ସାଲୱାର ଶୁଟ୍‌ ପିନ୍ଧି ସ୍ବାମୀଙ୍କ ସହ ରେଷ୍ଟୁରାଣ୍ଟରେ ପହଞ୍ଚିଲେ ସ୍ତ୍ରୀ: ଏମିତି କିଛି ଘଟିଲା ମୁଖ୍ୟମନ୍ତ୍ରୀ ଦେଲେ ତଦନ୍ତ ନିର୍ଦ୍ଦେଶ

ନୂଆଦିଲ୍ଲୀ,୮।୮: ରାଜଧାନୀ ଦିଲ୍ଲୀରେ ସାଲୱାର ଶୁଟ ପିନ୍ଧିଥିବା ଜଣେ ମହିଳାଙ୍କୁ ତାଙ୍କ ପୋଷାକ ଯୋଗୁ ରେଷ୍ଟୁରାଣ୍ଟକୁ ପ୍ରବେଶ କରିବାକୁ ଦିଆଯାଇ ନ ଥିଲା। ତାଙ୍କ ସ୍ବାମୀ ମଧ୍ୟ ପ୍ୟାଣ୍ଟ ଏବଂ ଟି-ଶର୍ଟ ପିନ୍ଧିଥିଲେ, ଯାହାକୁ ଦେଖି ରେଷ୍ଟୁରାଣ୍ଟ କର୍ମଚାରୀମାନେ କହିଥିଲେ, ତୁମର ପୋଷାକ ଆମ ରେଷ୍ଟୁରାଣ୍ଟର ଡ୍ରେସ କୋଡ ନୀତି ଅନୁଯାୟୀ ନୁହେଁ। ଦମ୍ପତିଙ୍କୁ ଏହି କଥା ବହୁତ ଅଜବ ଲାଗିଥିଲା। ସେମାନେ ଏହାର ଏକ ଭିଡିଓ ତିଆରି କରି ସୋସିଆଲ ମିଡିଆରେ ଭାଇରାଲ କରିଥିଲେ, ଯାହା ଉପରେ ଦିଲ୍ଲୀ ସରକାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ମାମଲାଟି ପିତାମନଗରରେ ଅବସ୍ଥିତ ଟୁବାଟା ନାମକ ଏକ ରେଷ୍ଟୁରାଣ୍ଟ ସହିତ ଜଡିତ। ଏହି ରେଷ୍ଟୁରାଣ୍ଟ ପିତାମପୁରା ମେଟ୍ରୋ ଷ୍ଟେଶନ ପରିସରରେ ଅବସ୍ଥିତ। ଅଗଷ୍ଟ ୩ ତାରିଖରେ, ଏକ ଦମ୍ପତି ଏହି ରେଷ୍ଟୁରାଣ୍ଟରେ ଖାଇବାକୁ ଆସିଥିଲେ। ଉଭୟେ ସାଧାରଣ ଭାରତୀୟ ପୋଷାକ ପିନ୍ଧିଥିଲେ। ସ୍ବାମୀ ଜୋତା ସହିତ ପୋଲୋ ଟି-ସାର୍ଟ ଏବଂ ପ୍ୟାଣ୍ଟ ପିନ୍ଧିଥିଲେ। ସ୍ତ୍ରୀ ସାଲୱାର-ଶୁଟ ପିନ୍ଧିଥିଲେ। କିନ୍ତୁ ରେଷ୍ଟୁରାଣ୍ଟ କର୍ମଚାରୀମାନେ ସେମାନଙ୍କୁ ପ୍ରବେଶ କରିବାକୁ ବାରଣ କରିଥିଲେ କାରଣ ସେମାନଙ୍କ ପୋଷାକ ‘ରେଷ୍ଟୁରାଣ୍ଟର ଡ୍ରେସ କୋଡ ନୀତି’ ଅନୁଯାୟୀ ନ ଥିଲା।

