ବଳାତ୍କାର ପରେ ମହିଳାଙ୍କୁ ପଥର ଛେଚି ହତ୍ୟା

ଯୋଡ଼ା,୨୮ା୧(ଡି.ଏନ.ଏ) : କେନ୍ଦୁଝର ଜିଲା ବାମେବାରୀ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଜଣେ ମହିଳାଙ୍କୁ ବଳାତ୍କାର ପରେ ପଥରରେ ଛେଚି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଘଟଣାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତ ହେଲେ ମୟୂରଭଞ୍ଜ ଜିଲା ଯଶିପୁର ଥାନା ବେଗୁନିଆ ପଞ୍ଚାୟତ ଝଗଡ଼ା ଗ୍ରାମର ମାନସିଂ ସୋରେନ।ପୋଲିସ ସୂଚନା ମୁତାବକ, ଅଭିଯୁକ୍ତ ବାମେବାରି ଥାନା ଅଞ୍ଚଳର ବଡ଼ ଶଢୁଙ୍କ ଘରକୁ ବୁଲିବାକୁ ଆସିଥିଲେ। ଗତ ୨୨ତାରିଖରେ ବଡ଼ ଶଢୁ ଓ ଶଢ଼ୁଙ୍କ ସ୍ତ୍ରୀଙ୍କ ସହ ମିଶି ନିକଟସ୍ଥ ଜଙ୍ଗଲକୁ କାଠ ଆଣିବା ପାଇଁ ଯାଇଥିଲେ। ଜଙ୍ଗଲରେ କାଠ କାଟିବା ପରେ ବଡ଼ ଶଢୁ ଏକ ଗଛ ମୂଳେ ଧକା ମାରି ଶୋଇ ପଡ଼ିଥିଲେ। ଏହାର ସୁଯୋଗ ନେଇ ଅଭିଯୁକ୍ତ ଶଢ଼ୁଙ୍କ ସ୍ତ୍ରୀଙ୍କୁ କିଛି ଦୂରକୁ ଟେକି ନେଇ ବଳାତ୍କାର କରିଥିଲେ। ପରେ ପୋଲିସ ଭୟରେ ପୀଡ଼ିତାଙ୍କୁ ପଥରରେ ଛେଚି ହତ୍ୟା କରିଥିଲେ। ଜଙ୍ଗଲରେ ମୃତଦେହ ଲୁଚାଇ ଦେଇଥିଲେ। ଘଟଣାକୁ ଦିଗହରା କରିବାକୁ ବଡ଼ ଶଢୁଙ୍କ ସହ ମିଶି ଖୋଜିବା ଆଳ କରି ଘରକୁ ପଳାଇ ଆସିଥିଲ। ବଡ଼ ଶଢୁ ସନ୍ଦେହ କରି ଗତ ମଙ୍ଗଳବାର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଅନୁସନ୍ଧାନ କରି ଜଙ୍ଗଲରୁ ମୃତଦେହ ଜବତ କରିଥିଲା। ମୃତଦେହ ବ୍ୟବଚ୍ଛେଦ ପରେ ବଳାତ୍କାର କରାଯାଇଥିବା ନେଇ ପୋଲିସ ଜାଣିବାକୁ ପାଇଥିଲା। ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା ପରେ ସବୁ ସତ ମାନିଥିବା ପୋଲିସ କହିଛି। ଥାନାରେ (ନଂ-୧୯/୨୦୨୩) ମାମଲା ରୁଜୁ କରି ଶୁକ୍ରବାର ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି। ଘଟଣାର ଅଧିକ ତଦନ୍ତ ଚାଲିଥିବା ଥାନା ଅଧିକାରୀ ସ୍ବରୂପ ନାୟକ କହିଛନ୍ତି।