ଦକ୍ଷିଣକାଳୀଙ୍କ ପୀଠରେ ଅଘଟଣ: ବିଦ୍ୟୁତ୍‌ ଆଘାତରେ ଚାଲିଗଲା ମହିଳା, ଯୁବକଙ୍କ ଜୀବନ

ସାକ୍ଷୀଗୋପାଳ,୨୧।୧୦(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ପୁରୀ ଜିଲା ସାକ୍ଷୀଗୋପାଳ ବୀରଗୋନ୍ଦପୁର ଗ୍ରାମରେ ମା’ ଦକ୍ଷିଣକାଳୀଙ୍କ ପୂଜା ସମୟରେ ଏକ ଅଘଟଣ ସାମ୍ନାକୁ ଆସିଛି। ବିଦ୍ୟୁତ୍‌ ଆଘାତରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସେମାନଙ୍କ ପରିଚୟ ମିଳିପାରି ନାହିଁ। ମହିଳାଙ୍କ ବୟସ ୪୫ ବର୍ଷ ହେବ ବୋଲି ପୋଳିସ ଅନୁମାନ କରୁଥିବା ବେଳେ ଯୁବକଙ୍କ ବୟସ ୩୫ ବର୍ଷ ମଧ୍ୟରେ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

ମା’ ଦକ୍ଷିଣକାଳୀଙ୍କ ମନ୍ଦିର ନିକଟରେ ଶନିବାର ରାତିରେ ଭଜନ ସମାରୋହ ଚାଲିଥିବା ସମୟରେ ଉଭୟ ନାଚଗୀତରେ ମସଗୁଲ ଥିବା ସ୍ଥାନୀୟ ଲୋକେ କହିଛନ୍ତି। ହେଲେ ଯୁବକ ଜଣକ ନିଶାଶକ୍ତ ଥିବା ଅନୁମାନ କରାଯାଉଛି।

ପୋଖରୀ ନିକଟରେ କରେଣ୍ଟ ଲାଗି ସେମାନେ ପଡ଼ିଯିବା ଦେଖି ଲୋକେ ପାଟିତୁଣ୍ଡ କରିଥିଲେ। ପରେ ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ସାକ୍ଷୀଗୋପାଳ ହସ୍ପିଟାଲ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବରପାଇ ପୋଲିସ ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।