ଏହି ଘଟଣାରେ ଦୁଃଖିତ ହୋଇ, ଦମ୍ପତି ରେଷ୍ଟୁରାଣ୍ଟ ବାହାରେ ଠିଆ ହୋଇ ଏକ ଭିଡିଓ ତିଆରି କରି ସୋସିଆଲ ମିଡିଆରେ ପୋଷ୍ଟ କଲେ। ସେମାନେ କହିଥିଲେ, କିପରି କେବଳ ଭାରତୀୟ ପୋଷାକ ପିନ୍ଧିଥିବାରୁ ସେମାନଙ୍କୁ ପ୍ରବେଶ କରିବାକୁ ଅନୁମତି ଦିଆଗଲା ନାହିଁ, ସେହି ସମୟରେ ଅନେକ ଲୋକ ସେଠାକୁ ଆସିଥିଲେ, ଯେଉଁମାନେ ପାଶ୍ଚାତ୍ୟ ଏବଂ ଛୋଟ ପୋଷାକ ପିନ୍ଧିଥିଲେ, କିନ୍ତୁ ସେମାନଙ୍କୁ କୌଣସି ଆପତ୍ତି ନ କରି ପ୍ରବେଶ ମିଳିଗଲା।

ଭିଡିଓରେ, ଦମ୍ପତି ଏହା ମଧ୍ୟ ଅଭିଯୋଗ କରିଛନ୍ତି, ରେଷ୍ଟୁରାଣ୍ଟ ପରିଚାଳକ ଅଜୟ ରାଣା ସେମାନଙ୍କ ସହିତ ଅତ୍ୟନ୍ତ ଅସମ୍ମାନଜନକ ବ୍ୟବହାର କରିଥିଲେ ଏବଂ ଖୋଲାଖୋଲି ଭାବରେ ଅପମାନ କରିଥିଲେ। ସେ କହିଛନ୍ତି, ଆମେ ଭାରତୀୟ ପୋଷାକରେ ଥିଲୁ, ତଥାପି ଆମକୁ ପ୍ରବେଶ କରିବାକୁ ଅନୁମତି ଦିଆଗଲା ନାହିଁ। ଏହା ପକ୍ଷପାତମୂଳକ ଆଚରଣ। କ’ଣ ଭାରତୀୟ ପୋଷାକ ପିନ୍ଧିବା ଏବେ ଲଜ୍ଜାର ବିଷୟ ପାଲଟିଛି?’ ଏହି ଭିଡିଓ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହୋଇଛି। ଅନେକ ଲୋକ ଏହି ରେଷ୍ଟୁରାଣ୍ଟର ମନୋଭାବକୁ ସମାଲୋଚନା କରୁଛନ୍ତି ଏବଂ ପ୍ରଶ୍ନ ଉଠାଉଛନ୍ତି ଯେ, କେବଳ ପୋଷାକ ଆଧାରରେ ଜଣେ ବ୍ୟକ୍ତିଙ୍କୁ କିପରି ପ୍ରବେଶରୁ ବଞ୍ଚିତ କରାଯାଇପାରିବ, ତାହା ମଧ୍ୟ ତାଙ୍କ ନିଜ ଦେଶରେ?

ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ପରେ, ଦିଲ୍ଲୀ ସରକାର ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଦିଲ୍ଲୀ ଆଇନ ଏବଂ ସଂସ୍କୃତି ମନ୍ତ୍ରୀ କପିଲ ମିଶ୍ର ଟୁଇଟରରେ କହିଛନ୍ତି, ଏହା ଗ୍ରହଣୀୟ ନୁହେଁ। ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି- ପିତାମପୁରାର ଏକ ରେଷ୍ଟୁରାଣ୍ଟରେ ଭାରତୀୟ ପୋଷାକ ଉପରେ ନିଷେଧ କରାଯାଇଥିବା ଏକ ଭିଡିଓ ସାମ୍ନାକୁ ଆସିଛି। ଦିଲ୍ଲୀରେ ଏହା ଗ୍ରହଣୀୟ ନୁହେଁ। ଘଟଣାର ତଦନ୍ତ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Share