ମହିଳାଙ୍କୁ ଭଦ୍ରକରୁ ଟେକିନେଇ ଟ୍ରକ୍‌ରେ କରିଥିଲେ ବଳାତ୍କାର: କେନ୍ଦୁଝରରୁ ଧରିଲା ପୋଲିସ

ଭଦ୍ରକ,୪।୧୦(ସନାତନ ରାଉତ): ଭଦ୍ରକ ଚରମ୍ପାରୁ ଜଣେ ମହିଳାଙ୍କୁ ଅପହରଣ କରି ବଳାତ୍କାର କରିଥିବା ଅଭିଯୁକ୍ତ ଟ୍ରକ ଡ୍ରାଇଭରକୁ କେନ୍ଦୁଝର ଜିଲା ଝୁମ୍ପୁରାରୁ ଭଦ୍ରକ ପୋଲିସ ଗିରଫ କରିଛି ।କେନ୍ଦୁଝର ସଦର ପୋଲିସ ସହାୟତରେ ଅଭିଯୁକ୍ତ ଏମଡି ସୁଦାମ ହୁସେନକୁ ଗିରଫ କରି ଶନିବାର ଭୋର ସମୟରେ ଭଦ୍ରକ ଫେରିଛି ଟାଉନ ପୋଲିସ । ଟ୍ରକ୍‌କୁ ଜବତ କରାଯାଇ ଭଦ୍ରକ ଟାଉନ ଥାନାରେ ରଖାଯାଇଛି।
ସୂଚନା ମୁତାବକ ଚରମ୍ପା ଅଞ୍ଚଳରୁ ଏକ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଥିବା ଜଣେ ମାନସିକ ବିକୃତ ମହିଳାଙ୍କୁ ଅଭିଯୁକ୍ତ ଜଣକ ଗତ ବୁଧବାର ରାତିରେ ଜୋର ଜବରଦସ୍ତ ଟେକି ଟ୍ରକରେ ନେଇଯାଇଥିଲେ । ଟ୍ରକ ଭିତରେ ବଳାତ୍କାର କରିବା ପରେ ବରପଦା ଗଣି ଜାଙ୍ଗ ଅଞ୍ଚଳରେ ଛାଡ଼ି ଦେଇଥିଲେ । ପରେ ପୋଲିସ ସମ୍ପୃକ୍ତ ମହିଳାଙ୍କୁ ରାନ୍ଦିଆ ନିକଟରୁ ଉଦ୍ଧାର କରିଥିଲା l ଅପହରଣ ବେଳର ଦୃଶ୍ୟ ସିସିଟିଭିରେ କଏଦ ହୋଇଥିଲା । ଏହି ଭିଜୁଆଲ ଭାଇରାଲ ପରେ ଭଦ୍ରକ ଏସ୍‌ପି ସୱତନ୍ତ୍ର ପୋଲିସ ଟିମ ଗଠନ କରି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଭଦ୍ରକ ଟାଉନ ଥାନା ଅଧିକାରୀ ପ୍ରଭାଂଶୁ ମିଶ୍ରଙ୍କ ନେତୃତ୍ୱରେ ଟିମ୍‌ ତଦନ୍ତ ଆରମ୍ଭ କରିଥିଲେ । ବିଭିନ୍ନ ଟୋଲ ଗେଟ୍ରେ ଲାଗିଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରିବା ପରେ ଶେଷରେ କେନ୍ଦୁଝରରେ ଅଭିଯୁକ୍ତ ସୁଦାମଙ୍କୁ ଧରିବାରେ ସଫଳ ହୋଇଥିଲେ । ଶନିବାର ଟାଉନ ଥାନାରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଅତିରିକ୍ତ ଏସପି ଅରୂପ ଅଭିଷେକ ବେହେରା ସମସ୍ତ ଘଟଣା ବିଷୟରେ ସୂଚନା ଦେଇଛନ୍ତି ।