ଭୋପାଳ,୧୧ା୪: ରୋମାଞ୍ଚକର କ୍ରାଇମ୍ ଥ୍ରିଲର ଭଳି ଲାଗୁଥିବା ଏକ ସତ୍ୟ ଘଟଣା ମଧ୍ୟପ୍ରଦେଶର ଧର୍ ଅଞ୍ଚଳରେ ସାମନାକୁ ଆସିଛି, ଯାହା ପଛରେ ପ୍ରତାରଣା, ଅପମାନ ଓ ସୁଚିନ୍ତିତ ଷଡ଼ଯନ୍ତ୍ର ରହିଛି। ପ୍ରଥମେ ଡକାୟତିରୁ ହତ୍ୟାକାଣ୍ଡ ବୋଲି କୁହାଯାଇଥିବାବେଳେ ତଦନ୍ତ ପରେ ତାହା ପରକୀୟା ପ୍ରୀତିରୁ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଜଣାପଡ଼ିଛି।
ଗତ ୭ ତାରିଖ ରାତିରେ ଦେବକୃଷ୍ଣ ପୁରୋହିତ ନାମକ ଜଣେ ୨୮ ବର୍ଷୀୟ ମସଲା ବ୍ୟବସାୟୀଙ୍କୁ ତାଙ୍କ ଘରେ ହତ୍ୟା କରାଯାଇଥିଲା। ମୃତଦେହରେ ତୀକ୍ଷ୍ଣ ଅସ୍ତ୍ରାଘାତର ଚିହ୍ନ ରହିଥିଲା। ଅଜଣା ଡକାୟତ ଘରେ ପଶି ୩.୫ ଲକ୍ଷ ଟଙ୍କା ମୂଲ୍ୟର ମୂଲ୍ୟବାନ ସାମଗ୍ରୀ ଲୁଟିନେବା ସହ ବାଧାଦେବାରୁ ଦେବକୃଷ୍ଣଙ୍କୁ ହତ୍ୟା କରିଥିବା ସ୍ତ୍ରୀ ପ୍ରିୟଙ୍କା ପୁରୋହିତ ପୋଲିସକୁ କହିଥିଲେ।
ଦେବକ୍ରିଷ୍ଣ ଓ ପ୍ରିୟଙ୍କାଙ୍କ ବିବାହକୁ ନେଇ ଦୀର୍ଘଦିନରୁ ସମସ୍ୟା ଲାଗିରହିଥିଲା। ଦେବକ୍ରିଷ୍ଣ କଳା ହୋଇଥିବାରୁ ତାଙ୍କ ଉପଯୁକ୍ତ ନୁହନ୍ତି ବୋଲି ପ୍ରିୟଙ୍କା ଅନେକ ସମୟରେ କହୁଥିବା ଭଉଣୀ ଜ୍ୟୋତି ପୋଲିସକୁ କହିଥିଲା। ତଦନ୍ତରୁ ଜଣାପଡ଼ିଥିଲା, ପ୍ରିୟଙ୍କାଙ୍କର ରାଜଗଡ଼ର କମଳେଶ ପୁରୋହିତଙ୍କ ସହ ପ୍ରେମ ସମ୍ପର୍କ ରହିଛି। ଦେବକ୍ରିଷ୍ଣ ଏଥିରେ ପ୍ରତିବନ୍ଧକ ସାଜିଥିବାରୁ ସେମାନେ ତାଙ୍କୁ ହତ୍ୟା କରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ। ଏଥିପାଇଁ କମଳେଶ ସୁପାରି ଦେଇ ହିଟ୍ମ୍ୟାନ୍ ସୁରେନ୍ଦ୍ର ଭଟ୍ଟିଙ୍କୁ ଦେବବ୍ରତଙ୍କୁ ହତ୍ୟା କରିବା ପାଇଁ କହିଥିଲା। ହତ୍ୟାକାଣ୍ଡ ରାତିରେ ସେମାନେ ଜାଣିଶୁଣି ଘର କବାଟ ବନ୍ଦ କରି ନ ଥିଲେ। ସୁରେନ୍ଦ୍ର ଘରେ ପଶି ଦେବବ୍ରତଙ୍କୁ ଶୋଇଥିବା ଅବସ୍ଥାରେ ହତ୍ୟା କରିବା ପରେ ଏହାକୁ ଡକାୟତି ରୂପ ଦେବାକୁ ଘରେ ଭଙ୍ଗାରୁଜା କରିଥିଲେ। ହତ୍ୟାକାରୀ ଚାଲିଯିବା ପରେ ପ୍ରିୟଙ୍କା ଚିତ୍କାର କରି ମନଗଢ଼ା କାହାଣୀ ଶୁଣାଇଥିଲେ। ତଦନ୍ତ ବେଳେ ପ୍ରିୟଙ୍କାଙ୍କ ବୟାନରେ ତାଳମେଳ ନ ରହିବା ଏବଂ ଚୋରି ଗହଣା ଘରୁ ମିଳିବା ପରେ ପୋଲିସ ସନ୍ଦେହ କରିଥିଲା। ବାରମ୍ବାର ଜେରା କରିବାରୁ ପ୍ରିୟଙ୍କା ପ୍ରେମିକ ସହ ମିଶି ଦେବକୃଷ୍ଣଙ୍କୁ ହତ୍ୟା କରିଥିବା ମାନିଛନ୍ତି।