ଥୁଆମୂଳ ରାମପୁର,୩୦ା୫ (ଦୁର୍ଗା କୀର୍ତ୍ତି)- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ କୋଷାବରା ଗ୍ରାମର ଜଣେ ବିବାହିତା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, କାଶୀପୁର ଥାନା ଅଡାଜୋର ପଞ୍ଚାୟତ ଅଧୀନ ଜୋଡ଼ାଆମ୍ବ ଗ୍ରାମର କାଳିଦାସ ନାଏକଙ୍କ ବଡ଼ଝିଅ ତମାଲ ନାଏକ ଥୁଆମୂଳ ରାମପୁର ଥାନା କୋଷାବରା ଗ୍ରାମର ଲଳିତଙ୍କ ପୁଅ ରଞ୍ଜନ ନାଏକଙ୍କୁ ୪ବର୍ଷ ତଳେ ବୈଦିକ ରୀତିରେ ବିବାହ କରିଥିଲେ। ତାଙ୍କ ପାରିବାରିକ ଜୀବନ ଭଲରେ କଟୁଥିବାବେଳେ କୌଣସି କାରଣରୁ ହଠାତ୍ ଗତ ବୁଧବାର ସକାଳୁ ସେ କୁଆଡେ ନିଖୋଜ ହୋଇଯାଇଥିଲେ। ଏହାକୁ ନେଇ ସ୍ବାମୀ ରଞ୍ଜନ ନାଏକଙ୍କ ସମେତ ଝିଅର ବାପା କାଳିଦାସ ଥୁଆମୂଳ ରାମପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏପରିସ୍ଥଳେ ଗୁରୁବାର ଅପରାହ୍ନରେ ତାଙ୍କ ମୃତଦେହ ଗ୍ରାମ ମଝିରେ ଥିବା ପରିତ୍ୟକ୍ତ କୂଅରେ ପଡ଼ିଥିବା ଦେଖି ପରିବାର ଲୋକେ ଥାନାରେ ଜଣାଇଥିଲେ। ପୋଲିସ ସହ ସାଇଣ୍ଟିଫିକ ଟିମ ଓ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କରି ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ଏହି ଘଟଣାରେ ପୂର୍ବରୁ ନିଖୋଜ ମାମଲା (ନଂ.୪/୨୫) ରୁଜୁ ହୋଇଥିବା ବେଳେ ମୃତା ମହିଳାଙ୍କ ବାପାଙ୍କ ଅଭିଯୋଗ କ୍ରମେ ହତ୍ୟା ମାମଲା (ନଂ.୭୦/୨୫) ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ କୈବଲ୍ୟ ସେଠ ସୂଚନା ଦେଇଛନ୍ତି।