ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ ଅଞ୍ଚଳରେ ଘଟିଥିବା କୁହାଯାଉଛି । ମହିଳାଙ୍କ ହତ୍ୟା ଘଟଣା ଅଞ୍ଚଳରେ ଉତ୍ତେଜନା ସୃଷ୍ଟି କରିଛି । ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ତଦନ୍ତ କରୁଛି ପୋଲିସ । ଡିଡିଏ ଫ୍ଲାଟ କମ୍ପ୍ଲେକ୍ସରେ ଅବସ୍ଥିତ ଏକ ମନ୍ଦିରରେ ଦିନ ପ୍ରାୟ ୧୨ଟା ସମୟରେ ମହିଳା ପ୍ରାର୍ଥନା କରୁଥିବା ସମୟରେ ଏହି ଘଟଣା ଘଟିଥିଲା।

ପୋଲିସ ଅନୁଯାୟୀ, ରବିବାର ଦିନ ପ୍ରାୟ ୧୨ଟାରେ ଏକ PCR କଲ୍ ଆସିଥିଲା। ଶାହଦରା ଜିଲ୍ଲା ଡିସିପି ପ୍ରଶାନ୍ତ ଗୌତମ ଏକ ବିବୃତ୍ତିରେ କହିଛନ୍ତି, କଲ କରିଥିବା ବ୍ୟକ୍ତି ସୂଚନା ଦେଇଥିଲେ ଯେ ଦୁଇଜଣ ଯୁବକ ଏକ ମନ୍ଦିରରେ ଜଣେ ମହିଳା ପୂଜାରୀଙ୍କ ମୁଣ୍ଡରେ ଛୁରୀ ସାହାଯ୍ୟରେ ଆକ୍ରମଣ କରିଛନ୍ତି । ପୀଡିତାଙ୍କ ନାମ କୁସୁମ ଶର୍ମା । ମହିଳାଙ୍କ ମୁଣ୍ଡ ଏବଂ ଶରୀରରେ ଅନେକ ଥର ଛୁରୀ ମାଡ଼ କରାଯାଇଥିବା ନେଇ ଡିସିପି କହିଛନ୍ତି ।

ଘଟଣା ପରେ, ଗୁରୁତର ଆହତ କୁସୁମ ଶର୍ମାଙ୍କୁ ଗୁରୁ ତେଗ ବାହାଦୁର (GTB) ହସ୍ପିଟାଲକୁ ନିଆଯାଇଥିଲା, ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ କହିଛି ଯେ ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଜଣେ ଅଜଣା ବ୍ୟକ୍ତି ତାଙ୍କ ସହଯୋଗୀଙ୍କ ସହିତ ମିଶି କୁସୁମଙ୍କୁ ବାରମ୍ବାର ଛୁରୀରେ ଆକ୍ରମଣ କରିଥିଲେ, ଯାହା ଫଳରେ ସେ ଗୁରୁତର ଆହତ ହୋଇଥିଲେ ।