଟ ଓ ସାଇଣ୍ଟିଫିକ ଟିମ ଉପସ୍ଥିତିରେ ତଦନ୍ତ ଆରମ୍ଭ ହୋଇଛି। କୋକସରା ସ୍ବାସ୍ଥ୍ୟ କେନ୍ଦ୍ରରେ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଏ ନେଇ ଥାନାରେ ଏକ ଅପମୃତ୍ୟୁ ମାମଲା (ନଂ.୭/୨୫) ରୁଜୁ ହୋଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ତଦନ୍ତକାରୀ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି।